ପ୍ରମୂଖ ଖବର
  • ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ
  • ||
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ସବୁଜଗୃହ ଗ୍ୟାସ ନିର୍ଗମନକୁ ହ୍ରାସ କରା ନଗଲେ ପୃଥିବୀର ତାପମାତ୍ରା ୨.୭ ଡିଗ୍ରୀ ବୃଦ୍ଧି ପାଇବ: ଗବେଷକ

Published By : Bijay Swain | May 3, 2025 11:08 PM

ଭୁବନେଶ୍ୱର: ‘‘ପୃଥିବୀରେ ସବୁଜଗୃହ ଗ୍ୟାସ (ଗ୍ରୀନ୍‌ହାଉସ୍ ଗ୍ୟାସ) ନିର୍ଗମନକୁ ଯଦି ଶୀଘ୍ର ହ୍ରାସ କରା ନଯାଏ ତେବେ ପୃଥିବୀର ତାପମାତ୍ରା ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଅଧିକ ୨.୭ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ। ପୃଥିବୀରେ ୧୯୯୦ରୁ ୨୦୨୦ ମଧ୍ୟରେ ସବୁଜଗୃହ ଗ୍ୟାସ ୪୭ ପ୍ରତିଶତ ଓ ଅଙ୍ଗାରକାମ୍ଳ ଗ୍ୟାସ ୮୦ ପ୍ରତିଶତ ବୃଦ୍ଧି ପାଇଛି।’’ ସିଇସି ଓ ଆମେରିକାସ୍ଥିତ ରିଭର୍ସ ଅଫ୍ ଦି ୱାର୍ଲ୍ଡର ମିଳିତ ସହଯୋଗରେ ସୋଆ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ‘ୱାଟର, ୱେଷ୍ଟ ମ୍ୟାନେଜମେଂଟ ଆଣ୍ଡ କ୍ଲାଇମେଟ ଚେଞ୍ଜ’ ଶୀର୍ଷକ ଆନ୍ତର୍ଜାତିକ କର୍ମଶାଳାରେ ବକ୍ତବ୍ୟ ରଖି ଏହା କହିଛନ୍ତି ବିଶିଷ୍ଟ ପାଣିପାଗବିତ୍ ଓ ଗବେଷକ ଡକ୍ଟର ଶରତ ଚନ୍ଦ୍ର ସାହୁ। 

ୱାର୍ଲ୍ଡ ମେଟିଓରୋଲଜିକାଲ୍ ଅର୍ଗାନାଇଜେସନ (ଡବ୍ଲ୍ୟୁଏମ୍‌ଓ)ର ତଥ୍ୟକୁ ଉଦ୍ଧାର କରି ଡକ୍ଟର ସାହୁ କହିଛନ୍ତି ଯେ, ଯଦିଓ ଜଳବାୟୁ ପରିବର୍ତ୍ତନ ଉପରେ ୨୦୧୫ରେ ପ୍ୟାରିସରେ ହୋଇଥିବା ବୁଝାମଣା ଅନୁଯାୟୀ ପୃଥିବୀର ବୃଦ୍ଧି ପାଉଥିବା ତାପମାତ୍ରାକୁ ୨ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ସୀମାବଦ୍ଧ ରଖିବାକୁ ନିଷ୍ପତ୍ତି ହୋଇଥିଲା, ହେଲେ ଏହି ତାପମାତ୍ରା ଏହାକୁ ଅତିକ୍ରମ କରିଯିବ ବୋଲି ଅନୁମାନ କରାଯାଉଛି । 

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିଚାଳିତ ଜଳବାୟୁ ଓ ପରିବେଶ କେନ୍ଦ୍ର (ସେଂଟର ଫର କ୍ଲାଇମେଟ ଆଣ୍ଡ ଏନ୍‌ଭାଇରନ୍‌ମେଂଟ)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଡକ୍ଟର ସାହୁ କହିଛନ୍ତି ଯେ, ପରିବେଶରେ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ଶିଳ୍ପାୟନ ପୂର୍ବ ସମୟ ଠାରୁ ୧୪୯ ପ୍ରତିଶତ ବୃଦ୍ଧି ପାଇଛି ଯାହା ଉଦ୍‌ବେଗଜନକ । ଏହା ପୃଥିବୀ ଓ ଭବିଷ୍ୟତ ପୀଢ଼ି ନିମନ୍ତେ ଉତ୍ତମ ନୁହେଁ । ସେ ଆହୁରି କହିଛନ୍ତି ୨୦୧୫ରେ ପରିବେଶରେ ଅଙ୍ଗାରକାମ୍ଳ ଗ୍ୟାସ ୪୦୦ ପିପିଏମ୍ ଥିବା ବେଳେ ୨୦୨୦ରେ ଏହା ୪୧୩.୨ ପିପିଏମକୁ ବୃଦ୍ଧି ପାଇଥିଲା । ସେହିପରି ବାୟୁମଣ୍ଡଳରେ ମିଥେନ୍ ଓ ନାଇଟ୍ରସ ଅକ୍ସାଇଡର ମାତ୍ରା ୧୭୫୦ ମସିହା ତୁଳନାରେ ଯଥାକ୍ରମେ ୨୬୨ ପ୍ରତିଶତ ଓ ୧୨୩ ପ୍ରତିଶତ ବୃଦ୍ଧି ପାଇଛି । 

ଡବ୍ଲ୍ୟୁଏମ୍‌ଓ ତଥ୍ୟ ଅନୁଯାୟୀ ପୃଥିବୀ ପ୍ରାୟ ୩ ରୁ ୫ ନିୟୁତ ବର୍ଷ ପୂର୍ବେ ଅଙ୍ଗାରକାମ୍ଳର ତୁଳନୀୟ ଏକତ୍ରୀକରଣ ଅନୁଭବ କରିଥିଲା ଯେତେବେଳେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇଥିଲା । ମାତ୍ର ସେତେବେଳେ ପୃଥିବୀର ଜନସଂଖ୍ୟା ୮୦୦ କୋଟି ନଥିଲା । ଏଥିରୁ ସବୁଜଗୃହ ଗ୍ୟାସର ନିର୍ଗମନ ପୃଥିବୀ ପ୍ରତି କେତେ ବିପଜ୍ଜନକ ତାହା ଅନୁମାନ କରାଯାଇପାରେ । 

ଏହି କର୍ମଶାଳାରେ ରିଭର୍ସ ଅଫ୍ ଦି ୱାର୍ଲ୍ଡର ଶ୍ରୀ ସୁବିଜୟ ଦତ୍ତ, ଆନ୍ଧ୍ର ବିଶ୍ୱବିଦ୍ୟାଳୟର ପ୍ରଫେସର ବାଲା ପ୍ରସାଦ, ସୋଆ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ ଓ ଭିଏସଏସ୍ ୟୁନିଭର୍ସିଟି ଅଫ୍ ଇଞ୍ଜିନିୟରିଂ, ବୁର୍ଲାର ପ୍ରଫେସର ଅନିଲ କର ବକ୍ତବ୍ୟ ରଖିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.