ପୁରୀ, ୧୭/୦୭ : ସେତେବେଳେ ପୁଷ୍ପାଳଙ୍କାରରେ ଠାକୁରଙ୍କ ବେଶ ହେଉଥିଲା । ତତ୍କାଳୀନ ରାଜା ଚିନ୍ତା କଲେ ସୁବର୍ଣ୍ଣ ଅଳଙ୍କାରରେ ଠାକୁରଙ୍କୁ ବିଭୂଷିତ କରିବେ । ମନ୍ଦିର ଭଣ୍ଡାର ଘର ଖୋଲାଗଲା । ତିନୋଟି ଭଣ୍ଡାର ଖୋଲିବା ପରେ ୨ଟି କାନ ଫାସିଆ ମିଳିଲା । ସେଥିରୁ ଗୋଟେ କାନ ଫାସିଆକୁ ଟେକିବାକୁ ସେକାଳର ୫୦ରୁ ୬୦ ଜଣ ମଜଭୁତିଆ ମଣିଷ ଲାଗିଥିଲେ । ୧୦୦ରୁ ଉଦ୍ଧ୍ୱର୍ ବ୍ୟକ୍ତି ଲାଗିଥିଲେ ଅଳଙ୍କାର ଦୁଇଟି ଟେକିବାକୁ । ମା’ଆଦିଶକ୍ତିଙ୍କ ୨ଟି କାନ ଫାସିଆରେ ହିଁ ମହାପ୍ରଭୁଙ୍କ ସୁନା ବେଶ ପାଇଁ ଅଳଙ୍କାର ସବୁ ତିଆରି ହୋଇଥିବା କୁହନ୍ତି ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ବିମଳାଙ୍କ ୯୨ ବର୍ଷୀୟ ପୂଜକ ନାରାୟଣ ପଣ୍ଡା ।
ବଡ଼ଦେଉଳ ରହସ୍ୟକୁ ନେଇ ଶ୍ରୀ ପଣ୍ଡା ଆହୁରି କୁହନ୍ତି ପ୍ରାକ୍ ସମୟରେ ଏଠାରେ କେହି ନଥିଲେ । ସେତେବେଳେ ମା’ଆଦିଶକ୍ତି ହିଁ ପୂଜା ପାଉଥିଲେ । ମା’ବିମଳା ହିଁ ହେଉଛନ୍ତି ଆଦିଶକ୍ତି । ଥରେ ଇନ୍ଦ୍ରଦ୍ୟୁମ୍ନ ମହାରାଜା ଓ ମୁନିବର ନାରଦ ଏଠାକୁ ଆସି ଅଷ୍ଟରତ୍ନର ପାହାଡ଼ ଦେଖିଥିଲେ । ଉଭୟେ ଖୋଜିଲେ ପାହାଡ଼ର ମାଲିକ କିଏ! ପରେ ଜାଣିଲେ ପାହାଡ଼ ଗୁମ୍ଫାରେ ମା’ଆଦିଶକ୍ତି ବିରାଜମାନ ହୋଇଛନ୍ତି । ସିଂହ ଉପରେ ଠାକୁରାଣୀ ବିଜେ କରିଥିଲେ । ଉଭୟଙ୍କୁ ଦେଖି ଦେବୀ ତାଙ୍କ ଆଗମନର ଉଦ୍ଦେଶ୍ୟ ପଚାରିଲେ । ନାରଦ କହିଲେ ଇନ୍ଦ୍ରଦ୍ୟୁମ୍ନଙ୍କ ଇଛା ଏଠାରେ ଏକ ମନ୍ଦିର ତୋଳାଇବାକୁ । ଦେବୀ କହିଲେ ଏଥିପାଇଁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ଏଠାକୁ ଆସିବାକୁ ହେବ । ନାରଦ ଓ ଇନ୍ଦ୍ରଦ୍ୟୁମ୍ନ ସ୍ୱର୍ଗଲୋକ ଗମନକରି ତିନି ଦେବଙ୍କୁ ଏକଥା ଜଣାଇଲେ । ଆଦିଶକ୍ତିଙ୍କ ସମ୍ମୁଖକୁ ଯିବାକୁ କାହାରି ସାହାସ ହେଉ ନଥିଲା ।
ପରେ ନିମନ୍ତ୍ରଣ ରକ୍ଷା କରି ଠାକୁରାଣୀଙ୍କ ନିକଟରେ ପହଞ୍ଚିଲେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ନାରଦ ଓ ଇନ୍ଦ୍ରଦ୍ୟୁମ୍ନ । ମନ୍ଦିର ପ୍ରତିଷ୍ଠା ପାଇଁ ମା’ ଆଦିଶକ୍ତିଙ୍କ ଅନୁମତି ମାଗିଲେ । ଠାକୁରାଣୀଙ୍କ ଅନୁମତି ମିଳିଲା । ହେଲେ ଏଥିପାଇଁ ଦେବୀ ସର୍ତ୍ତ ରଖିଲେ । ତାଙ୍କ ଆସ୍ଥାନରେ ମନ୍ଦିର ତୋଳା ପାଇଁ ଭଡ଼ା ମାଗିଲେ ଠାକୁରାଣୀ । ମହାପ୍ରଭୁ ଭଡ଼ା ଦେବାକୁ ରାଜି ହୋଇଗଲେ । ଦେବୀ କହିଲେ ଆପଣଙ୍କୁ ଯେତେ ଥର ଭୋଗ ଲାଗିବ ତାହା ମୋତେ ମଧ୍ୟ ଅର୍ପଣ କରାଯିବ । ଠାକୁରଙ୍କୁ ଭୋଗ ଲାଗିଲେ ତାହା ପ୍ରସାଦ ହେଉଥିବା ସ୍ଥଳେ ପୁନଃ ମା’ଆଦିଶକ୍ତିଙ୍କୁ ସମର୍ପଣ କରାଯିବାରେ ତାହା ମହାପ୍ରସାଦ ଭାବେ ପରିଗଣିତ ହେଲା । ମହାପ୍ରସାଦକୁ ବ୍ରାହ୍ମଣ, କ୍ଷେତ୍ରୀୟ, ବୈଶ୍ୟ ଓ ଶୁଦ୍ର ଏକତ୍ର ଗୋଟିଏ ପତ୍ରରେ ଭକ୍ଷଣ କରିପାରିବେ । ମହାପ୍ରଭୁ ନିଜେ ଏଭଳି ପାଲଟା ସର୍ତ୍ତ ରଖିଥିଲେ । ମନ୍ଦିର ତୋଳା ପାଇଁ ପାହାଡ଼ ଭାଙ୍ଗିଲା ପରେ ସେଥିରୁ ଯେଉଁ ହୀରା, ଲୀଳା, ମାଣିକ୍ୟ ଆଦି ରତ୍ନ ବାହାରିଲା ତାହାକୁ ୫୨ କୋଟି ଭଣ୍ଡାରରେ ରଖାଗଲା । ଆଜିପର୍ଯ୍ୟନ୍ତ କେହି ଏହି ରହସ୍ୟ ଭେଦି ନାହାନ୍ତି । କଳିଯୁଗ ଯୋଗୁଁ ବ୍ରହ୍ମା ଏହାକୁ ଏଭଳି ସ୍ଥାପନା କଲେ ଯେପରି କେହି ଜାଣିପାରିବେନି ବୋଲି କୁହନ୍ତି ମା’ ବିମଳାଙ୍କ ପୂଜକ ଶ୍ରୀ ପଣ୍ଡା ।