ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର କାହାଣୀ ବନ୍ଦ ହେବାର ନାଁ ନେଉନି । ହିନ୍ଦୁ ମାନଙ୍କ ଉପରେ ହିଂସା ପରେ ଏବେ ଜଣେ ସାଧୁଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ହୋଇଥିବା ସାଧୁ ଜଣକ ଚିନ୍ମୟ କୃଷ୍ଣ ପ୍ରଭୂ ବୋଲି କୁହାଯାଉଛି। ମିଥ୍ୟା ଦେଶଦ୍ରୋହ ମାମଲାରେ ଚିନ୍ମୟଙ୍କୁ ଢାକା ବିମାନ ବନ୍ଦରରୁ ଗିରଫ କରାଯାଇଛି। ଚଳିତ ବର୍ଷ ଅଗଷ୍ଟ ୫ ରେ ଶେଖ ହାସିନାଙ୍କ ନେତୃତ୍ୱାଧୀନ ସରକାର ପତନ ପରଠାରୁ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ବାଂଲାଦେଶ ସନାତନ ଜାଗରଣ ମଞ୍ଚର ନେତା ଚିନ୍ମୟ ଆଗରେ ରହିଆସିଛନ୍ତି।
ଏହା ପୂର୍ବରୁ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରି ଏବଂ ଅନ୍ୟମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା, ଯାହାକୁ ନେଇ ବାଂଲାଦେଶର ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ଖେଳିଯାଇଥିଲା। ବ୍ରହ୍ମଚାରି, ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ସହ ଅକ୍ଟୋବର ୨୫ ରେ ଚଟଗାଓଁ ନୂଆ ମାର୍କେଟ ଛକ ଠାରେ ବାଂଲାଦେଶର ଜାତୀୟ ପତାକା ଉପରେ ଗେରୁଆ ପତାକା ଉଡାଇଥିଲେ । ଆଉ ଅକ୍ଟୋବର ୩୦ରେ ପୋଲିସ ତାଙ୍କ ବିରୋଧରେ ବିଭିନ୍ନ ବିଭାଗ ଅଧୀନରେ ମାମଲା ରୁଜୁ କରିଥିଲା
ତେବେ ଏହି ପତାକାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ଗେପୁଆ ପତାକାକୁ ହଟାଯାଇଥିଲା । ଚାର୍ଜସିଟରେ ବ୍ରହ୍ମଚାରି ଏବଂ ଅନ୍ୟମାନେ ଜାତୀୟ ପତାକାକୁ ଅପମାନିତ କରି ଦେଶଦ୍ରୋହରେ ଲିପ୍ତ ଥିବାର ଅଭିଯୋଗ ହୋଇଛି। ସେ ଦେଶର ସାର୍ବଭୌମତ୍ୱକୁ ଦୁର୍ବଳ କରି ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି।