ପ୍ରମୁଖ ଖବର
  • ଗୁରୁବାର ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ଅରୁପ ପଟ୍ଟନାୟକ ଭରିବେ ନାମାଙ୍କନ
  • ||
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ବଲାଙ୍ଗୀର ଯିବେ ମୁଖ୍ୟମନ୍ତ୍ରୀ, ହିଞ୍ଜିଳି ପରେ କଣ୍ଟାବାଞ୍ଜିରୁ ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||
  • ଭୁବନେଶ୍ୱର ​‌ଲୋକସଭା ଆସନ ପାଇଁ ଗୁରୁବାର ନାମାଙ୍କନ ଭରିବେ ଅପରାଜିତା ଷଡ଼ଙ୍ଗୀ ଓ ମନ୍ମଥ ରାଉତରାୟ
  • ||

ଏଠି ପୂଜା ପାଅନ୍ତି ଅସୁରୁଣୀ; ଭୋଗ କି ଫଳମୂଳ ନୁହଁ, ଭକ୍ତ ଚଢ଼ାନ୍ତି ଅସ୍ତ୍ରଶସ୍ତ୍ର

ସିମଲା, ୧୮।୪: ଆମେ ଆପଣଙ୍କୁ ଭାରତରେ ଅନେକ ଦେବାଦେବୀଙ୍କ ମନ୍ଦିର ବିଷୟରେ କହିଛୁ । ଏଥିମଧ୍ୟରୁ ଅନେକ ମନ୍ଦିର ପ୍ରସିଦ୍ଧିଲାଭ କରିଥିବା ବେଳେ କିଛି ମନ୍ଦିର ରହସ୍ୟମୟୀ । ତେବେ ମନ୍ଦିରରେ ସାଧାରଣତଃ ଦେବାଦେବୀ ପୂଜା ପାଉଥିବାର ଆମେ ଶୁଣିଛେ । କିନ୍ତୁ, କୌଣସି ମନ୍ଦିରରେ ଅସୁରୁଣୀ ପୂଜା ପାଉଥିବାର ଶୁଣିଛନ୍ତି କି ? ହିମାଚଳପ୍ରଦେଶର କୁଲ୍ଲୁ ମନାଲିରେ ରହିଛି ହିଡ଼ିମ୍ୱା ଦେବୀଙ୍କ ମନ୍ଦିର । ଦେବୀ ହିଡ଼ିମ୍ୱା ରାକ୍ଷସ ବଂଶଜ । ଏହି ସ୍ଥାନରେ ହିଡ଼ିମ୍ୱା ଅସୁରୁଣୀର ରୂପ ତ୍ୟାଗ କରି ଦେବୀଙ୍କ ରୂପ ନେଇଥିଲେ । ମା’ ହିଡ଼ିମ୍ୱାଙ୍କ ଜନ୍ମସ୍ଥାନ ନାଗାଲ୍ୟାଣ୍ଡର ଦିମାପୁରଠାରେ । ଯାହାର ନାଁ ପୂର୍ବରୁ ହିଡ଼ିମ୍ୱାପୁର ଥିଲା । ମନାଲିର ସହରର ଘନ ଜଙ୍ଗଲର ଢୁଙ୍ଗରୀ ଗାଁରେ ଅବସ୍ଥିତ ମାତା ହିଡ଼ିମ୍ୱାଙ୍କ ମନ୍ଦିର । ଏହି ସ୍ଥାନରେ ବାସ କରନ୍ତି ଡିମାସା ଜନଜାତି । ଯେଉଁମାନେ ନିଜକୁ ଭୀମ ଓ ହିଡ଼ିମ୍ୱାଙ୍କ ବଂଶଜ ବୋଲି କୁହନ୍ତି । 

୧୫୫୫ରେ ହୋଇଥିଲା ମନ୍ଦିରର ନିର୍ମାଣ । ଯାହାର ପ୍ରତିଷ୍ଠା କରିଥିଲେ କୁଲ୍ଲୁର ରାଜା ବାହାଦୂର ସିଂ । ଦେବୀ ହିଡ଼ିମ୍ୱା ହିଁ କୁଲ୍ଲୁ ରାଜାଙ୍କର ରାଜପାଠ କରାଇଥିଲେ ମଧ୍ୟ ବିଶ୍ୱାସ କରାଯାଏ । ୪୦ ଫୁଟ୍ ଉଚ୍ଚର ଏହି ମନ୍ଦିର କାଠରେ ନିର୍ମିତ ହୋଇଥିବା ବେଳେ ଏହି କାଠ ଉପରେ ଅଙ୍କାଯାଇଛି ଅଦ୍ଭୁତ ଚିତ୍ର । ମୁଖ୍ୟଦ୍ୱାରର ଆଗରେ ରହିଛି ଗଣେଶ, ଶିବ, ପାର୍ବତୀ ଓ ନବ ଗ୍ରହର ପ୍ରତିମୂର୍ତ୍ତି । ଏଥିସହ ମନ୍ଦିରରେ ଗୋପୀମାନଙ୍କ ସହ ଭଗବାନ ଶ୍ରୀକୃଷ୍ଣଙ୍କ ନୃତ୍ୟ ମଧ୍ୟ ବର୍ଣ୍ଣିତ ହୋଇଛି । ହିଡ଼ିମ୍ୱା ମନ୍ଦିରରେ ଏକ ବିଶାଳ ଚଟାଣ ରହିଛି । କୁହାଯାଏ ଯେ, ଏହି ଚଟାଣ ତଳେ ଦେବୀ ହିଡ଼ିମ୍ୱା ତପସ୍ୟା କରୁଥିଲେ । ଏବେ ମଧ୍ୟ ଚଟାଣ ତଳେ ମା’ ହିଡ଼ିମ୍ୱାଙ୍କ ଚରଣ ରହିଛି ବୋଲି ବିଶ୍ୱାସ କରାଯାଏ । ଏଠାରେ ମା’ ହିଡ଼ିମ୍ୱା କାଳୀ ଓ ଦୁର୍ଗାଙ୍କ ରୂପରେ ପୂଜା ପାଆନ୍ତି । ଜ୍ୟେଷ୍ଠ ସଂକ୍ରାନ୍ତି ଅବସରରେ ଏଠାରେ ଦେବୀ ହିଡ଼ିମ୍ୱାଙ୍କ ଜନ୍ମୋତ୍ସବ ପାଳନ ହେବା ସହ ପ୍ରତିବର୍ଷ ମେଳାର ଆୟୋଜନ ହୁଏ । ଏହି ମନ୍ଦିର ଆଖପାଖରେ ପାଖାପାଖି ୧୫ ଦେବାଦେବୀଙ୍କ ମନ୍ଦିର ରହିଛି । 

ହିଡ଼ିମ୍ୱା ମନ୍ଦିରର କିଛି ଦୂରରେ ରହିଛି ଘଟୋତ୍କଚଙ୍କ ପୂଜାସ୍ଥଳୀ । ମହାଭାରତ ଯୁଦ୍ଧରେ ଧର୍ମ ସ୍ଥାପନା ପାଇଁ ବଳିଦାନ ଦେଇଥିଲେ ଦେବୀ ହିଡ଼ିମ୍ୱାଙ୍କ ପୁଅ ଘଟୋତ୍କଚ । କୁହାଯାଏ ସବୁକିଛି ହାରିଯିବା ପରେ ନିଜକୁ ରକ୍ଷା କରିବା ପାଇଁ ମାତା କୁନ୍ତୀଙ୍କ ସମେତ ୫ ପାଣ୍ଡବ ଜଙ୍ଗଲକୁ ଚାଲି ଯାଇଥିଲେ । ଏହି ସମୟରେ ଭୀମ ଓ ହିଡ଼ିମ୍ୱାଙ୍କ ଭାଇ ରାକ୍ଷସ ହିଡ଼ିମ୍ୱଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ହିଡ଼ିମ୍ୱ ଯୁଦ୍ଧରେ ପରାସ୍ତ ହୋଇଥିଲା । ଭାଇର ମୃତ୍ୟୁ ପରେ ହିଡ଼ିମ୍ୱାଙ୍କର କେହି ପରିବାର ନଥିବାରୁ ଭୀମ ହିଡ଼ିମ୍ୱାଙ୍କୁ ବିବାହ କରିବାକୁ ମାତା କୁନ୍ତୀ କହିଥିଲେ । ଏହାପରେ ହିଡ଼ିମ୍ୱାଙ୍କ ସହ ଭୀମଙ୍କର ବିବାହ ହୋଇଥିଲା । ଏହାପରେ ହିଡ଼ିମ୍ୱା ତପ ସାଧନା କରି ଅସୁରୁଣୀରୁ ଦେବୀରେ ପରିବର୍ତ୍ତନ ହୋଇଥିଲେ । 

ତେବେ ହିଡ଼ିମ୍ୱା ଦେବୀଙ୍କୁ ଢୁଙ୍ଗୁରୀ ଦେବୀ ବୋଲି ମଧ୍ୟ ସମ୍ୱୋଧନ କରାଯାଏ । ଏଠାରେ ମା’ ହିଡ଼ିମ୍ୱା ଗ୍ରାମଦେବତୀ ରୂପେ ପୂଜା ପାଆନ୍ତି । ସବୁଠାରୁ ଖାସ୍ କଥା ହେଉଛି ଏଠାରେ ଲୋକ ଭୋଗ କି ଫଳମୂଳ ନୁହଁ, ଭକ୍ତମାନେ ମାତା ହିଡ଼ିମ୍ୱାଙ୍କୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଅର୍ପଣ କରିଥାନ୍ତି । ଏହି ହିଡ଼ିମ୍ୱା ମନ୍ଦିରକୁ ଦୂରଦୂରାନ୍ତରୁ ଲୋକେ ମନୋସ୍କାମନା ଲାଗି ଆସନ୍ତି । କୁହାଯାଏ ମା’ ହିଡ଼ିମ୍ୱା ସମସ୍ତଙ୍କ ମନୋସ୍କାମନା ପୂର୍ଣ୍ଣ କରନ୍ତି । କୁଲ୍ଲୁରେ ହିଡ଼ିମ୍ୱା ଦେବୀଙ୍କ ପୂଜାର୍ଚ୍ଚନା ପରେ ହିଁ ଦଶହରା ପର୍ବ ପାଳନ କରାଯାଏ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.