ପୁରୀ, ୧୯/୦୭ : ଆଜି ହେଉଛି ପବିତ୍ର ନୀଳାଦ୍ରିବିଜେ। ପବିତ୍ର ଘୋଷଯାତ୍ରାର ଅନ୍ତିମ ପର୍ବ। ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ବାହୁଡ଼ିବେ ନୀଳାଦ୍ରିନାଥ। ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ବିଜେ କରି ରତ୍ନ ବେଦିକୁ ଯିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ପରମ୍ପରା ଅନୁଯାୟୀ, ଏକାଦଶୀ ଦିନ ସୁନାବେଶ, ଦ୍ଵାଦଶୀରେ ଅଧରପଣା ଓ ତ୍ରୟୋଦଶୀ ତିଥିରେ ପଡେ ନୀଳାଦ୍ରିବିଜେ। ରଥ ଉପରେ ଠାକୁରମାନଙ୍କ ସନ୍ଧ୍ୟା ଧୂପ ନୀତି ସରିବା ପରେ ସବୁ ରଥରେ ବନ୍ଧାଯିବ ଚାରମାଳ। ପ୍ରଥମେ ବିଜେ କାହାଳୀ ବାଜିବା ପରେ ବନ୍ଦାପନା ଓ ଡୋରି ଲାଗି ନୀତି ହେବ। ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ଧରି ଦକ୍ଷିଣି ଘରକୁ ବିଜେ କରିବେ। ତାପରେ ଗୋଟି ପହଣ୍ଡି କ୍ରମରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ କରିବେ।
ସେପଟେ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଯାଇଥିବାରୁ ମହାପ୍ରଭୁଙ୍କ ଉପରେ ଅଭିମାନ କରିବେ ମହାଲକ୍ଷ୍ମୀ। ତେଣୁ ବଡ଼ ଦେଉଳ ଭିତରକୁ ପ୍ରବେଶ କଲାବେଳେ କାଳିଆ ସାଆନ୍ତଙ୍କ ବାଟ ଜଗିବେ ଲକ୍ଷ୍ମୀ ସାଆନ୍ତାଣି। ରସଗୋଲା ଦେଇ ରାଗରେ ଜର୍ଜରିତ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବେ ମହାପ୍ରଭୁ। ଏହାପରେ ସିଂହଦ୍ଵାର ଖୋଲିବେ ମହାଲକ୍ଷ୍ମୀ।