ଭୁବନେଶ୍ୱର ୨୮/୦୭: ପ୍ଲାଷ୍ଟିକ୍ ବ୍ୟବହାର, ବୈଦ୍ୟୁତିକ ବର୍ଜ୍ୟ ପରିଚାଳନା ଓ ଜଳ ସ୍ରୋତର ସୁରକ୍ଷା ଆମ ପାଇଁ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି । ମାନବୀୟ ହସ୍ତକ୍ଷେପ ଲାଗି ସମୁଦ୍ର ଜଗତ ପ୍ରଦୂଷିତ, ଯାହା ସାମୁଦ୍ରିକ ଜୀବଙ୍କ ବିଲୁପ୍ତିର କାରଣ ହେଉଛି । ଏ ସମସ୍ତ ପ୍ରାକୃତିକ ଆହ୍ୱାନର ସମାଧାନ ଉଦ୍ଦେଶ୍ୟରେ ପ୍ରତି ବର୍ଷ ଜୁଲାଇ ୨୮ ତାରିଖରେ ପାଳିତ ହୁଏ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ।
ସ୍ଥାୟୀ ଓ ସୁସ୍ଥ ସମାଜ ଲାଗି ସୁସ୍ଥ ପରିବେଶ ଓ ପ୍ରାକୃତିକ ଉତ୍ସଗୁଡ଼ିକର ସଂରକ୍ଷଣକୁ ଏହା ପ୍ରାଧାନ୍ୟ ଦିଏ । ବିଲୁପ୍ତିର ଦ୍ୱାର ଦେଶରେ ଥିବା ଉଦ୍ଭିଦ ଓ ଜୀବଜନ୍ତୁଙ୍କ ସୁରକ୍ଷା ଏହି ଦିବସର ମୁଖ୍ୟ ଲକ୍ଷ୍ୟ । ପ୍ରକୃତିର ସବୁଜିମା, ଶକ୍ତି ଉତ୍ସ, ମୃତ୍ତିକା, ଜଳ ଓ ବାୟୁ ଭଳି ବିଭିନ୍ନ ପ୍ରାକୃତିକ ଉପାଦାନର ସଂରକ୍ଷଣ ଉପରେ ଏହି ଦିବସ ଆଲୋକପାତ କରେ । ଭବିଷ୍ୟତ ପିଢ଼ି ପାଇଁ ପରିବେଶ ସଂରକ୍ଷଣର ଆବଶ୍ୟକତାକୁ ଏହା ଖାସ୍ ଗୁରୁତ୍ୱ ଦିଏ । ଆମ ଉତ୍ତର ପିଢ଼ିଙ୍କୁ ଏକ ସୁସ୍ଥ ପୃଥିବୀ ପ୍ରଦାନ କରିବା ଆମର ଗୁରୁ ଦାୟିତ୍ୱ ବୋଲି ଏହି ଦିବସ ସଚେତନ କରେ।