ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଓଡ଼ିଶା, ପଞ୍ଜାବ ଏବଂ ଆନ୍ଧ୍ରପ୍ରଦେଶରେ ୪୬୦୦କୋଟି ଟଙ୍କା ବ୍ୟୟରେ ୪ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍କୁ ଅନୁମୋଦନ ମିଳିଛି । ଯାହାକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶେଷ ଭାବେ ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିବା ପାଇଁ ୨୨୫୦କୋଟି ଟଙ୍କାର ଉପହାର ଦେଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଓଡ଼ିଶାର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ସମେତ ପୂର୍ବ ଭାରତର ବିକାଶ ପାଇଁ ପୂର୍ବୋଦୟ ମିଶନରେ ନୂଆ ଅଧ୍ୟାୟ ଯୋଡି ହୋଇଛି । ଭାରତ ସେମିକଣ୍ଡକ୍ଟର ମିଶନ ଅଧୀନରେ ଭୁବନେଶ୍ୱରରେ ଏକ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫାବ୍ ଏବଂ ଏଟିଏମପି ୟୁନିଟ୍ ପ୍ରତିଷ୍ଠା ହେବ । ଭୁବନେଶ୍ୱରରେ ସେମିକଣ୍ଡକର ୟୁନିଟରେ ସିଲିକନ କାର୍ବାଇଟ୍ ସେମିକଣ୍ଡକ୍ଟର ଉତ୍ପାଦନ ହେବ । ଏଠାରେ ଉତ୍ପାଦନ ହେବାକୁ ଥିବା ସେମିକଣ୍ଡକ୍ଟରର ଉପାଦେୟ ବିଷୟ ଗୁଡ଼ିକ ମିଶାଇଲ, ସ୍ପେଶ, ସାଟେଲାଇଟ୍, ଟେଲିକମ ଟାଓ୍ୱାର ଏବଂ ରେଳ ଇଞ୍ଜିନ କାମରେ ଲାଗିବ । ଆଇଆଇଟି ଭୁବନେଶ୍ୱରର ଗବେଷଣା ଏବଂ ବିକାଶ ପରିସରରେ ଏହାର ଲ୍ୟାବ୍ ପ୍ରତିଷ୍ଠା ହେବ । ଆଇଆଇଟି ଭୁବନେଶ୍ୱରରେ ପ୍ରତିଷ୍ଠିତ ରିସର୍ଚ୍ଚ ପାର୍କ ଏହି ସେମିକଣ୍ଡକ୍ଟର ୟୁନିଟକୁ ଶିକ୍ଷା ଓ ଗବେଷଣାରେ ସହଯୋଗ ପ୍ରଦାନ କରିବ । ଦ୍ୱିତୀୟତଃ ଖୋର୍ଦ୍ଧାର ଇନଫୋ ଭ୍ୟାଲିରେ ଥ୍ରୀଡି ଗ୍ଲାସ ୟୁନିଟ୍ ପ୍ରତିଷ୍ଠା କରିବା ପାଇଁ କ୍ୟାବିନେଟ୍ ମଞ୍ଜୁରି ମିଳିଛି । ଏହି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟରେ ବିଭିନ୍ନ ପ୍ରକାରର ଗ୍ଲାସ୍ ପ୍ୟାନେଲ୍ ନିର୍ମାଣ ହେବ । ଏଠାରେ ଉତ୍ପାଦନ ହେବାକୁ ଥିବା ଚିପ୍ ପ୍ରତିରକ୍ଷା, ରାଡାର, ଏରୋସ୍ପେଶ ଏବଂ ଓୟାରଲେସ୍ ଟେକ୍ନୋଲୋଜି କାମରେ ଲାଗିବ ।
ସେ କହିଛନ୍ତି ଯେ, ଏହି ୟୁନିଟ୍ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ୫୦ଭାଗ, ଓଡ଼ିଶା ସରକାର ୨୫ଭାଗ ଏବଂ ନିବେଶକ ୨୫ପ୍ରତିଶତ ଆର୍ଥିକ ସହାୟକା ପ୍ରଦାନ କରିବେ । ଭୁବନେଶ୍ୱରରେ ସେମିକଣ୍ଡକର ଉତ୍ପାଦନ ୟୁନିଟ ପାଇଁ କେନ୍ଦ୍ର ସରକାର ପ୍ରାୟ ୭୦୦କୋଟି ଏବଂ ଓଡ଼ିଶା ସରକାର ପ୍ରାୟ ୩୫୦ଟଙ୍କା ଦେବେ । ଖୋର୍ଦ୍ଧାରେ ହେବାକୁ ଥିବା ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପାଇଁ କେନ୍ଦ୍ର ସରକାର ପ୍ରାୟ ୮୦୦କୋଟି ଏବଂ ରାଜ୍ୟ ସରକାର ପ୍ରାୟ ୪୦୦କୋଟି ଦେବେ । ଅର୍ଥାତ୍ ଡବଲ ଇଞ୍ଜନ ସରକାର ଏଥିପାଇଁ ସର୍ବମୋଟ ୨୨୫୦କୋଟି ଟଙ୍କା ଦେବେ । ଓଡ଼ିଶା ସରକାର ମଧ୍ୟ ଏଥିପାଇଁ ଜମି, ଜଳ, ବିଜୁଳି ସମେତ ଆନୁଷଙ୍ଗିକ ବ୍ୟବସ୍ଥା କରାଇବା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ପ୍ରଦାନ କରିବେ ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଓଡ଼ିଶାରେ କୋଇଲା, ଖଣି, ଲୁହାପଥର, କ୍ରୋମାଇଟ୍ ସମେତ ଅନ୍ୟାନ୍ୟ ଖଣିଜ ପଦାର୍ଥ ପାଇଁ ପରିଚୟ ପାଇଥିବାବେଳେ ରେଳ, ସଡ଼କପଥ, ବନ୍ଦର ଭିତ୍ତିଭୂମିରେ ପୁଞ୍ଜିନିବେଶ ହେଉଥିଲା । ଡବଲ ଇଞ୍ଜିନ ସରକାରର ପ୍ରୟାସ କାରଣରୁ ନ୍ୟୁ ଏଜ୍ ଇକୋନୋମୀ ବା ନୂଆ ସମୟର ଅର୍ଥନୈତିକ ଦୁନିଆରେ ଓଡ଼ିଶା ଯୋଡିହୋଇଛି । ନ୍ୟୁ ଏଜ୍ ଟେକ୍ନୋଲୋଜି ଆଧାରରେ ଏଠାରେ ସେମିକଣ୍ଡକ୍ଟରର ଦୁନିଆରେ ବହୁତ ବଡ କ୍ଲଷ୍ଟର ତିଆରି ହୋଇପାରିବ । ଆମେ ଯେଉଁ ଅପେକ୍ଷା ରଖିଥିଲେ, ଓଡ଼ିଶାରେ ନୂଆ ସମୟର ଅର୍ଥନୀତି ବିକଶିତ ହେଉ, ସେ ଦିଗରେ ଆଜିର କ୍ୟାବିନେଟ୍ ନିଷ୍ପତି ବଡ ପଦକ୍ଷେପ । ଏହା ଦ୍ୱାରା ଓଡ଼ିଶାରେ ସେମିକଣ୍ଡକ୍ଟର ସହ ଆନ୍ସିଲାରୀ ଇଣ୍ଡଷ୍ଟ୍ରିରେ ଓଡ଼ିଶାର ନୂଆ ପରିଚୟ ହେବ ।
ଆଜିର ପଦକ୍ଷେପ ଡବଲ ଇଞ୍ଜିନ ସରକାରର ପ୍ରତିଫଳନ । ଏହାଦ୍ୱାରା ସେମିକଣ୍ଡକ୍ଟର ବିଶେଷ ଭାବେ ଅଟୋମୋବାଇଲ୍ ଓ ପ୍ରତିରକ୍ଷା କ୍ଷେତ୍ରରେ ସେମିକଣ୍ଡକ୍ଟରର ବହୁଳ ବ୍ୟବହାର ହେବ । ଦୁଇ ବର୍ଷ ମଧ୍ୟରେ ଏହି ୟୁନିଟରୁ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହେବ ହେବ ବୋଲି ଆଶା କରାଯାଉଛି । ଏହି କ୍ଷେତ୍ର ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଘରୋଇ ମୂଲ୍ୟ ବୃଦ୍ଧି ଏବଂ ଆମଦାନୀ ନିର୍ଭରଶୀଳତା ହ୍ରାସ କରି ଓଡ଼ିଶାର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ଏହି ଦୁଇ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ଦ୍ୱାରା ଓଡ଼ିଶାରେ ପାଖାପାଖି ୧୫୦୦ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ହଜାର ହଜାର ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ସେମିକଣ୍ଡକ୍ଟର କ୍ଷେତ୍ରରେ ଆନ୍ସିଲାରି ଇଣ୍ଡଷ୍ଟ୍ରିରେ ବ୍ୟାପକ ଅଭିବୃଦ୍ଧି ହେବ । ଏହାଦ୍ୱାରା ଓଡ଼ିଶାର ଅର୍ଥନୀତିକୁ ବଡ ଗତି ମିଳିବ ବୋଲି ସେ ମତପ୍ରକାଶ କରିଛନ୍ତି ।