ଡେରାଡୁନ, ୭/୬ : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହାଇୱେରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ହେଲିକପ୍ଟର। କେଦାରନାଥ ପାଇଁ ଉଡ଼ାଣ ଭରିଥିବା ଏକ ହେଲିକପ୍ଟର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବଡାସୁ ନିକଟ ହାଇୱେରେ ଜରୁରୀକାଳୀନ ଅବତରଣ କରିଛି। ଏହି ହେଲିକପ୍ଟରରେ ୫ ଯାତ୍ରୀ ସବାର ଥିଲେ। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସମସ୍ତଙ୍କ ଜୀବନ ରକ୍ଷା ହୋଇଛି। ଏକ ବଡ଼ ଧରଣର ଅଘଟଣ ଅଳ୍ପକେ ଟଳିଯାଇଛି। ତେବେ ହେଲିକପ୍ଟରର ପଛ ଭାଗ ଭାଙ୍ଗି ଯାଇଛି। ହାଇୱେରେ ହେଲିକପ୍ଟରଟି ଧକ୍କା ହେବା ଯୋଗୁଁ ଏକ ଗାଡି କ୍ଷତିଗ୍ରସ୍ତ ହୋଇଛି। ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି।
ଚାରିଧାମ ଯାତ୍ରା ଆରମ୍ଭ ହେବା ପରେ ଏହା ଚତୁର୍ଥ ହେଲିକପ୍ଟର ଦୁର୍ଘଟଣା। ଏହା ପୂର୍ବରୁ କେଦାରନାଥ ହେଲିପ୍ୟାଡ ନିକଟରେ ଏକ ହେଲିକପ୍ଟର ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା। ଯେଉଁଥିରେ ଦୁଇ ଜଣ ଏମ୍ସ ଡାକ୍ତର ଏବଂ ପାଇଲଟ ଅଳ୍ପକେ ବର୍ତ୍ତିଥିଲେ। ସେହିପରି ଗତ ମେ ମାସ ୮ ତାରିଖରେ ଗଙ୍ଗୋତ୍ରୀ ଧାମ ଯାଉଥିବା ଏକ ହେଲିକପ୍ଟର ଗଙ୍ଗନାନି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୫ ମହିଳାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଜଣେ ଗୁରୁତର ଆହତ ହୋଇଥିଲେ। ଏବେ ପୁଣି ଥରେ ଆଉ ଏକ ହେଲିକପ୍ଟର ହାଇୱେରେ ଜରୁରୀ ଅବତରଣ କରିଛି। ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।