ବେଜିଂ, ୦୬/୧୧ : ଏକଦା ସର୍ବାଧିକ ଜନବହୁଳ ଦେଶ ବୋଲାଉଥିବା ଚୀନ୍ ଏବେ ଜନସାଂଖ୍ୟିକ ସଙ୍କଟରେ ଛନ୍ଦିହୋଇ ପଡ଼ିଛି । ଜନସଂଖ୍ୟା ବୃଦ୍ଧି ହାର ରେକର୍ଡ ମାତ୍ରାରେ ଧିମା ପଡ଼ିଛି । ଏହାର ସିଧାସଳଖ ପ୍ରଭାବ ଦେଶର ଅର୍ଥ ବ୍ୟବସ୍ଥା ଉପରେ ପଡ଼ୁଛି । ଏହି ଧାରା ଜାରି ରହିଲେ, ଚୀନ୍ ଆଗକୁ ସାଙ୍ଘାତିକ ସମସ୍ୟାର ସମ୍ମୁଖୀନ ହେବ । ବିବାହ ପାଇଁ ବିମୁଖ ଚୀନ୍ର ଏହି ସଙ୍କଟ ପାଇଁ ସବୁଠୁ ବଡ଼ କାରଣ ସାଜିଛି । ଚୀନ୍ରେ ବର୍ତ୍ତମାନ ବିବାହ କଥା ଉଠିଲେ ଅଧିକାଂଶ ଯୁବପିଢ଼ି ଡରିଯାଉଛନ୍ତି । ବିବାହ କରି ଅଯଥା ସମସ୍ୟାର ସମ୍ମୁଖୀନ ହେବାକୁ ସେମାନେ ଚାହୁଁନାହାନ୍ତି । ବେକାରୀ, ଦରଦାମ ବୃଦ୍ଧି, ଜଟିଳ ଛାଡ଼ପତ୍ର ନିୟମ ଓ କାମ ଚାପ ସେମାନଙ୍କ ମନୋବଳ ଭାଙ୍ଗିଦେଇଛି । ଦେଶରେ ବିବାହ ଖର୍ଚ୍ଚ ଆକାଶଛୁଆଁ ହୋଇଥିବା ବେଳେ ବିବାହ ପରେ ଘର କିଣିବା, ପିଲାଙ୍କ ଲାଳନପାଳନ କରିବା ମୁସ୍କିଲ ହୋଇପଡ଼ିଛି । ରିପୋର୍ଟ ମୁତାବକ, ଚୀନ୍ରେ ନୂଆ ବିବାହ ସଂଖ୍ୟା ସର୍ବନିମ୍ନ ସ୍ତରକୁ ଖସିବାକୁ ଯାଉଛି ।
ଚଳିତବର୍ଷର ପ୍ରଥମ ତିନୋଟି ତ୍ରୈମାସରେ ପ୍ରାୟ ୪୭.୪ ଲକ୍ଷ ନବ ଦମ୍ପତି ସେମାନଙ୍କ ବିବାହ ପଞ୍ଜିକରଣ କରାଇଥିଲେ । ଯାହା କି ଗତବର୍ଷ ସମାନ ଅବଧି ତୁଳନାରେ ୧୬.୬% କମ୍ । ୨୦୨୩ ବର୍ଷର ପ୍ରଥମ ତିନୋଟି ତ୍ରୈମାସରେ ୫୬.୯ ଲକ୍ଷ ନବ ଦମ୍ପତି ବିବାହ ପଞ୍ଜିକରଣ କରାଇଥିଲେ । ଚୀନ୍ର ସିଭିଲ୍ ଆଫେୟାର ମନ୍ତ୍ରଣାଳୟ ଦ୍ୱାରା ଜାରି ତଥ୍ୟ ଅନୁସାରେ, ୨୦୨୨ରେ ମୋଟ ୧.୧୬ କୋଟି ଲୋକ ବିବାହ କରିଥିଲେ । ୨୦୨୧ ତୁଳନାରେ ଏହା ୭ ଲକ୍ଷ କମ୍ ଥିଲା ବେଳେ ୨୦୧୩ର ୨.୩୯ କୋଟି ତୁଳନାରେ ଏହା ପ୍ରାୟ ଅଧା । ବିବାହରେ ଏହି ହ୍ରାସ ଯୋଗୁ ଚୀନ୍ ପାଇଁ ଜନସଂଖ୍ୟା ସହ ଜଡ଼ିତ ନୂଆ ବିପଦ ସୃଷ୍ଟି ହୋଇଛି । ଏହାକୁ ନେଇ ଦେଶରେ ବିତର୍କ ଜାରି ରହିଛି । ଯୁବପିଢ଼ି କାହିଁକି ବିବାହକୁ ମୁହଁ ମୋଡ଼ୁଛନ୍ତି ଏବଂ କି ଉପାୟ କଲେ ସେମାନେ ଏଥିପାଇଁ ଆଗ୍ରହ ଦେଖାଇବେ, ତାହା ନେଇ ଅଙ୍କକଷା ଚାଲିଛି । ୨୦୧୩ରେ ପ୍ରଥମ ଥର ପାଇଁ ଚୀନ୍ରେ ରେକର୍ଡ ମାତ୍ରାର ଲୋକ ବିବାହ କରିଥିଲେ । ସେତେବେଳେ ୧.୩ କୋଟିରୁ ଅଧିକ ନୂଆ ବିବାହ ହୋଇଥିଲା । ତାହା ପରଠାରୁ ନୂଆ ବିବାହ ସଂଖ୍ୟା ତଳମୁହାଁ ହେବାରେ ଲାଗିଛି । ଦେଶର ଜନସଂଖ୍ୟା ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଚଳିତବର୍ଷ ବିବାହ ସଂଖ୍ୟା ସର୍ବନିମ୍ନ ସ୍ତରକୁ ଖସିଆସିବ । ଏମିତି କି ୨୦୨୨ର ରେକର୍ଡ ତଳ ସ୍ତରଠାରୁ ଏହା ଆହୁରି ନିମ୍ନମୁଖୀ ହେବ । ବିବାହରେ ଏଭଳି ଅହେତୁକ ହ୍ରାସ ଯୋଗୁ ଜନ୍ମ ହାର କମୁଛି । ଏହା ଦେଶର ଶ୍ରମଶକ୍ତି ଉପରେ ସିଧାସଳଖ ପ୍ରଭାବ ପକାଉଛି ।
ଦେଶର ଶକ୍ତିଶାଳୀ ମାନୁଫାକଚରିଂ (ବିନିର୍ମାଣ) କ୍ଷେତ୍ର ପାଇଁ ଏହା ବଡ଼ ସମସ୍ୟା ସୃଷ୍ଟି କରିଛି । ଯୁବ ବର୍ଗ ତୁଳନାରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବାରୁ ବିନିର୍ମାଣ କ୍ଷେତ୍ର ଆଗକୁ ନାହିଁ ନ ଥିବା ଶ୍ରମ ସଙ୍କଟର ସମ୍ମୁଖୀନ ହେବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଜନ୍ମ ହାର ହ୍ରାସ ଯୋଗୁ ଚୀନ୍ର ଜନସଂଖ୍ୟା ଲଗାତର ଦୁଇବର୍ଷ ହେଲା ଖସିବାରେ ଲାଗିଛି । ଗତବର୍ଷ ଜନ୍ମ ହାର ଅତି ମାତ୍ରାରେ କମିଥିଲା, ଯାହା ୧୯୪୯ରେ ପିପୁଲ୍ସ ରିପବ୍ଲିକର ସ୍ଥାପନା ପରଠାରୁ ସର୍ବନିମ୍ନ ସ୍ତର । ୨୦୨୨ରେ ଚୀନ୍କୁ ଟପି ଭାରତ ହୋଇଥିଲା ସର୍ବାଧିକ ଜନବହୁଳ ରାଷ୍ଟ୍ର । ଚୀନ୍ରେ ସ୍ୱଳ୍ପ ବିବାହ ଏବଂ ଜନ୍ମ ହାର ହ୍ରାସ ମଧ୍ୟରେ ସିଧାସଳଖ ସମ୍ପର୍କ ଥିବା ଅଧିକାରୀମାନେ ମତ ଦେଇଛନ୍ତି । ସେମାନଙ୍କ ଅନୁସାରେ ସାମାଜିକ ଚଳଣି ଏବଂ ସରକାରୀ ନିୟମ ଯୋଗୁ ପିଲା ଜନ୍ମ କରିବା ଅବିବାହିତ ଦମ୍ପତିଙ୍କ ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି । ଏଭଳି ସ୍ଥିତିରେ ସରକାର ବିବାହକୁ ପ୍ରୋତ୍ସାହନ ଦେବା ପାଇଁ ଏକାଧିକ ପଦକ୍ଷେପ ନେଇଛନ୍ତି । ବିବାହ ଓ ପିଲା ଜନ୍ମ କରିବା ଲାଗି ଯୁବପିଢ଼ିଙ୍କୁ ଉତ୍ସାହିତ କରିବା ଲାଗି ଆର୍ଥିକ ସହାୟତା ଓ ପ୍ରଚାର କରାଯାଉଛି ।
ସରକାରଙ୍କ ପକ୍ଷରୁ ‘ବ୍ଲାଇଣ୍ଡ ଡେଟିଂ’ କାର୍ଯ୍ୟକ୍ରମ, ଗଣ ବିବାହ ଆୟୋଜନ କରାଯାଉଛି । ବର ଘର ପକ୍ଷରୁ କନ୍ୟା ପାଇବା ଲାଗି ବହୁଳ ଖର୍ଚ୍ଚ ପରମ୍ପରାକୁ ସଙ୍କୁଚିତ ପାଇଁ ଉଦ୍ୟମ ହେଉଛି । ଏହି ପରମ୍ପରା ଯୋଗୁ ଗ୍ରାମାଞ୍ଚଳରେ ଅନେକ ଗରିବ ପରିବାରର ପୁରୁଷଙ୍କ ପାଇଁ ବିବାହ ଦୂରସ୍ୱପ୍ନ ପାଲଟିଛି । ୨୦୨୨ ପରଠାରୁ ଚୀନ୍ର ଫ୍ୟାମିଲି ପ୍ଲାନିଂ ଆସୋସିଏସନ ‘ନବ-ଯୁଗ ବିବାହ ଓ ପିଲା ଜନ୍ମ ସଂସ୍କୃତି’ ସୃଷ୍ଟି ନିମନ୍ତେ ପାଇଲଟ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଏଥିରେ ଅନେକ ସହର ସାମିଲ ହୋଇଥିଲେ । ଯୁବପିଢ଼ିଙ୍କୁ ବିବାହ କରିବା ଲାଗି ଉତ୍ସାହିତ କରିବା ଏହାର ଲକ୍ଷ୍ୟ ଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ଏହିସବୁ ନୀତି ଚୀନ୍ର ଯୁବପିଢ଼ିଙ୍କୁ ବୁଝାଇବାରେ ସଫଳ ହୋଇନାହିଁ । ଅତ୍ୟଧିକ ବେକାରୀ ସମସ୍ୟା ସହ ଜୀବନଯାପନ ଖର୍ଚ୍ଚ ବୃଦ୍ଧି ସେମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ସରକାରଙ୍କ ପକ୍ଷରୁ ସେମିତି ଆଖିଦୃଶିଆ ସାମାଜିକ ସ୍କିମ୍ ଲାଗୁ ନ ହେବା ବି ସେମାନଙ୍କୁ ନିରୁତ୍ସାହିତ କରିଛି । ଏଭଳି ସମସ୍ୟା ମଧ୍ୟରେ ଅଧିକାଂଶ ଯୁବପିଢ଼ି ସେମାନଙ୍କ ବିବାହ ଏବଂ ପିଲା ଜନ୍ମକୁ ସ୍ଥଗିତ ରଖିଥିବା ବେଳେ ଆଉ କିଛି ଯୁବକଯୁବତୀ ଆଦୌ ବିବାହ ନ କରିବାକୁ ନିଷ୍ପତ୍ତି ନେଉଛନ୍ତି ।
ବିଶେଷଜ୍ଞଙ୍କ ମୁତାବକ, ପୂର୍ବରୁ ଜନସଂଖ୍ୟା ନିୟନ୍ତ୍ରଣ ଲାଗି ସରକାର ଯେଉଁ ନୀତି ଆଣିଥିଲେ, ତାହା ଯୋଗୁ ବହୁତ କମ୍ ସଂଖ୍ୟକ ଲୋକ ବିବାହ ଉପଯୋଗୀ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ବାହା ହେବାକୁ ଭୟ କରୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ଚୀନ୍ ସରକାର ୨୦୧୫ରେ ଏକକ ସନ୍ତାନ ନୀତିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ । ଦମ୍ପତିଙ୍କୁ ଦୁଇଟି ସନ୍ତାନ ଜନ୍ମ ଲାଗି ଅନୁମତି ଦେଇଥିଲେ । ୨୦୨୧ରେ ଏହା ୩କୁ ବଢ଼ିଥିଲା । ହେଲେ ଉଭୟ ବିବାହ ଏବଂ ଜନ୍ମ ହାର ଲଗାତର ଭାବେ ତଳମୁହାଁ ହୋଇଚାଲିଥିଲା । ସରକାରଙ୍କ ତମାମ ଚେଷ୍ଟା ସତ୍ତେ୍ୱ ବିବାହ ପାଇଁ ଯୁବପିଢ଼ି ରାଜି ନ ହେବା ପଛରେ ଆଉ କିଛି କାରଣ ବି ଦାୟୀ । ଏବେ ଦେଶର ଅଧିକାଂଶ ଯୁବ ବର୍ଗର ମହିଳା ଉଚ୍ଚ ଶିକ୍ଷିତ ହେବା ସହ ଆର୍ଥିକ ଦିଗରୁ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଏହାଯୋଗୁ ସେମାନଙ୍କ ବିବାହ ମାନସିକତା ବଦଳି ଯାଇଛି । ଏହାଛଡ଼ା ୨୦୨୧ ଜାନୁଆରୀରେ ଚୀନ୍ରେ ଛାଡ଼ପତ୍ର ପାଇଁ ୩୦ ଦିନର କୁଲିଂ ଅଫ୍ ପିରିୟଡର ବ୍ୟବସ୍ଥା ହୋଇଥିଲା । ଏହାଦ୍ୱାରା ଛାଡ଼ପତ୍ର ହାର କମିଥିଲା । ଲୋକମାନେ ଏହାକୁ ନକାରାତ୍ମକ ଭାବେ ଗ୍ରହଣ କରିଥିଲେ । ଏହାଦ୍ୱାରା ସ୍ୱାଧୀନତା କ୍ଷୁଣ୍ଣ ହେଉଥିବା ଲୋକେ ଭାବିଥିଲେ । ଛାଡ଼ପତ୍ର ନେବା ସହଜ ନ ଥିବାରୁ ଲୋକେ ବିବାହ କରିବାକୁ ଡରିଥିଲେ ।
ଚୀନ୍ ଭଳି ଜାପାନ ଓ ଦକ୍ଷିଣ କୋରିଆ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିବାହ ଓ ପିଲା ଜନ୍ମ ପାଇଁ ଯୁବପିଢ଼ିଙ୍କୁ ଉତ୍ସାହିତ କରିବା ଲାଗି ଏଠାରେ ଏକାଧିକ ଯୋଜନା କାର୍ଯ୍ୟକାରୀ ହେଉଛି । ଏଥିରେ ଆର୍ଥିକ ପ୍ରୋତ୍ସାହନ, କ୍ୟାସ୍ ଭାଉଚର, ଗୃହ ସବ୍ସିଡି ଏବଂ ପିଲା ଯତ୍ନ ସହାୟତା ଆଦି ଅନ୍ତର୍ଭୁକ୍ତ । କିନ୍ତୁ ଏହିସବୁ ପଦକ୍ଷେପ ଯୁବପିଢ଼ିଙ୍କୁ ଆକର୍ଷିତ କରିବାରେ ବିଫଳ ହୋଇଛି । ୱାର୍ଲଡୋମିଟର ତଥ୍ୟ ମୁତାବକ, ୨୦୨୪ରେ ଭାରତର ମୋଟ ଜନସଂଖ୍ୟା ୧୪୫.୦୯ କୋଟି ଥିବା ବେଳେ ଚୀନ୍ରେ ଏହା ୧୪୧.୯୩ କୋଟି ରହିଛି । ଏହା ପଛକୁ ଆମେରିକା (୩୪.୫୪ କୋଟି), ଇଣ୍ଡୋନେସିଆ (୨୮.୩୪ କୋଟି) ଓ ପାକିସ୍ତାନ (୨୫.୧୨ କୋଟି) ରହିଛନ୍ତି ।