କଲ୍ୟାଣସିଂହପୁର,୧୫/୮ : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୋଲମା ପଞ୍ଚାୟତ ପୋଙ୍ଗିଲି ଗ୍ରାମର ନାଗାବଳୀ ନଦୀ ତଟରେ ମାଟି ଅତଡା ଖସି ନାବାଳକର ମୃତ୍ୟୁ ହୋଇଛି । ମୃତକ ହେଲେ ଗ୍ରାମର ଶଙ୍କାରାଓ ହିକକାଙ୍କ ପୁଅ ଧର୍ମା ହିକକା(୬) ।
ସୂଚନାଯୋଗ୍ୟ ଯେ, ଆଜି ମଧ୍ୟାହ୍ନ ସମୟରେ ଧର୍ମା ସମେତ କିଛି ପିଲା ମେଳ ହୋଈ ନଦୀକୁ ଯାଇଥିଲେ । ଜଣଙ୍କ ପରେ ଜଣେ ନଦୀରେ ଡେଇଁ ଖେଳିବା ସମୟରେ ମାଟି ଅତଡ଼ା ଖସି ଯାଇଥିଲା। ଫଳରେ ମାଟି ଭିତରେ ଚାପି ହୋଇ ନାବାଳକ ଧର୍ମା ରହି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଖବରପାଇ କଲ୍ୟାଣସିଂହପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ଏଥିସହ ମୃତଦେହ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଶବ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । ଏହି ଘଟଣାରେ ଗାଁରେ ଶୋକର ଛାୟା ଖେଳିଯାଇଛି ।