ଦୁବାଇ,୦୬/୧୧: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ସଦ୍ୟ ମହିଳା ଦିନିକିଆ ତାଲିକା ଜାରି କରିଛି । ଏଥିରେ ଭାରତୀୟ ଅଧିନାୟିକା ହର୍ମନପ୍ରୀତ କୌର ଓ ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କ ସ୍ଥାନରେ ଉନ୍ନତୀ ହୋଇଛି । ବ୍ୟାଟିଂ ତାଲିକାରେ ହର୍ମନପ୍ରୀତ ୯ଟି ସ୍ଥାନ ଉଠି ୧୦ମରେ ପହଞ୍ଚିଛନ୍ତି । ସେହିପରି ଦିପ୍ତୀ ଶର୍ମା ଗୋଟିଏ ସ୍ଥାନ ଉଠି ୨୦ ତମ ସ୍ଥାନରେ ରହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଶତକ ସତ୍ତ୍ବେ ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧାନାଙ୍କ ସ୍ଥାନ ସ୍ଥିର ରହିଛି । ସେ ଚତୁର୍ଥ ସ୍ଥାନର ଅଛନ୍ତି । ମାତ୍ର ତାଙ୍କ ରେଟିଂ ପଏଣ୍ଟ ୭୦୩ରୁ ୭୨୮କୁ ବୃଦ୍ଧି ହୋଇଛି ।
ଇଣ୍ଡଲର ନାତାଲି ସ୍କିଭର ବ୍ରଣ୍ଟ ୭୫୬ ଓ ଶ୍ରୀଲଙ୍କାର ଚାମରି ଆଟାପୁଟୁ ୭୩୩ ପଏଣ୍ଟ ସହ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ବୋଲିଂ ମାନ୍ୟତା ତାଲିକାରେ ଇଂଲଣ୍ଡର ସୋଫି ୭୭୦ ପଏଣ୍ଟ, ଭାରତର ଦୀପ୍ତି ୭୦୩ ଆଷ୍ଟ୍ରେଲିଆର ମେଗାନ ସ୍କଟ ୬୮୬ ପଏଣ୍ଟ ସହ ପ୍ରଥମ ୩ ସ୍ଥାନ ବଜାୟ ରଖିଛନ୍ତି । ଭାରତୀୟ ପେସ୍ ବୋଲର ରେଣୁକା ସିଂହ ୪ଟି ସ୍ଥାନ ଉଠି ୩୨ତମ ସ୍ଥାନରେ ପହଞ୍ଚିଛନ୍ତି । ଅଲରାଉଣ୍ଡର ମାନ୍ୟତା ତାଲିକାରେ ଦୀପ୍ତି ୩୭୮ ପଏଣ୍ଟ ସହ ଚତୁର୍ଥ ସ୍ଥାନ ସୁରକ୍ଷିତ ରଖିଛନ୍ତି । ଦକ୍ଷିଣ ଆଫ୍ରିକାର ମାରିଜନେ କାପ, ୱେଷ୍ଟଇଣ୍ଡିଜର ହାୟଲି ମାଥ୍ୟୁସ ଏବଂ ଇଂଲଣ୍ଡର ସ୍କିଭର-ବ୍ରଣ୍ଟ ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନ ବଜାୟ ରଖିଛନ୍ତି ।