ପୁଣେ: ଏୟାର ଇଣ୍ଡିଆର ଏକ ବିମାନ (ଫ୍ଲାଇଟ୍ ନମ୍ବର AI2470) ଦିଲ୍ଲୀରୁ ପୁଣେ ଆସିବା ପରେ ପକ୍ଷୀ ସହ ଧକ୍କା ହେବା ଯୋଗୁଁ ଏହାର ଫେରିବା ଯାତ୍ରାକୁ ବାତିଲ କରାଯାଇଛି। ଏୟାରଲାଇନ୍ର ବୟାନ ଅନୁଯାୟୀ, ବିମାନଟି ପୁଣେରେ ନିରାପଦରେ ଅବତରଣ କରିଥିଲା, କିନ୍ତୁ ପରୀକ୍ଷା ସମୟରେ ପକ୍ଷୀ ଧକ୍କାର କ୍ଷତି ଚିହ୍ନଟ ହେବା ପରେ ବିମାନଟିକୁ ଗ୍ରାଉଣ୍ଡେଡ୍ କରାଯାଇଛି। ଏହାର ଇଞ୍ଜିନିୟରିଂ ଟିମ୍ ବିସ୍ତୃତ ପରୀକ୍ଷା କରୁଛି। ଏହି ଘଟଣା ପରେ ଏୟାର ଇଣ୍ଡିଆ ଆଉ ୮ଟି ବିମାନ ସେବା ମଧ୍ୟ ବାତିଲ କରିଛି, ଯାହାର କାରଣ ଉନ୍ନତ ରକ୍ଷଣାବେକ୍ଷଣ ଏବଂ ଅପରେସନାଲ୍ ସମସ୍ୟା ବୋଲି କୁହାଯାଇଛି।
ବାତିଲ ହୋଇଥିବା ଅନ୍ୟ ବିମାନ ମଧ୍ୟରେ ୪ଟି ଅନ୍ତର୍ଜାତୀୟ ଏବଂ ୪ଟି ଘରୋଇ ସେବା ରହିଛି, ଯଥା:
AI874: ପୁଣେ-ଦିଲ୍ଲୀ
AI456: ଅହମଦାବାଦ-ଦିଲ୍ଲୀ
AI2872: ହାଇଦ୍ରାବାଦ-ମୁମ୍ବାଇ
AI571: ଚେନ୍ନାଇ-ମୁମ୍ବାଇ
ବାତିଲ ହେବାକୁ ଥିବା ଆନ୍ତର୍ଜାତୀୟ ବିମାନଗୁଡ଼ିକ ହେଉଛି ଦୁବାଇରୁ ଚେନ୍ନାଇକୁ ଯାଉଥିବା AI906, ଦିଲ୍ଲୀରୁ ମେଲବର୍ଣ୍ଣକୁ ଯାଉଥିବା AI308, ମେଲବର୍ଣ୍ଣରୁ ଦିଲ୍ଲୀକୁ ଫେରୁଥିବା AI309 ଏବଂ ଦୁବାଇରୁ ହାଇଦ୍ରାବାଦକୁ ଯାଉଥିବା AI2204 ରହିଛି। ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଏହି ବିମାନ ଗୁଡିକର ଉଡାଣ ବାତିଲ କରାଯାଇଥିବା ନେଇ ସୂଚନା ମିଳିଛି।
ଏହି ବାତିଲଗୁଡ଼ିକ ଗତ ସପ୍ତାହରେ ଅହମଦାବାଦ-ଲଣ୍ଡନ ଫ୍ଲାଇଟ୍ AI171 ଦୁର୍ଘଟଣାରେ ୨୭୦ ଜଣଙ୍କ ମୃତ୍ୟୁ ଘଟିବା ପରେ ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର ଫ୍ଲିଟ୍ ଉପରେ କଡ଼ାକଡ଼ି ସୁରକ୍ଷା ପରୀକ୍ଷା ନିର୍ଦ୍ଦେଶ ଜାରି ହେବା ପରେ ହୋଇଛି। ଏୟାର ଇଣ୍ଡିଆ କହିଛି ଯେ, ଯାତ୍ରୀମାନଙ୍କ ସୁବିଧା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ରିଫଣ୍ଡ କିମ୍ବା ରିସେଡ୍ୟୁଲିଂ ଆଦି ଅନ୍ତର୍ଭୁକ୍ତ ରହିଛି।
ଏହି ଘଟଣା ଏୟାର ଇଣ୍ଡିଆ ପାଇଁ ଏକ କଠିନ ସମୟରେ ଘଟିଛି। କାରଣ ଅହମଦାବାଦ ଦୁର୍ଘଟଣା ପରେ ଏୟାର ଇଣ୍ଡିଆ ଟିକେଟ ବୁକିଂରେ ୨୦% ହ୍ରାସ ପରିଲକ୍ଷିତ ହୋଇଛି। ଏୟାରଲାଇନ୍ ଏବଂ ଭାରତୀୟ ବେସାମରିକ ବିମାନ ଚଳାଚଳ ବିଭାଗ (DGCA) ସୁରକ୍ଷା ନିଶ୍ଚିତ କରିବା ପାଇଁ କଡ଼ା ପଦକ୍ଷେପ ନେଉଛନ୍ତି।