ପ୍ରମୂଖ ଖବର
  • ଯାଜପୁର : ଟ୍ରାନ୍ସଫର୍ମର ଚୋରି ଗ୍ୟାଙ୍ଗ ଗିରଫ, କାର୍ ସହ ବହୁ ସାମଗ୍ରୀ ଜବତ
  • ||
  • ଗଞ୍ଜାମ : ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା, ଘର ଭିତରେ ପଡ଼ିଛି ରକ୍ତାକ୍ତ ମୃତଦେହ
  • ||
  • ମାଲକାନଗିରି : ଧମତରି ଜିଲ୍ଲାରେ ମାଓ ଡମ୍ପ୍ ଠାବ, ଲ୍ୟାଣ୍ଡମାଇନ୍‌ ଏବଂ ବୋମା ଜବତ
  • ||
  • ଗାଧୋଇବା ବେଳେ ଅଘଟଣ, ଚନ୍ଦ୍ରଭାଗାରେ ବୁଡ଼ି ଯାଉଥିବା ପର୍ଯ୍ୟଟକ ଉଦ୍ଧାର
  • ||
  • ଓଡିଶା-ପଶ୍ଚିମବଙ୍ଗ ସୀମାରେ ହାଇ ଆଲର୍ଟ, ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲୁ ରହିବ ପ୍ରକ୍ରିୟା
  • ||
  • ଛତ୍ରପୁର : ମାଛ ଧରୁଥିବା ବେଳେ ଅଘଟଣ, ପାଣିରେ ବୁଡି ମତ୍ସ୍ୟଜୀବୀଙ୍କ ମୃତ୍ୟୁ
  • ||

ଅକ୍ଷୟ ତୃତୀୟାରେ ରାଜ୍ୟରେ ୧୭୫ କୋଟିର ସୁନା ବିକ୍ରି

Published By : Prameya | May 1, 2025 12:19 PM

ଭୁବନେଶ୍ୱର, ୦୧/୦୫ : ଅକ୍ଷୟ ତୃତୀୟାରେ ସୁନା କିଣିବାର ପୁରୁଣା ପରମ୍ପରା ରହିଆସିଛି। ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରକୁ ସମୃଦ୍ଧି ଆସେ ବୋଲି ବିଶ୍ୱାସ ରହିଛି। ଏଥର ଏହି ପବିତ୍ର ପର୍ବରେ ସୁନା ଦର ଚଢ଼ା ରହିଛି । ତେଣୁ ବିକ୍ରି ପରିମାଣ କମିଛି । ଲୋକେ ହାଲୁକା ଗହଣାରେ କାମ ଚଳାଇଛନ୍ତି । ତେବେ ବିକ୍ରି ପରିମାଣ କମ୍‌ ଥିଲେ ବି ଉଚ୍ଚ ଦର ଯୋଗୁ ବେପାର ପୂର୍ବ ବର୍ଷ ପାଖାପାଖି ରହିଛି । ଏ ବର୍ଷ ଅକ୍ଷୟ ତୃତୀୟାରେ ରାଜ୍ୟବାସୀ ପ୍ରାୟ ୧୭୫ କୋଟି ଟଙ୍କାର ସୁନା କିଣିଥିବା ବଜାର ସୂତ୍ରରୁ ଜଣାପଡ଼ିଛି । ପାଗ ଭଲ ରହିଥିଲା । ଆଶା ଥିଲା ସୋ’ରୁମ୍‌ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ବଢ଼ିବ । ତେବେ ଉଚ୍ଚ ଦର ଯୋଗୁ ଏ ବର୍ଷ ସେଭଳି ଖଚାଖଚ ଭିଡ଼ ଦେଖିବାକୁ ମିଳି ନଥିବା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି । 

ପୂର୍ବବର୍ଷ ତୁଳନାରେ ଏ ବର୍ଷ ସୁନା ଦରରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । ଗତବର୍ଷ ଅକ୍ଷୟ ତୃତୀୟାରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍‌ ସୁନା ଦର ଥିଲା ପ୍ରାୟ ୬୬,୦୦୦ ଟଙ୍କା । ଏ ବର୍ଷ ଏହା ୯୦,୦୦୦ ନିକଟତର । ୨୪ କ୍ୟାରେଟ୍‌ ସୁନା ଦର ଲକ୍ଷେ । ତେଣୁ ସାଧାରଣ ଲୋକେ ହାଲୁକା ଗହଣା କିଣି ଅକ୍ଷୟ ତୃତୀୟା ପରମ୍ପରାକୁ ବଜାୟ ରଖିଥିବା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି । ରୁପା ସାମଗ୍ରୀ ମଧ୍ୟ ଭଲ ଆକାରରେ ବିକ୍ରି ହୋଇଛି । ଅକ୍ଷୟ ତୃତୀୟା ଅଫରରେ ଗ୍ରାହକ ବିବାହ ଗହଣା ମଧ୍ୟ କିଣିଥିବା ଏମାନେ ପ୍ରକାଶ କରିଛନ୍ତି । ସୁନା ଦର ଯେଉଁଭଳି ଭାବେ ବଢ଼ିଚାଲିଛି ଆଗକୁ ଏହା ମଜଭୁତ ରିଟର୍ଣ୍ଣ ଦେବ ବୋଲି ଅବଗତ ଅଛନ୍ତି ଗ୍ରାହକ । ବର୍ଷକୁ ବର୍ଷ ଏହା ୩୦%ରୁ ଅଧିକ ଲାଭ ଦେଉଛି । ତେଣୁ ନିବେଶ ଉଦ୍ଦେଶ୍ୟରେ ବି ସୁନା କିଣୁଛନ୍ତି ଗ୍ରାହକ । 

ଅକ୍ଷୟ ତୃତୀୟା ଅଫରର ଲାଭ ଉଠାଇ ଏମାନେ ସୁନାରେ ନିବେଶ କରୁଥିବା ଗହଣା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି । ଲାଲଚାନ୍ଦ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି, ଆଜି ଦିନରେ ଖରା ଥିବାରୁ ଦିନ ତୁଳନାରେ ବେଶି ଲୋକ ସଂଧ୍ୟାରେ ସୋ’ରୁମ ଆସି ଗହଣା କିଣାକିଣି କରିଥିଲେ । ହାଲୁକା ଗହଣାଗୁଡ଼ିକର କାରବାର ବେଶ ଉନ୍ନତ ରହିଛି । ଗ୍ରାହକଙ୍କ ପସନ୍ଦକୁ ନଜରରେ ରଖି ଆମେ ହାଲୁକା ଡାଏମଣ୍ଡ ଏବଂ ସୁନା ଗହଣାର ନୂଆ ଡିଜାଇନ ପ୍ରସ୍ତୁତ କରିଛୁ । ମୁଦି, କାନଫୁଲ, ଚେନ୍‌ ଏବଂ ହାଲୁକା ହାର ଲୋକେ କିଣୁଛନ୍ତି । ଏସବୁ ବର୍ଗରେ ବେଶି ଡିଜାଇନ ଲୋକଙ୍କ ପସନ୍ଦ ଆସିଛି । ଯେଉଁ ଗ୍ରାହକ ଆଗୁଆ ଗହଣା ବୁକିଂ କରିଥିଲେ ତା’ର ଲାଭ ଉଠାଇ ଆଜି ଗହଣା କ୍ରୟ କରିଛନ୍ତି । ପୂର୍ବ ବର୍ଷ ଅପେକ୍ଷା ସୁନା ଗହଣା ଦର ଉଚ୍ଚା ରହିଛି । ଏହା ଲୋକଙ୍କ କ୍ରୟ ଉପରେ ପ୍ରଭାବ ପକାଇଛି । ତେବେ ପୂର୍ବ ବର୍ଷ ଅପେକ୍ଷା ଆମ କାରବାର ସମାନ ରହିପାରେ । ଦର ବଢ଼ୁଥିବାରୁ ଲୋକେ ସୁନାରେ ନିବେଶ କରିବାର ପ୍ରକୃଷ୍ଟ ସମୟ ରହିଛି । ଲୋକଙ୍କୁ ଦରବୃଦ୍ଧି ଚାପରୁ ଆଶ୍ୱସ୍ତି ଦେବା ଲାଗି ଆମେ ବିଭିନ୍ନ ଅଫର ଦେଉଛୁ । ଗଢ଼ା ମଜୁରିଠାରୁ ଆରମ୍ଭ କରି ଅନ୍ୟ ଅଫରର ଲାଭ ସୋ’ରୁମ ପରିଦର୍ଶନ କରି ନେଇପାରିବେ ବୋଲି ଶ୍ରୀ ହଂସ ଉଲ୍ଳେଖ କରିଛନ୍ତି । 

ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଏମଣ୍ଡ୍‌ସର ମାର୍କେଟିଂ ମ୍ୟାନେଜର ସିଦେ୍ଧଶ୍ୱର ରଥ କହିଛନ୍ତି, ଅକ୍ଷୟ ତୃତୀୟା ପାଇଁ ସୋ’ରୁମ ୮.୩୦ରେ ଖୋଲିଥିଲା । ଗ୍ରାହକଙ୍କ ଭିଡ଼କୁ ଏଡାଇବା ଲାଗି ଅତିରିକ୍ତ କ୍ୟାସ୍‌ କାଉଣ୍ଟର ସହ ପାର୍କିଂ ବ୍ୟବସ୍ଥା କରାଯାଇଥିଲା । ସୋ’ରୁମରେ ପୂର୍ବବର୍ଷଗୁଡ଼ିକ ଭଳି ଏତେଟା ଭିଡ଼ ଦେଖିବାକୁ ମିଳିନି । ସ୍ୱାଭାବିକ ସ୍ତରଠାରୁ ଟିକିଏ ଅଧିକ ଗ୍ରାହକ ଆସିଥିଲେ । ସୋ’ରୁମ ରାତି ୧୦ଟା ଯାଏ ଖୋଲା ରହିଥିଲା । ଲୋକେ ହାଲୁକା ଏବଂ ଛୋଟ ଗହଣା କିଣିବାକୁ ବେଶ ପସନ୍ଦ କରିଛନ୍ତି । ପୂର୍ବରୁ ଯେଭଳି ଭାରୀ ଗହଣା ବିକ୍ରି ରହିଥିଲା ସେଭଳି ଏ ବର୍ଷ ଦେଖାଯାଇନାହିଁ । ଦର ଉଚ୍ଚା ରହିବା ଯୋଗୁ ଏହାର ପ୍ରଭାବ ଲୋକଙ୍କ କ୍ରୟ କ୍ଷମତା ଉପରେ ଦେଖାଯାଇଛି । ଅଗ୍ରିମ ବୁକିଂ କରିଥିବା ଲୋକମାନେ ଆଜି ଗହଣା ଡେଲିଭରି ନେଇଥିଲେ । ଗତ ବର୍ଷ ତୁଳନାରେ ଦର ୨୦ ହଜାର ଟଙ୍କା ଅଧିକ ରହିଛି । ଜୟ ଆଲ୍ଲୁକାସର ଷ୍ଟୋର ମ୍ୟାନେଜର ସୁଭାଷ ଏମ୍‌ କହିଛନ୍ତି, ଅକ୍ଷୟ ତୃତୀୟା ପାଇଁ ଷ୍ଟୋରରେ ଗ୍ରାହକଙ୍କ ଆଗମନ ସ୍ୱାଭାବିକ ରହିଛି । କାରବାର ଆଶା ମୁତାବକ ରହିବ । ଏବେ ଦର ଅଧିକ ରହିଥିବାରୁ ଲୋକଙ୍କୁ ବିଭିନ୍ନ ଅଫର ସହ ଆକୃଷ୍ଟ କରିବାକୁ ଯୋଜନା ରହିଛି । ସୁନାରେ ନିବେଶ ଏକ ଭଲ ବିକଳ୍ପ ରହିଥିବାରୁ ଏହାର ଫାଇଦା ମଧ୍ୟ ଲୋକମାନେ ଉଠାଇବା ସହ ସୁନା କ୍ରୟ କରୁଛନ୍ତି । ଗ୍ରାହକଙ୍କୁ ହାଲୁକା ଗହଣାର ବିସ୍ତୃତ ଡିଜାଇନ ଆମେ ପ୍ରଦାନ କରୁଛୁ । ପ୍ରକାଶଯୋଗ୍ୟ, ଆଜି ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ୍‌ ସୁନା ଦର ଯଥାକ୍ରମେ ୯୭,୯୧୦ ଟଙ୍କା ଏବଂ ୮୯,୭୫୦ ଟଙ୍କା ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.