ନୂଆଦିଲ୍ଲୀ,୨୪।୧: ଗଣତନ୍ତ୍ର ଦିବସ ଉପଲକ୍ଷେ ଚାଲିଛି ସାରା ଦେଶରେ ପ୍ରସ୍ତୁତି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋବ ସୁବିୟାଣ୍ଟୋ । ଶୁକ୍ରବାର ଅପରାହ୍ନରେ ସୁବିଆଣ୍ଟୋ ଭାରତରେ ଆସି ପହଁଞ୍ଚିଛନ୍ତି। ଚାରି ଦିନିଆ ଗସ୍ତ କାର୍ଯ୍ୟକ୍ରମରେ ସୁବିଆଣ୍ଟୋ ଗଣତନ୍ତ୍ର ଦିବସ ପରେଡ୍ରେ ଯୋଗ ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷତ କରିବେ। ଭାରତର ପ୍ରସ୍ତାବ କାରଣରୁ ସେ ପାକିସ୍ତାନର ଗସ୍ତକୁ ରଦ୍ଦ କରିଦେଇଛନ୍ତି। ପ୍ରଥମ ଥର କର୍ତ୍ତବ୍ୟପଥରେ ଇଣ୍ଡୋନେସିଆର ସେନା କରିବେ ପରେଡ୍। ସବୁଠାରୁ ବଡ଼ କଥା ହେଲା ଗଣତନ୍ତ୍ର ଦିବସ ଅବସରେ ମଧ୍ୟ ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣ ମୁଖ୍ୟ ଅତିଥି ଥିଲେ। ଏପର୍ଯ୍ୟନ୍ତ ତିନି ରାଷ୍ଟ୍ରପତି ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହିସାରିଛନ୍ତି। ଏବେ ତାଙ୍କର ଭାରତ ଗସ୍ତ ଏଥିପାଇଁ ଖାସ୍ ରହିଛି, କାରଣ ଶକ୍ତି ସୁରକ୍ଷା, ସ୍ବାସ୍ଥ୍ୟ ସୁରକ୍ଷା ଓ ପ୍ରତିରକ୍ଷା କ୍ଷେତ୍ର ସହିତ ବହୁ ପ୍ରସଙ୍ଗରେ ଡିଲ୍ ହେବର ମଧ୍ୟ ସମ୍ଭାବନା ରହିଛି।
ନିକଟରେ କିଛି ବର୍ଷରେ ଭାରତ ଓ ଇଣ୍ଡୋନେସିଆ ଭିତରେ ରଣନୈତିକ ସମ୍ପର୍କ ଖୁବ୍ ମଜବୁତ ହୋଇଛି। ଜି-୨୦ ଓ ଇଣ୍ଡସ୍- ଅଷ୍ଟେ୍ରଲିଆ-ଇଣ୍ଡୋନେସିଆ ଗ୍ରୁପ ଜରିଆରେ ମଧ୍ୟ ଦୁଇ ଦେଶର ସହଯୋଗରେ ବୃଦ୍ଧି ହୋଇଛି। ରାଷ୍ଟ୍ରପତି ଭାବରେ ଏହା ସୁବିୟାଣ୍ଟୋଙ୍କ ପ୍ରଥମ ଭାରତ ଗସ୍ତ। ଏହା ପୂର୍ବରୁ ୨୦୧୧ରେ ସୁସିଲୋ ବାମବାଙ୍ଗ ୟୁଧୋୟୋନା ଓ ୨୦୧୮ ରେ ଜୋକୋ ଓ୍ବିଡୋଡୋ ମଧ୍ୟ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ରହିସାରିଛନ୍ତି।
ଅଧିକାରୀଙ୍କ କହିବା ଅନୁସାରେ ସୁବିଆଣ୍ଟୋଙ୍କ ଏହି ଭାରତ ଗସ୍ତ ଖୁବ୍ ଗୁରୁତ୍ବପୂର୍ଣ୍ଣ। ଫୁଡ୍ ସିକ୍ୟୁରିଟି, ଏନର୍ଜୀ ସିକ୍ୟୁରିଟି, ହେଲଥ୍ ସିକ୍ୟୁରିଟି, ପ୍ରତିରକ୍ଷା ସହଯୋଗକୁ ନେଇ ଦୁଇ ଦେଶ ଭିତରେ ବହୁ ଚୁକ୍ତି ହୋଇପାର। ଗଣତନ୍ତ୍ର ଦିବସ ସମାରୋହରେ ସାମିଲ ହେବା ପୂର୍ବରୁ ସୁବିଆଣ୍ଟୋ ଓ ପିଏମ୍ ମୋଦି ଶନିବାର ସାକ୍ଷାତ କରିବେ। ଦୁଇ ନେତାଙ୍କ ଭିତରେ ଡିଜିଟାଲ ଟେକ୍ନୋଲୋଜି, ସ୍ବାସ୍ଥ୍ୟ, ସୁରକ୍ଷା ସହ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା ହୋଇପାରେ। ସେଭଳି ବହୁ ଚୁକ୍ତି ହସ୍ତାକ୍ଷର ମଧ୍ୟ ହେବାର ସମ୍ଭାବନା ରହିଛି।