ନୂଆଦିଲ୍ଲୀ,୧୧/୦୮: 'ଅପରେସନ୍ ସିନ୍ଦୂର' ମାଡ଼ରେ ଆଜି ଯାଏ ବିଳିବିଳଉଛି ପାକିସ୍ତାନ । ଏତେ ସରି ଦେବା ପରେ ବି ମୁହଁଫୁଟାଣି ଛାଡୁନାହିଁ । ଦିନକ ପୂର୍ବରୁ ଆମେରିକାରେ ବସି ଭାରତକୁ ପରମାଣୁ ବୋମା ଧମକ ଦେଉଥିଲେ । ଅଧା ବିଶ୍ୱକୁ ଧ୍ୱଂସ କରିଦେବୁ ବୋଲି କହୁଥିଲେ ପାକିସ୍ତାନ ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନୀର । ଏବେ ନିଜ ମୁହଁରେ ନିଜର ଅପମାନ କରିଛନ୍ତି । 'ଭାରତ ଚମକୁଥିବା ମର୍ସିଡ଼ିଜ, ପାକିସ୍ତାନ ବଜୁରି ଭର୍ତ୍ତି ଡମ୍ପିଂ ଟ୍ରକ୍ ବୋଲି କହିଛନ୍ତି ମୁନୀର । ଭାରତ ବିରୋଧରେ ବିଷ ଓଗାଳୁ ଓଗାଳୁ ସତ କହି ଦେଇଛନ୍ତି ପାକ୍ ଆର୍ମି ଚିଫ୍ ଫିଲ୍ଡ ମାର୍ଶଲ ଆସିଫ୍ ମୁନୀର ।
'ଭାରତ ଚମକୁଥିବା ମର୍ସିଡ଼ିଜ, ପାକିସ୍ତାନ ବଜୁରି ଭର୍ତ୍ତି ଡମ୍ପିଂ ଟ୍ରକ୍'- ଆସିଫ୍ ମୁନୀର ଭାରତକୁ ଧମକ ଦେଉ ଦେଉ କିଛି ସତ ବି ମାନିଛନ୍ତି । ଭାରତର ତୁଳନା ଚମକୁଥିବା ମର୍ସିଡ଼ିଜ କାର ସହ କରିଛନ୍ତି । ପାକିସ୍ତାନକୁ ଅଳିଆ ଭର୍ତ୍ତି ଟ୍ରକ ବୋଲି କହିଛନ୍ତି । ଭାରତକୁ ଧମକ ଦେଇ କହିଛନ୍ତି କି, ଭାବନ୍ତୁ ଯଦି ଦୁଇ ଗାଡ଼ି ମଧ୍ୟରେ ଟକ୍କର ହୁଏ ତେବେ କାହାକୁ କ୍ଷତି ପହଞ୍ଚିବ ? ଆମେରିକାର ବସି ଏହି ବୟାନ ଦେଇଛନ୍ତି ମୁନୀର । ଅପରେସନ୍ ସିନ୍ଦୂରର ପାକିସ୍ତାନ ଉପରେ ହୋଇଥିବା ମାଡ଼ରେ ନିଜର ରାଗ ବାହାର କରୁଛନ୍ତି । ଯଦି ଭାରତ ପାଇଁ ପାକିସ୍ତାନର ଅସ୍ତିତ୍ୱ ଉପରେ ସଙ୍କଟ ଆସେ ତେବେ ପାକିସ୍ତାନ ଅଧା ଦୁନିଆକୁ ନିଜ ସହ ନେଇ ବୁଡିବ । ଗତକାଲି(ରବିବାର) ଆମେରିକାରେ ବସି ଭାରତକୁ ପରମାଣୁ ବୋମା ଧମକ ଦେଇଥିଲେ । କୌଣସି ତୃତୀୟ ଦେଶରୁ ଭାରତ ବିରୋଧରେ ପାକିସ୍ତାନର ଦିଆଯାଇଥିବା ଏହା ପ୍ରଥମ ଧମକ ।
୧୦ ମିସାଇଲରୁ ଫାୟାରିଂ କରିବୁ- ଅପରେସନ୍ ସିନ୍ଦୂର ପରେ ଆସିଫ୍ ମୁନୀରଙ୍କର ଏହା ଦ୍ବିତୀୟ ପାକିସ୍ତାନ ଗସ୍ତ । ସେଠାରେ ସେ କହିଛନ୍ତି ''ଭାରତ ଦ୍ୱାରା ଡ୍ୟାମ ବନାଯିବାକୁ ଆମେ ଅସ୍ୱୀକାର କରୁଛୁ । ଭାରତ ଯେବେ ଏମିତି କରିଦେବ ଆମେ ୧୦ ମିସାଇଲରୁ ଫାୟାରିଂ କରିବୁ । ସିନ୍ଧୁ ନଦୀ ଭାରତର ଫ୍ୟାମିଲି ସମ୍ପତ୍ତି ନୁହେଁ, ଆମ ପାଖରେ ମିସାଇଲର ଅଭାବ ନାହିଁ ।'' ପାକିସ୍ତାନ ଭାରତକୁ କିପରି କ୍ଷତି ପହଞ୍ଚାଇ ପାରିବ ଏହା କହି ମୁନୀର ଏକ ଉଦହାରଣ ଦେଇଥିଲେ । ଭାରତ ରାଜପଥରେ ଆସୁଥିବା ଏକ ଚମକୁଥିବା ମର୍ସଡ଼ିଜ କାର୍ ଆଉ ପାକିସ୍ତାନ ହେଉଛି ବଜୁରି ବୋଝେଇ ଟ୍ରକ । ଯଦି ଦୁହିଁଙ୍କ ମଧ୍ୟରେ ଧକ୍କା ହୁଏ ତେବେ କାହାର କ୍ଷତି ହେବ ?
କିଛି ସୋସିଆଲ ମିଡିଆ ୟୁଜର୍ସ ଏହାକୁ ନେଇ କହିଛନ୍ତି, ମୁନୀର ଅଜାଣତରେ ସ୍ୱୀକାର କରିଛନ୍ତି ଯେ ଭାରତ ଭଲ । ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ମୁନୀରଙ୍କ କଥାରେ ଏକମାତ୍ର ସତ୍ୟ ଭାରତ ହେଉଛି ମର୍ସିଡିଜ୍, ଏବଂ ତାଙ୍କ ଦେଶ ହେଉଛି ଡମ୍ପ ଟ୍ରକ୍ । ବାକି ସବୁ ଭ୍ରମ ।
ଆମେରିକାର ଫ୍ଲୋରିଡା ଅନ୍ତର୍ଗତ ଟାମ୍ପାସ୍ଥିତ ଗ୍ରାଣ୍ଡ ହୟାତ୍ ହୋଟେଲ୍ରେ ପାକିସ୍ତାନୀ ବଂଶୋଦ୍ଭବ ବ୍ୟବସାୟୀ ଅଦନାନ୍ ଅସଦଙ୍କ ତରଫରୁ ଦିଆଯାଇଥିବା ଏକ ଡିନର୍ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହି ବୟାନ ଦେଇଛନ୍ତି । କାର୍ଯ୍ୟକ୍ରମରେ ପ୍ରାୟ ୧୨୦ ପ୍ରବାସୀ ପାକିସ୍ତାନୀ ଉପସ୍ଥିତ ଥିଲେ । ଏଠାକୁ ମୋବାଇଲ କିମ୍ବା ଅନ୍ୟ କୌଣସି ଡିଜିଟାଲ ଡିଭାଇସ୍ ନେବା ପାଇଁ ଅନୁମତି ନ ଥିଲା । ତେଣୁ ମୁନିରଙ୍କ ଭାଷଣର କୌଣସି ଔପଚାରିକ ରେକର୍ଡ ଉପଲବ୍ଧ ନାହିଁ । କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲୋକଙ୍କ ବୟାନ ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି ।