ବ୍ରହ୍ମପୁର, ୦୩/୦୬: ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ପୁଣି ରାଗିଂ ଅଭିଯୋଗ । ଏମ୍ବିବିଏସ୍ ୪ର୍ଥ ବର୍ଷ ଛାତ୍ରଙ୍କୁ ଦୁଇ ଜଣ ହାଉସ ସର୍ଜନ୍ (ଏଚ୍ଏସ୍) ରାଗିଂ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଦୁଇ ଏଚ୍ଏସ୍ଙ୍କୁ ୨୫ ହଜାର ଲେଖାଏଁ ଜରିମାନା ଦେବାକୁ ଚିଠି କରାଯାଇଥିବା କହିଛନ୍ତି ଡିନ୍ ପ୍ରଫେସର ଡା. ସୁଚିତ୍ରା ଦାଶ ।
ସେ କହିଛନ୍ତି, ଚତୁର୍ଥ ବର୍ଷ ଛାତ୍ର କାହିଁକି ନମସ୍କାର କରୁନାହାନ୍ତି ଏବଂ କାହିଁକି ସମ୍ମାନ ଦେଉନାହାନ୍ତି ବୋଲି ଦୁଇ ଜଣ ଏଚ୍ଏସ୍ ତାଙ୍କୁ ପଚାରିଥିଲେ । ଏ ନେଇ ପାଟିତୁଣ୍ଡ ହୋଇଥିଲା । ଯଦିଓ ପରବର୍ତ୍ତୀ ସମୟରେ ସେମାନଙ୍କ ବୁଝାମଣା ହୋଇଥିଲା କିନ୍ତୁ ଗତ ୧୩ ତାରିଖରେ ଆଣ୍ଟି ରାଗିଂ ସେଲ୍ ଦିଲ୍ଲୀରୁ ଏକ ଚିଠି ଆସିଥିଲା । ସେଥିରେ ଏହି ଅଭିଯୋଗ ସମ୍ପର୍କରେ ଲେଖାଥିଲା । ସୋମବାର ଡିନ୍ଙ୍କ ଅଧ୍ୟକ୍ଷତାରେ ଏମ୍କେସିଜି ଆଣ୍ଟି ରାଗିଂ ସେଲ୍ ବୈଠକ ହୋଇଥିଲା ।
ଅଭିଯୋଗକାରୀ ଛାତ୍ରଙ୍କୁ ଡାକି ଘଟଣା ସମ୍ପର୍କରେ ପୁଣି ପଚରା ଯାଇଥିଲା । ସେ ଆଣ୍ଟି ରାଗିଂ ସେଲ୍ରେ କୌଣସି ଅଭିଯୋଗ କରିନଥିବା କହିଥିଲେ । ଯେହେତୁ ସେହି ଘଟଣାକୁ ନେଇ ଆଣ୍ଟି ରାଗିଂ ସେଲ୍ରୁ ଚିଠି ଆସିଥିଲା, ତେଣୁ ତଦନ୍ତ କରି ସମ୍ପୃକ୍ତ ଦୁଇ ଏଚ୍ଏସ୍ଙ୍କୁ ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଇନ ଅନୁସାରେ ସେମାନଙ୍କ ଉପରେ ଯାହା କାର୍ଯ୍ୟାନୁଷ୍ଠାନ ନେବାକୁ ଉଲ୍ଲେଖ ରହିଛି ତାହା ନିଆଯିବ । ଏଥିସହ ସମ୍ପୃକ୍ତ ଛାତ୍ରଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଦେଖିବାକୁ ପୁଲିସକୁ ଅନୁରୋଧ କରାଯାଇଛି । ଯେଉଁ ଦୁଇ ଜଣ ଏଚ୍ଏସ୍ଙ୍କ ବିରୋଧରେ ରାଗିଂ ଅଭିଯୋଗ ଆସିଛି ସେମାନେ ବି ଦୋଷ ସ୍ୱୀକାର କରିଛନ୍ତି । ଭବିଷ୍ୟତରେ ଏଭଳି ନ କରିବାକୁ ଲିଖିତ ଭାବେ ଜଣାଇଛନ୍ତି ।
ସୂଚନାଯୋଗ୍ୟ ଯେ, ଦେଶର ସରକାରୀ ମେଡିକାଲ କଲେଜରେ ରାଗିଂରେ ୧ ନମ୍ବରରେ ରହିଛି ଏମ୍କେସିଜି ମେଡିକାଲ କଲେଜ । ଗତ ୩ ବର୍ଷ ମଧ୍ୟରେ ଏମ୍କେସିଜିରୁ ସର୍ବାଧିକ ୨୫ଟି ରାଗିଂ ଅଭିଯୋଗ ହୋଇଛି । ଏହାର ସମାଧାନ ଦିଗରେ କ’ଣ ପଦକ୍ଷେପ ନିଆଯାଇଛି ବୋଲି ଡିନ୍ଙ୍କୁ ପଚରାଯିବାରେ ସେ କହିଛନ୍ତି, କିଛି ମିଛ ଅଭିଯୋଗ ମଧ୍ୟ ହେଉଛି । ତଦନ୍ତ ସମୟରେ କେହି ଅଭିଯୋଗକାରୀ ଆସୁନାହାନ୍ତି । କଲେଜ ପକ୍ଷରୁ ରାଗିଂକୁ ନେଇ ସଚେତନ କରାଯାଉଛି ଏବଂ ରାଗିଂର ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।