ଫିରିଙ୍ଗିଆ, ୦୨/୦୬: କନ୍ଧମାଳ ଜିଲ୍ଲା ସ୍ୱାମୀ ସ୍ତ୍ରୀ ମିଶି ଏକ କାରରେ ଗଞ୍ଜେଇର ଚୋରା ଚାଲାଣ କରୁଥିଲେI କୌଣସି ସୂତ୍ରରୁ ଖବର ପାଇ ମାଡ଼ି ବସିଲା ଫିରିଙ୍ଗିଆ ପୁଲିସ I ପୁଲିସକୁ ଦେଖି ରାସ୍ତା ମଝିରେ ଗଞ୍ଜେଇ ଭର୍ତି କାର ଭିତରେ ସ୍ତ୍ରୀକୁ ଛାଡି ଚମ୍ପଟ ମାରିଲା ସ୍ୱାମୀ I ଶେଷରେ ପୁଲିସ ହାତରେ ଗଞ୍ଜେଇ ସହ ଧରାପଡି ଜେଲ ଗଲା ସ୍ତ୍ରୀ I ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ I
ଗତ କିଛି ଦିନ ହେଲା କନ୍ଧମାଳ ଜିଲ୍ଲା ପୁଲିସ ମୁଖିଆଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାକୁ ଗଞ୍ଜେଇ ମୁକ୍ତ କରିବା ପାଇଁ ଜିଲ୍ଲାରେ ଅପରେସନ ନିଲ ଜହର ଜାରିରହିଥିବା ବେଳେ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ବିଭିନ୍ନ ଜାଗାରେ ଚଢ଼ାଉ କରି ଧରପଗଡ଼ ଜାରି ରହିଛି I ଏହି ପରିପେକ୍ଷୀରେ ଜିଲ୍ଲାର ଅନ୍ୟତମ ଥାନା ତଥା ଗଞ୍ଜେଇ କାରବାରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଥିବା ଫିରିଙ୍ଗିଆ ଥାନା ପୁଲିସ ମଧ୍ୟ୍ୟ ଏହି ଅପରେସନ ନିଲ ଜହର ଅଭିଯାନ ଜାରି ରଖିଛି I
ସୂଚନା ଅନୁସାରେ ଗତ ରବିବାର ଦିନ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ପୁଲିସକୁ ସୂଚନା ମିଳିଥିଲା I ସୂଚନା ମିଳିବା ପରେ ଫୁଲବାଣୀ ସଦର ଏସଡିପିଓ ଶୁଭ୍ରଜିତ ବିଶ୍ୱାଳଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନେତୃତ୍ୱରେ ଥାନାରେ କାର୍ଯ୍ୟରତ ଏସଏଇ ଦୀପକ କୁମାର ରାଉତ, ଏସଆଇ ଅଜୟ କୁମାର ସାହୁ, ଏଏସଆଇ ଶ୍ରୀକାନ୍ତ ପାତ୍ରଙ୍କ ସହ ଏକ ଟିମ ଫିରିଙ୍ଗିଆ ଥାନା ଅଧୀନରେ ଥିବା ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ରାସ୍ତାର କାଳିଆ ସାହି ଶନି ମନ୍ଦିର ନିକଟରେ କାରକୁ ଧରିବା ପାଇଁ ଜଗି ରହିଥିଲେ I ତେବେ ପୁଲିସକୁ ଦେଖି ରାସ୍ତା ମଝିରେ ଡ୍ରାଇଭର ଜଣକ କାରଟିକୁ ଛାଡି ଦେଇ ଫେରାର ହୋଇଯାଇଥିବା ବେଳେ କାର ଭିତରେ ଜଣେ ମହିଳାଙ୍କୁ ଗଞ୍ଜେଇ ସହ ପୁଲିସ ଧରିବାରେ ସଫଳ ହୋଇଥିଲେ I
କାରକୁ ଯାଞ୍ଚ କରିବା ସମୟରେ ଏକ ବସ୍ତାରେ ୨୫ କିଲୋ ଗଞ୍ଜେଇ ବାହାରି ଥିବା ବେଳେ ଫେରାର ଡ୍ରାଇଭର ଓ ଗିରଫ ହୋଇଥିବା ମହିଳା ଜଣକ ସ୍ୱାମୀ ସ୍ତ୍ରୀ ବୋଲି ଜଣାପଡିଥିଲା I ତେବେ ଗିରଫ ମହିଳା ଜଣକ ଫିରିଙ୍ଗିଆ ଥାନା ଜଜେଶପାଙ୍ଗା ପଂଚାୟତ ଅଧୀନରେ ଥିବା ଇର୍ପିପାଙ୍ଗା ଗାଁର ଲତା କହଁର ବୋଲି ଜଣାପଡିଥିବା ବେଳେ ଫେରାର ଡ୍ରାଇଭର ତଥା ଗିରଫ ମହିଳାଙ୍କ ସ୍ୱାମୀଙ୍କ ନାମ ଗୋକୁଳ ଦିଗାଳ ବୋଲି ଜଣାପଡିଛି I ତେବେ ଏହି ଘଟଣାକୁ ନେଇ ଫିରିଙ୍ଗିଆ ଥାନାରେ ୨୯/୨୦୨୫ରେ ଏକ ମାମଲା ରୁଜୁ କରି ରବିବାର ଗିରଫ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଖୁବ ଶୀଘ୍ର ଫେରାର ଡ୍ରାଇଭରଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଘଟଣାର ତଦନ୍ତ ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ଦୀପକ କୁମାର ରାଉତ ସୂଚନା ଦେଇଛନ୍ତି।