ନୂଆଦିଲ୍ଲୀ,୧୦।୬: ଆତଙ୍କବାଦୀ ଆକ୍ରମଣ ଯଦି ପୁଣିଥରେ ହୁଏ ତେବେ ଭାରତ ଏଥର ପାକିସ୍ତାନ ଭିତରେ ପଶିକି ଆକ୍ରମଣ କରିବ। ପହଲଗାମ୍ ଭଳି ଆକ୍ରମଣମାମଲାରେ ଆତଙ୍କବାଦୀ ସଂଗଠନ ଓ ତାଙ୍କ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପହଲଗାମ୍ ଆତଙ୍କୀ ହମଲାର ଯବାବରେ ଭାରତ ଦ୍ବାରା ହୋଇଥିବା ‘ଅପରେସନ୍ ସିନ୍ଦୂର’ ର ଏକ ମାସ ପରେ ଏଭଳି କିଛି ଚେତାବନୀ ଦେଇଛନ୍ତି ବୈଦଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ଏବେ ସେ ୟୁରୋପ ଗସ୍ତରେ ଅଛନ୍ତି। ସେଠାରୁ ପାକିସ୍ତାନକୁ ଦେଇଛନ୍ତି କଡା ଚେତାବନୀ। ସେ କହିଛନ୍ତି, ପାକିସ୍ତାନରେ ହଜାର ହଜାର ଆତଙ୍କବାଦୀଙ୍କୁ ଖୋଲା ଖୋଲି ଭାବରେ ଟ୍ରେନିଂ ଦିଆଯାଉଛି। ତାଙ୍କୁ ଭାରତକୁ ପଠାଯିବାକୁ ବି ଯୋଜନା କରାଯାଉଛି।’
ସମାଚାର ସଂସ୍ଥା ‘ପଲିଟିକୋ’କୁ ସୋମବାର ସେ କହିଛନ୍ତି, ଆମେ ଏହାକୁ ବରଦାସ୍ତ କରିବୁନି। ପହଲଗାମ୍ ଆକ୍ରମଣ ଭଳି ବର୍ବର କାଣ୍ଡ ଘଟିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆତଙ୍କବାଦୀ ସଂଗଠନ ଓ ଆତଙ୍କବାଦୀଙ୍କ ବିରୋଧରେ ଲଢେଇ ହେବ। ଆମକୁ ଚିନ୍ତା ନାହିଁ ସେମାନେ କେଉଁଠିକାର। ଯଦି ସେମାନେ ପାକିସ୍ତାନ ଭିତରେ ଅଛନ୍ତି, ତେବେ ଆମେ ପାକିସ୍ତାନ ଭିତରେ ପଶି ମାରିବୁ।
ଜୟଶଙ୍କର କହିଛନ୍ତି, ପାକିସ୍ତାନ ଏଭଳି ଏକ ଦେଶ ଯାହାକି ଆତଙ୍କବାଦକୁ ଶାସନର ନୀତି ଭାବରେ ବ୍ୟବହାର କରେ। ‘ଅପରେସନ୍ ସିନ୍ଦୂର’ରେ ଭାରତୀୟ ବାୟୁସେନାର ଫାଇଟର ପ୍ଲେନ୍ ଓ ମିସାଇଲ ପାକିସ୍ତାନ ବାୟୁସେନାର ଅନେକ କ୍ଷତି କରିଛି। ଏହି କାରଣରୁ ପାକିସ୍ତାନକୁ ଶାନ୍ତି ବାର୍ତ୍ତା ପାଇଁ ବାଧ୍ୟ ହେବାକୁ ପଡିଲା। ୧୦ ତାରିଖରେ ଏହି କାରଣରୁ ଯୁଦ୍ଧ ବନ୍ଦ ହେଲା, କାରଣ ଆମେ ୮ ପାକିସ୍ତାନୀ ମୁଖ୍ୟ ଏୟାରବେସ୍ ଉପରେ ଆକ୍ରମଣ କରିଥିଲୁ ଓ ତାକୁ ନିଷ୍କ୍ରିୟ କରିଦେଇଥିଲୁ। ପାକିସ୍ତାନ ରନଓ୍ବେର କିଭଳି ସ୍ଥିତି ହୋଇଥିଲା ତା’ର ଫଟୋ ବି ଏବେ ଗୁଗୁଲରେ ରହିଛି।’