ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ତୈଳ କମ୍ପାନିଙ୍କୁ ମିଳିବ ୩୫,୦୦୦ କୋଟିର ସବ୍‌ସିଡି, ଘରୋଇ ଏଲ୍‌ପିଜି ବିକ୍ରି ଉପରେ ହୋଇଥିବା କ୍ଷତିର ଭରଣା ହେବ

Published By : Prameya | January 10, 2025 9:57 AM

ନୂଆଦିଲ୍ଲୀ,୧୦/୦୧: ଚଳିତ  ଆର୍ଥିକବର୍ଷ ଇନ୍ଧନ ବିକ୍ରିରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ସହିଥିବା  କ୍ଷତିଭରଣା ପାଇଁ କେନ୍ଦ୍ର ସରକାର ସେମାନଙ୍କୁ ୩୫,୦୦୦ କୋଟି ଟଙ୍କାର ସବ୍‌ସିଡି ଯୋଗାଇଦେବେ ।  

ଭାରତୀୟ ତୈଳ ନିଗମ(ଆଇଓସି), ଭାରତ ପେଟ୍ରୋଲିୟମ କର୍ପୋରେଶନ୍‌ ଲିମିଟେଡ୍‌(ବିପିସିଏଲ୍‌) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେଶନ୍‌  ଲିମିଟେଡ୍‌(ଏଚ୍‌ପିସିଏଲ୍‌) ୨୦୨୪  ମାର୍ଚ୍ଚରୁ ୧୪.୨ କିଲୋଗ୍ରାମଯୁକ୍ତ ଘରୋଇ ଏଲ୍‌ପିଜି ଦରକୁ ସିଲିଣ୍ଡର  ପିଛା ୮୦୩ ଟଙ୍କାରେ ଅପରିବର୍ତ୍ତିତ ରଖିଛନ୍ତି । କଞ୍ଚାମାଲ ଦର ବୃଦ୍ଧି ସତ୍ତେ୍ୱ କମ୍ପାନିଗୁଡ଼ିକ ଦରରେ କୌଣସି  ପରିବର୍ତ୍ତନ କରିନାହାନ୍ତି ।ଫଳରେ ଏଲ୍‌ପିଜି ବିକ୍ରିରେ କ୍ଷତି ସହିଛନ୍ତି । ଏଥିଯୋଗୁ ୨୦୨୪-୨୫ ଆର୍ଥିକବର୍ଷର  ପ୍ରଥମାର୍ଦ୍ଧରେ କମ୍ପାନିଗୁଡ଼ିକର ଆୟରେ ବଡ଼ ହ୍ରାସ ଘଟିଛି ।  

ଚଳିତ ଆର୍ଥିକବର୍ଷ ଏଲ୍‌ପିଜି  ବିକ୍ରିରେ କମ୍ପାନିଗୁଡ଼ିକର କ୍ଷତି ପ୍ରାୟ  ୪୦,୫୦୦ କୋଟି ଟଙ୍କା ରହିବ ବୋଲି ଅନୁମାନ କରାଯାଇଛି । ଏହାର ଭରଣାପୂର୍ବକ କେନ୍ଦ୍ର ସରକାର ୩୫,୦୦୦  କୋଟି ଟଙ୍କା ପ୍ରଦାନ କରିବେ । ଦୁଇଟି  ଆର୍ଥିକବର୍ଷରେ ଏହି ରାଶି ଯୋଗାଇ ଦିଆଯିବ ବୋଲି ପ୍ରକ୍ରିୟା ସହ ଜଡ଼ିତ  ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।  

ଅଧିକାରୀଜଣକ କହିଛନ୍ତି ଯେ, ଆଇଓସି, ବିପିସିଏଲ୍‌ ଏବଂ ଏଚ୍‌ପିସିଏଲ୍‌  ଚଳିତ ଆର୍ଥିକବର୍ଷରେ ୧୦,୦୦୦ କୋଟି  ଟଙ୍କା ଏବଂ ପରବର୍ତ୍ତୀ ଆର୍ଥିକବର୍ଷରେ  ଅବଶିଷ୍ଟ ୨୫,୦୦୦ କୋଟି ଟଙ୍କା  ପାଇବେ । ଫେବ୍ରୁଆରୀ ୧ରେ ଅର୍ଥମନ୍ତ୍ରୀ  ନିର୍ମଳା ସୀତାରମଣ ୨୦୨୫-୨୬  ଆର୍ଥିକବର୍ଷର ବଜେଟ୍‌କୁ ଉପସ୍ଥାପନ  କରିବାକୁ ଯାଉଛନ୍ତି । ଏଥିରେ ଏହି  ସବ୍‌ସିଡି ବ୍ୟବସ୍ଥା କରାଯିବ । ବର୍ତ୍ତମାନ  ୧୪.୨ କିଲୋଗ୍ରାମଯୁକ୍ତ ଘରୋଇ  ଏଲ୍‌ପିଜି ସିଲିଣ୍ଡର ୮୦୩ ଟଙ୍କାରେ  ବିକ୍ରି କରାଯାଉଛି । ସୂତ୍ରରୁ ଜଣାଯାଇଛି  ଯେ, ସିଲିଣ୍ଡର ପିଛା କମ୍ପାନିଗୁଡ଼ିକ ପ୍ରାୟ  ୨୪୦ ଟଙ୍କାର କ୍ଷତି ସହୁଛନ୍ତି । ଉଚ୍ଚ  ବଜାର ଦରରୁ ଖାଉଟିଙ୍କୁ ଆଶ୍ୱସ୍ତି ଦେବା  ପାଇଁ ଘରୋଇ ଏଲ୍‌ପିଜି ଦର କେନ୍ଦ୍ର  ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ରହିଛି ।  

ନିୟନ୍ତ୍ରିତ ଦର ସାଉଦି ସିପି(ଘରୋଇ  ଏଲ୍‌ପିଜିର ଦର ନିର୍ଦ୍ଧାରଣ ପାଇଁ  ବ୍ୟବହାର ହେଉଥିବା ଅନ୍ତରାଷ୍ଟ୍ରୀୟ  ମାପକ)ଠାରୁ କମ୍‌ । ଏଥିପାଇଁ ଇନ୍ଧନ  ଯୋଗାଣକାରୀମାନେ ଏଲ୍‌ପିଜି ବିକ୍ରିରେ  କ୍ଷତି ସହୁଛନ୍ତି ।  ନିୟମିତ ବ୍ୟବଧାନରେ କେନ୍ଦ୍ର  ସରକାର ଆଇଓସି, ବିପିସିଏଲ୍‌ ଏବଂ ଏଚ୍‌ପିସିଏଲ୍‌କୁ ସେମାନଙ୍କ କ୍ଷତିଭରଣା  କରିଥାନ୍ତି । ୨୦୨୧-୨୨ ଏବଂ ୨୦୨୨- ୨୩ରେ ଏହି କମ୍ପାନିତ୍ରୟଙ୍କୁ ୨୨,୦୦୦  କୋଟି ଟଙ୍କାର ସବ୍‌ସିଡି ପ୍ରଦାନ  କରାଯାଇଥିଲା । ଆଲୋଚ୍ୟ ସମୟରେ  କମ୍ପାନି ତ୍ରୟଙ୍କ କ୍ଷତି ପରିମାଣ ଥିଲା  ୨୮,୨୪୯ କୋଟି ଟଙ୍କା ।  

ଚଳିତ ଆର୍ଥିକବର୍ଷ ପାଇଁ ଏହି  କମ୍ପାନି ତ୍ରୟ ୪୦,୫୦୦ କୋଟି  ଟଙ୍କାର କ୍ଷତି ସହିବେ ବୋଲି ଆକଳନ  କରାଯାଇଥିବାବେଳେ ଏଥିମଧ୍ୟରୁ ଆଇଓସିର ଅଂଶ ୧୯,୫୫୦ କୋଟି  ଟଙ୍କା, ଏଚ୍‌ପିସିଏଲ୍‌ର ୧୦,୫୭୦  କୋଟି ଏବଂ ବିପିସିଏଲ୍‌ର ୧୦,୪୦୦  କୋଟି ଟଙ୍କା ରହିପାରେ ବୋଲି ଅନୁମାନ  କରାଯାଇଛି ।  

ପ୍ରକାଶଯୋଗ୍ୟ, ୨୦୨୪ ମାର୍ଚ୍ଚ ୯ରୁ  ଘରୋଇ ଏଲ୍‌ପିଜି ଦର ଅପରିବର୍ତ୍ତିତ  ରହିଛି । ସାଧାରଣ ନିର୍ବାଚନ ଘୋଷଣାର  ଠିକ୍‌ ପୂର୍ବରୁ ୧୪.୨ କିଲୋଗ୍ରାମ  ସିଲିଣ୍ଡର ପିଛା ଦର ୧୦୦ ଟଙ୍କା ହ୍ରାସ  କରାଯାଇଥିଲା । ସୂତ୍ର ଅନୁସାରେ,  ୨୦୨୪ରେ ଅନ୍ତର୍ଜାତୀୟ ବଜାରରେ ଏଲ୍‌ପିଜି ଦର ଉଚ୍ଚ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.