ଖଲ୍ଲିକୋଟ, ୩୧/୦୫: ବେଆଇନ ଦେଶୀ ମଦ ଚୋରା ଚାଲାଣ ହେଉଥିବା ବେଳେ ସୂଚନା ପାଇ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମୁକୁନ୍ଦପୁର ଛକରେ ପୁଲିସ ଚଢ଼ାଉ କରି ୫୨୦ ଲିଟର ଦେଶୀ ମଦ ସହ ଗୋଟିଏ କାରକୁ ଜବତ କରିଥିଲେ। ଏବଂ ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ବେଆଇନ ଦେଶୀ ମଦର କୁଟୀର ଶିଳ୍ପ ପାଲଟିଥିବା ଗୁହାରିଆପାଟରୁ ହରିପୁର କାର ଯୋଗେ ଦେଶୀ ମଦ ଚୋରା ଚାଲାଣ ହେଉଥିବା ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନିର୍ଦ୍ଦେଶରେ ଏସଆଈ ଦେବଦତ୍ତ ପ୍ରିୟଦର୍ଶୀ, କେଶବ ଷଡ଼ଙ୍ଗୀ, ଏଏସଆଈ ହରିକୃଷ୍ଣ ସାମଲ, ଉମା ଚରଣ ପ୍ରଧାନ, କନେଷ୍ଟବଳ ଅଜୟ ବେହେରା, ରମାକାନ୍ତ ନାୟକ ପ୍ରମୁଖ ମୁକୁନ୍ଦପୁର ଛକରେ ଚଢ଼ାଉ କରି ୧୦ ଟି ଅଖା ବସ୍ତାରେ ଥିବା ୫୨୦ ଲିଟର ଦେଶୀ ମଦ ସହ କାରକୁ ଜବତ କରିଥିଲେ।
ଦେଶୀ ମଦ ଚୋରା ଚାଲାଣ କରୁଥିବା ଅଭିଯୋଗରେ ହରିପୁର ଗ୍ରାମର ଶୁକଦେବ ଦାସଙ୍କୁ ଗିରଫ କରିଥିଲେ। ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର ୪୫୪/୨୦୨୫ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିବା ନେଇ ଆଇଆଇସି ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି।