ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଝାଡପଡା ପଞ୍ଚାୟତ ଜଙ୍ଗଲ ଜମିରେ ଗୃହ ନିର୍ମାଣ ମାମଲା, ରାଜ୍ୟ ସରକାରଙ୍କୁ ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍‌ଙ୍କ ନୋଟିସ୍

ରଣପୁର, ୦୨/୦୬ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଝାଡପଡା ପଞ୍ଚାୟତରେ ଜଙ୍ଗଲ ଜମି ଉପରେ ଗୃହ ନିର୍ମାଣ ଓ ଅନ୍ୟ ଏକ ନୂଆ ଘର ନିର୍ମାଣ ମାମଲା। ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍। ଏହି ଘଟଣାର ତଦନ୍ତ ପାଇଁ ମଧ୍ୟ ଏକ କମିଟି ଗଠନ କରାଯାଇଛି। ନୟାଗଡ ଜିଲ୍ଲାପାଳ, ଖୋର୍ଦ୍ଧା ଡିଏଫଓ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ବୈଜ୍ଞାନିକଙ୍କୁ ନେଇ ତିନି ଜଣିଆ କମିଟି ଏହାର ତଦନ୍ତ କରିବ। ଏହି ମାମଲାରେ ରାଜ୍ୟ ସରକାର, ରାଜ୍ୟ ଓ କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ, ରାଜସ୍ଵ ବିଭାଗ ସଚିବ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନୟାଗଡ ଜିଲ୍ଲାପାଳ, ନୟାଗଡ ଏସପି, ରଣପୁର ତହସିଲଦାର, ଝାଡପଡା ପଞ୍ଚାୟତ, ସରପଞ୍ଚ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ନୋଟିସ ଜାରି ହୋଇଛି।

ଝାଡପଡା ଗାଁର ନିତ୍ୟାନନ୍ଦ ଜେନା କିଛି ବର୍ଷ ତଳେ ସେହି ମୌଜାର ଖାତା ନମ୍ବର ୩୮୭, ପ୍ଲଟ ନମ୍ବର ୧୭୯୩ରେ ବେଆଇନ ଭାବେ ଏକ ଗୃହ ନିର୍ମାଣ କରିଥିଲେ। ଏହି ଜମିର ସାବିକ କିସମ ଜଙ୍ଗଲ ଥିବାରୁ ଏଠାରେ ବିନା ଅନୁମତିରେ କୌଣସି ନିର୍ମାଣ କାର୍ଯ୍ୟ କରିହେବ ନାହିଁ କିମ୍ବା ଏହି ଜମି କାହାକୁ ହସ୍ତାନ୍ତର କରାଯାଇପାରିବ ନାହିଁ। ଏହାପରେ ସେହି ଘରକୁ ଝାଡପଡା ପଞ୍ଚାୟତ ଅଫିସ ଭାବେ ବ୍ୟବହାର କରାଗଲା। ଝାଡପଡା ପଞ୍ଚାୟତ ପକ୍ଷରୁ ସେହି ଖାତା ନମ୍ବରରେ ଥିବା ପ୍ଲଟ ନମ୍ବର ୧୭୯୫କୁ ପଞ୍ଚାୟତ ନାମରେ ହସ୍ତାନ୍ତର କରିବାକୁ ରଣପୁର ତହସିଲ ନିକଟରେ ଆବେଦନ କରିଥିଲେ। କିନ୍ତୁ ତହସିଲଦାର ଏହାକୁ ଖାରଜ କରିଥିଲେ। ପଞ୍ଚାୟତ ପକ୍ଷରୁ ପରେ ଉପ-ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରାଯାଇଥିଲା। ତାହା ମଧ୍ୟ ଖାରଜ ହେଲା। ଏହି ଜମିର ସାବିକ କିସମ ଜଙ୍ଗଲ ହୋଇଥିବାରୁ ଏହା ହସ୍ତାନ୍ତର କରାଯାଇପାରିବ ନାହିଁ ବୋଲି ଉପ-ଜିଲ୍ଲାପାଳ ତାଙ୍କ ନିର୍ଦ୍ଦେଶରେ କହିଥିଲେ। ଏହା ବିରୋଧରେ ପଞ୍ଚାୟତ ଓଡ଼ିଶା ହାଇକୋର୍ଟରେ ମଧ୍ୟ ଅପିଲ କରିଥିଲେ। ତାହା ମଧ୍ୟ ଖାରଜ ହୋଇଥିଲା।

ପଞ୍ଚାୟତ ଅଫିସ ପାଇଁ ଆଉ ଏକ ଉପଯୁକ୍ତ ଜାଗା ଚୟନ କରିବାକୁ ହାଇକୋର୍ଟ ପ୍ରସ୍ତାବ ଦେଇଥିଲେ। କିନ୍ତୁ ପଞ୍ଚାୟତ ପକ୍ଷରୁ ପ୍ଲଟ ନମ୍ବର ୧୭୯୩ରେ ଥିବା ଘର ପାଖରେ ଆଉ ଏକ ଗୃହ ନିର୍ମାଣ କରିବାକୁ ଉଦ୍ୟମ କରିବାରୁ ଗ୍ରାମବାସୀ ବିରୋଧ କରିଥିଲେ। ଏହାକୁ ନେଇ ଝାଡପଡା ଗ୍ରାମର ବାସିନ୍ଦା ରବିନ୍ଦ୍ର ପ୍ରଧାନ ଏନଜିଟି ନିକଟରେ ମାମଲା କରିଥିଲେ। ଜଙ୍ଗଲ ଜମି ଉପରେ ବେଆଇନ ନିର୍ମାଣକୁ ଭାଙ୍ଗିବା ସହ ନୂତନ ନିର୍ମାଣ ଉପରେ ରୋକ ଲଗାଇବାକୁ ସେ ପ୍ରାର୍ଥନା କରିଥିଲେ। ଏହି ଆବେଦନକୁ ବିଚାର କରି ସରକାରଙ୍କୁ ନୋଟିସ ଜାରି କରିବା ସହ ତିନି ଜଣିଆ କମିଟି ଏହି ଘଟଣାର ସରଜମିନ ତଦନ୍ତ କରି ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟର ଆଡଭୋକେଟ୍ ଶ୍ରୀ ଅଖଣ୍ଡ ଏହି ମାମଲା ପରିଚାଳନା କରୁଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.