ତେଲକୋଇ,୧୯/୬ : ବରଯାତ୍ରୀ ଉପରେ ପଡ଼ିଗଲା ଆମ୍ବ ଗଛ । ଫଳରେ ଜଣେ ବରଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ କରଦାଙ୍ଗି ଗାଁରେ। ମୃତକ ହେଲେ କତରାପାଲି ଗାଁର ପ୍ରଶାନ୍ତ ବିଶ୍ବାଳ।
ସୂଚନା ଅନୁସାରେ, କତରାପାଲି ଗାଁରୁ ସରେଇ ଗାଁକୁ ବରଯାତ୍ରୀରେ ଯାଉଥିଲେ ପ୍ରଶାନ୍ତ । କରଦାଙ୍ଗି ଗାଁ ମଙ୍ଗଳା କୋଠି ନିକଟରେ ବରଯାତ୍ରୀର ଡିଜେ ଗାଡ଼ିଟି ଆମ୍ବଗଛ ଯୋଗୁଁ ଯାଇ ପାରୁ ନ ଥିବାରୁ ଆମ୍ବଗଛର ଶାଖାକୁ ପ୍ରଶାନ୍ତଙ୍କ ସହ ଅନ୍ୟ କିଛି ବରଯାତ୍ରୀ ଟାଣି ବାହାର କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଗଛଟି ସମ୍ପୂର୍ଣ୍ଣ ଉପୁଡ଼ି ପଡ଼ିଥିଲା। ପରେ ପ୍ରଶାନ୍ତଙ୍କ ଉପରେ ଗଛଟି ପଡ଼ିଯାଇଥିଲା। ଘଟଣାସ୍ଥଳରେ ପ୍ରଶାନ୍ତଙ୍କର ମୃତ୍ୟ ଘଟିଥିଲା । ଲଗାଣ ବର୍ଷା ଯୋଗୁଁ ଆମ୍ବଗଛର ମୂଳଟି ଦୁର୍ବଳ ହୋଇ ପଡ଼ିଥିବାରୁ ଏଭଳି ଏକ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏହି ଘଟଣାକୁ ନେଇ କତରାପାଲି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।