ନୂଆଦିଲ୍ଲୀ: ବିଜେପି ରାଜ୍ୟ ସଭାପତି ତଥା କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାରଙ୍କୁ ଶୁକ୍ରବାର ପୁଲିସ ଅଟକ ରଖିଛି। ତାଙ୍କୁ ଲାଲବଜାର ପୋଲିସ ମୁଖ୍ୟାଳୟକୁ ନିଆଯାଇଚି । ଏହି ଘଟଣା କେବଳ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିନାହିଁ, ବରଂ ବିଜେପି ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ବୃଦ୍ଧି ପାଇଛି। ଶୁକ୍ରବାର ସକାଳେ ସୁକାନ୍ତ ମଜୁମଦାର ବିଜେପି ଦ୍ୱାରା ଆୟୋଜିତ 'ପଶ୍ଚିମବଙ୍ଗ ଦିବସ' କାର୍ଯ୍ୟକ୍ରମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଘର ଆଡ଼କୁ ବାଇକରେ ଯାଉଥିବା ବେଳେ ଏହି ଘଟଣା ଆରମ୍ଭ ହୋଇଥିଲା। ପୁଲିସ ତାଙ୍କୁ ବାଟରେ ଅଟକାଇ ଥିଲା ଏବଂ ଆଗକୁ ଯିବାକୁ ଅନୁମତି ଦେଇ ନଥିଲା ।
ଏହା ସତ୍ତ୍ୱେ ସୁକାନ୍ତ ଆଗକୁ ବଢ଼ଥିଲେ ଏବଂ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ, ସେ ପ୍ରସିଦ୍ଧ ଡାକ୍ତର ରଜତ ଶୁଭ୍ରା ବାନାର୍ଜୀଙ୍କୁ ଭେଟିବାକୁ ଯାଇଥିଲେ । କିନ୍ତୁ ଅପରାହ୍ନରେ ପୁଲିସ ତାଙ୍କୁ ପୁଣି ଥରେ ହରିଶ ମୁଖାର୍ଜୀ ରାସ୍ତାରେ ଅଟକାଇ ଥିଲା। ପୁଲିସ କହିଛି ଯେ, ସୁରକ୍ଷା କାରଣରୁ ତାଙ୍କୁ ଅଟକାଯାଇଥିଲା । ବିଜେପି ଅଭିଯୋଗ କରିଛି ଯେ, ଏହା ରାଜନୈତିକ ପ୍ରଣୋଦିତ । ସୁକାନ୍ତ ମଜୁମଦାରଙ୍କୁ ପ୍ରାୟ ଏକ ଘଣ୍ଟା ପାଇଁ ଗାଡ଼ିରେ ରଖାଯାଇଥିଲା, ତା’ପରେ ତାଙ୍କୁ ଜୋରଜବରଦସ୍ତ ପୋଲିସ ଗାଡ଼ିରେ ବସିବାକୁ ବାଧ୍ୟ କରାଯାଇଥିଲା। ଏହି ସମୟରେ ଡାକ୍ତର ବାନାର୍ଜୀ ମଧ୍ୟ ତାଙ୍କ ଘରୁ ବାହାରକୁ ଆସିଥିଲେ ଏବଂ ତାଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି ।
କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି, ‘ଆମକୁ କାହିଁକି ଅଟକ ରଖାଯାଇଥିଲା ମୁଁ ଜାଣିନାହିଁ। ଏହା ବିଶ୍ୱର କୌଣସି ସ୍ଥାନରେ ଘଟେ ନାହିଁ।’ସେ ଦାବି କରିଛନ୍ତି ଯେ, ତାଙ୍କୁ ଗିରଫ କରାଯାଇ ବିଜେପି ସମର୍ଥକଙ୍କ ସହ କୋଲକାତାର ଲାଲବଜାରରେ ପୁଲିସ ଲକଅପରେ ରଖାଯାଇଛି। ସେପଟେ ଡାକ୍ତର ରଜତ ଶୁଭ୍ରା ବାନାର୍ଜୀ ଗଣମାଧ୍ୟମକୁ କହିଛନ୍ତି ଯେ, ଏହା କେବଳ ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା । ତାଙ୍କ ମାଆ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାକୁ ଉତ୍ସାହିତ ଥିଲେ। କିନ୍ତୁ ଟିଭିରେ ପୁଲିସ ସହିତ ସୁକାନ୍ତ ମଜୁମଦାରଙ୍କୁ ଦେଖି ସେ ଭୟଭୀତ ହୋଇ କାନ୍ଦିବାକୁ ଲାଗିଥିଲେ। ସେ ମୋତେ ତାଙ୍କୁ ଆସିବାରୁ ବାରଣ କରିବାକୁ କହିଥିଲେ ଡାକ୍ତର କହିଥିଲେ।