ନୂଆଦିଲ୍ଲୀ, ୧୧/୦୮: ଗତ ୬ବର୍ଷ ଭିତରେ ଦକ୍ଷିଣ କୋରିଆ ସେନାରେ ଯବାନଙ୍କ ସଂଖ୍ୟା ୨୦ ପ୍ରତିଶତ ହ୍ରାସ ପାଇଛି । କାରଣ ସେଠାରେ ପୁରୁଷଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି । ଏହାର ପ୍ରମୁଖ କାରଣ ହେଉଛି ବିଶ୍ୱରେ ସବୁଠାରୁ କମ୍ ଜନ୍ମହାର । ଯାହା ହାରାହାରି ୦.୭୫ ରହିଛି । ପ୍ରତିରକ୍ଷା ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ୨୦୧୯ରୁ ୨୦୨୫ ମଧ୍ୟରେ ୨୦ ବର୍ଷୀୟ ଯୁବକଙ୍କ ସଂଖ୍ୟା ୩୦ ପ୍ରତିଶତ ହ୍ରାସ ପାଇଛି । ତେଣୁ ସେନାରେ ସୈନ୍ୟଙ୍କ ସଂଖ୍ୟା ୨ ଲକ୍ଷ ୩୦ ହଜାରକୁ ଖସିଆସିଛି । ସାଧାରଣତଃ ଅଧିକାଂଶ ପୁରୁଷ ଏହି ବୟସରେ ହିଁ ସେନାରେ ଯୋଗ ଦେଇଥାନ୍ତି । ତେବେ ଏଭଳି ସ୍ଥିତିରେ ବର୍ତ୍ତମାନ ସେନାରେ ଅଧିକାରୀଙ୍କ ଅଭାବ ଦେଖା ଦେଇଛି । ଯାହା ଭବିଷ୍ୟତରେ ଅନେକ କାର୍ଯ୍ୟରେ ବାଧା ସୃଷ୍ଟି କରିବ ।
ଏହି ରିପୋର୍ଟ ଶାସକ ଡେମୋକ୍ରାଟିକ ପାର୍ଟିର ସାଂସଦ ଚୁ ମୀ-ଏଙ୍କୁ ଦିଆଯାଇଥିଲା ଏବଂ ତାଙ୍କ କାର୍ଯ୍ୟାଳୟ ତରଫରୁ ଏହା ଜାରି ହୋଇଥିଲା । ଦକ୍ଷିଣ କୋରିଆର ସେନା ବିଂଶ ଶତାବ୍ଦୀ ପ୍ରାରମ୍ଭରୁ ନିରନ୍ତର ଭାବେ ହ୍ରାସ ପାଉଛି । ହେଲେ ଏହା ପୂର୍ବରୁ ପ୍ରାୟ ୬ଲକ୍ଷ ୯୦ ହଜାର ସୈନ୍ୟ ସେନା ବାହିନୀରେ ଥିଲେ । ତେବେ ୨୦୧୦ର ଶେଷ ସମୟରେ ସୈନ୍ୟମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ହୋଇ ୪ଲକ୍ଷ ୫୦ ହଜାରରେ ପହଞ୍ଚିଥିଲା । ସେପଟେ ଉତ୍ତର କୋରିଆ ପାଖରେ ୨୦୨୨ରେ ପାଖାପାଖି ୧୨ ଲକ୍ଷ ସକ୍ରିୟ ସୈନିକଙ୍କ ସେନା ବାହିନୀ ଥିଲା ।
୫୦ ହଜାର ସୈନିକଙ୍କ ଅଭାବର ସାମ୍ନା କରୁଛି ଦକ୍ଷିଣ କୋରିଆ-
ଦକ୍ଷିଣ କୋରିଆ ବିଶ୍ୱର ସବୁଠାରୁ ଶୀଘ୍ର ବୁଢା ହେଉଥିବା ଦେଶରେ ସାମିଲ ହୋଇଛି। ୨୦୨୪ରେ ଏଠାକାର ପ୍ରଜନନ ହାର ବିଶ୍ୱରେ ସବୁଠାରୁ କମ୍ ହୋଇ ୦.୭୫ ରହିଥିଲା । ଯାହା ଦର୍ଶାଉଛି ଯେ, ଜଣେ ମହିଳା ତାଙ୍କ ଜୀବନ କାଳରେ କେତୋଟି ସନ୍ତାନ ଜନ୍ମ କରି ପାରୁଛନ୍ତି । ୨୦୨୦ରେ ଦକ୍ଷିଣ କୋରିଆର ଜନସଂଖ୍ୟା ୫୧.୮ ମିଲିୟନରେ ପହଞ୍ଚିଥିବା ବେଳେ ୨୦୭୨ ସୁଦ୍ଧା ଏହା ହ୍ରାସ ପାଇ ୩୬.୨ ମିଲିୟନ୍ ହୋଇପାରେ । ଦକ୍ଷିଣ କୋରିଆର ପ୍ରତିରକ୍ଷା ବଜେଟ୍ ୨୦୨୫ରେ ୬୧ ଟ୍ରିଲିୟନରୁ ଅଧିକ ରହିଛି । ଯାହା ଉତ୍ତର କୋରିଆର ଅର୍ଥବ୍ୟବସ୍ଥା ଠାରୁ ମଧ୍ୟ ବଡ଼ । ଏହା ସତ୍ତ୍ୱେ ମନ୍ତ୍ରାଳୟ କହିଛି ଯେ, ଦେଶର ସେନା ବର୍ତ୍ତମାନ ୫୦ହଜାର ସୈନିକଙ୍କ ଅଭାବ ଦେଇ ଗତି କରୁଛି । ଏଥିରୁ ୨୧ ହଜାର ନନ୍-କମିଶନ୍ଡ ଅଫିସର୍ ପଦବୀରେ ରହିଛି ।