ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଇରାନ ସରକାର ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ଫେରାଇବା ପାଇଁ ଶୁକ୍ରବାର ନିଜ ଆକାଶମାର୍ଗ ଖୋଲିଛି। ‘ଅପରେସନ ସିନ୍ଧୁ’ ଅଧୀନରେ ଭାରତ ସରକାର ପ୍ରାୟ ୧୦୦୦ ଭାରତୀୟ, ମୁଖ୍ୟତଃ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆଜି ରାତିରେ ଦିଲ୍ଲୀରେ ଅବତରଣ କରିବେ। ଇରାନର ଏୟାର ଚାର୍ଟାର୍ଡ ଫ୍ଲାଇଟ୍ ମଶାଦରୁ ଏହି ଉଦ୍ଧାର କାର୍ଯ୍ୟ ପରିଚାଳନା କରୁଛି।
ବୈଦେଶିକ ମନ୍ତ୍ରଣାଳୟ ଜାରି କରିଥିବା ସୂଚନା ଅନୁଯାୟୀ, ଇରାନରେ ପ୍ରାୟ ୪୦୦୦ ଭାରତୀୟ ଫସି ରହିଛନ୍ତି। ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ରହିଛନ୍ତି। ଇସ୍ରାଏଲର ବୈମାନିକ ଆକ୍ରମଣ ପରେ ଇରାନରେ ସୁରକ୍ଷା ସ୍ଥିତି ଖରାପ ହେବାରୁ ଏହି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ବିମାନ ରାତି ୧୧ଟାରେ ଦିଲ୍ଲୀରେ ପହଞ୍ଚିବ ଏବଂ ଶନିବାର ଆଉ ଦୁଇଟି ବିମାନ ଦିଲ୍ଲୀରେ ପହଞ୍ଚିବା ନେଇ ସୂଚନା ରହିଛି।
ଏହା ପୂର୍ବରୁ ତେହେରାନସ୍ଥିତ ଭାରତୀୟ ଦୂତାବାସ ଛାତ୍ରମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲା। ଜୁନ ୧୭ରେ ୧୧୦ ଜଣ ଛାତ୍ରଙ୍କୁ ଆର୍ମେନିଆ ସୀମାନ୍ତ ଦେଇ ଉଦ୍ଧାର କରାଯାଇଥିଲା। ଇରାନ ଓ ଆର୍ମେନିଆର ସହଯୋଗ ପାଇଁ ଭାରତ ଉଭୟ ରାଷ୍ଟ୍ରଙ୍କୁ କୃତଜ୍ଞତା ଜଣାଇଛି।
ଇରାନରେ ଥିବା ଭାରତୀୟମାନଙ୍କୁ ଦୂତାବାସର ହେଲପଲାଇନ ଓ ନୂଆଦିଲ୍ଲୀର ୨୪x୭ କଣ୍ଟ୍ରୋଲ ରୁମ ସହ ଯୋଗାଯୋଗରେ ରହିବାକୁ କୁହାଯାଇଛି। ସଂଘର୍ଷ ଯୋଗୁଁ ଇରାନରେ ଇଣ୍ଟରନେଟ ସେବା ପ୍ରଭାବିତ ହୋଇଥିବାରୁ ଛାତ୍ରମାନେ ପରିବାର ସହ ଯୋଗାଯୋଗ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଇରାନରେ ଥିବା ସମସ୍ତ ଭାରତୀୟ, ବିଶେଷତଃ ଛାତ୍ରମାନଙ୍କୁ ସୁରକ୍ଷିତ ଫେରାଇ ନ ଆଣିବା ଯାଏଁ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ସୂଚନା ଜାରି କରିଛି।