ସଇଁତଳା,୧୯/୬ : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଜୁରାବନ୍ଧ ପଞ୍ଚାୟତରେ ଉନ୍ନୟନ କାମରେ ମହାଦୁର୍ନୀତ ହୋଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ଗଣମାଧ୍ୟମରେ ଲଗାତାର ଖବର ପ୍ରକାଶ ପରେ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି । ସଇଁତଳା ବିଡିଓ ପୁରୁଷୋତ୍ତମ ମିର୍ଦ୍ଧା ଓ ସହକାରୀ ଯନ୍ତ୍ରୀ ସନ୍ତୋଷ ବେହେରାଙ୍କ ଉପସ୍ଥିତିରେ ପଞ୍ଚାୟତ କାର୍ଯାଳୟଠାରେ ପଞ୍ଚାୟତ କର୍ତ୍ତୃପକ୍ଷ ଓ ଅଭିଯୋଗକାରୀଙ୍କ ଉପସ୍ଥିତିରେ ବିଭିନ୍ନ ଫାଇଲର ତଦନ୍ତ ଆରମ୍ଭ ହୋଇଥିଲା । ପରେ ସର୍ଜମିନ ତଦନ୍ତ ଆରମ୍ଭ ହୋଇଥିଲା । ପ୍ରଥମେ ପଞ୍ଚାୟତର କିଉମାଲ ଗ୍ରାମରେ ଖଲିମୁଣ୍ଡା ପୋଖରୀ ଉନ୍ନତିକରଣ ପାଇଁ ପାଣ୍ଠିରୁ ୨ଲକ୍ଷ ଟଙ୍କା ଫାଇଲ ଖୋଲାଯାଇଥିଲା । ଉକ୍ତ ଫାଇଲ୍ ଉପରେ ସର୍ଜମିନ ତଦନ୍ତବେଳେ ଖଲିଆମୁଣ୍ଡା ପୋଖରୀ ନାଁରେ କୌଣସି ପୋଖରୀ ନ ଥିବା ଜଣାପଡ଼ିଥିଲା । ପୋଖରୀ ନାଁରେ ୨ଲକ୍ଷ ଟଙ୍କାର ଫାଇଲ୍ ଚାଷ ହୋଇଥିବା ସ୍ପଷ୍ଟ ହୋଇଥିଲା । ପରେ କିଉମାଲ ଗ୍ରାମରେ ପୁରୁଣା ଚର୍ଚ୍ଚକୁ ଦେଖାଇ କମ୍ୟୁନିଟି ହଲ୍ ନାଁରେ ଏସଏଫସି ପାଣ୍ଠିରୁ ୨ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ଜଣାପଡ଼ିବା ପରେ ସରପଞ୍ଚଙ୍କ ଗୋଷ୍ଠୀ ହୋ ହାଲ୍ଲା କରିଥିଲା । ହୋ ହଲ୍ଲା ହେବା ଫଳରେ ତଦନ୍ତ ବାଧା ସୃଷ୍ଟି ହୋଇଥିଲା । ଫଳରେ ପୁଣି ଅବଶିଷ୍ଟ ତଦନ୍ତ ନେବାକୁ ବିଡିଓ ନିଷ୍ପତ୍ତି ନେଲେ ।
ପ୍ରକାଶ ଯେ, ୨୦୨୨/୨୩/୨୪ ଆର୍ଥିକ ବର୍ଷରେ ଜୁରାବନ୍ଧ ପଞ୍ଚାୟତର ବିଭିନ୍ନ ଉନ୍ନୟନ କାମ ପାଇଁ ଆସିଥିବା ଅନୁଦାନକୁ ଅନେକ କାର୍ଯ୍ୟ ନ କରି କେବଳ ଫାଇଲ୍ ତିଆରି କରି ନକଲି ଜିଏସଟି ବିଲ୍ ସଲଗ୍ନ କରି ଲକ୍ଷାଧିକ ଟଙ୍କାକୁ ପଞ୍ଚାୟତର ସରପଞ୍ଚ କରିଶ୍ମା ନନ୍ଦ ତାଙ୍କ ବାପା ନରେନ୍ଦ୍ର ନନ୍ଦ ବିଭିନ୍ନ କାର୍ଯ୍ୟରେ ଇଟା, ବାଲି, ଗୋଡ଼ି ଇତ୍ୟାଦି ଯୋଗାଣ କରିଥିବା ଶହ ଭେଣ୍ଡର ଦର୍ଶାଇ ୪୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନରେନ୍ଦ୍ର ନନ୍ଦଙ୍କ ଆକାଉଣ୍ଟ ନମ୍ବରରେ ଜମା ହୋଇଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ପ୍ରାପ୍ତ ସୂଚନାରୁ ଜଣାପଡିଥିଲା । ଏହା ଶହ ନରେନ୍ଦ୍ର ନନ୍ଦଙ୍କ ନାଁରେ କୌଣସି ଭେଣ୍ଡର ଲାଇସେନ୍ସ କିମ୍ବା ଫାଇଲରେ ଦେଇଥିବା ବିଲ୍ ରସିଦ ନ କଲି ବୋଲି କଟାବାଞ୍ଝି ଜିଏସଟି ସର୍କଲ କାର୍ଯ୍ୟାଳୟରୁ ଜଣାପଡ଼ିଛି ।