ଅନୁଗୁଳ,୦୩/୧୧: ଅନୁଗୁଳ ପୌରପାଳିକାର ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୩୦ ରୁ ଉର୍ଦ୍ଧ୍ୱ ପିଣ୍ଡି । ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ପରିବା ଜଳି ପୋଡ଼ି ନଷ୍ଟ । ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟ କିମ୍ବା ଅସାବଧାନତା ଯୋଗୁଁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି ।
ସୂଚନା ମୁତାବକ, ରବିବାର ଅପରାହ୍ନ ୧୨ ଟା ସମୟରେ ଡେଲି ମାର୍କେଟରେ ଜୋରସୋରରେ ବ୍ୟାପାର ଚାଲିଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ସମସ୍ତେ ନିଆଁକୁ ଡରି ଏଣେ ତେଣେ ଦୌଡିଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ତେବେ ଡେଲି ମାର୍କେଟକୁ ବଡ଼ ରାସ୍ତା ନଥିବାରୁ ଘଟଣାସ୍ଥଳରେ ସାମାନ୍ୟ ବିଳମ୍ବରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀର ଏକ ଟିମ୍ । ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଏହି ଅଗ୍ନିକାଣ୍ଡରେ ମାତ୍ର ୧୫ ମିନିଟରେ ପାଖାପାଖି ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ପରିବା ଏବଂ ଅନ୍ୟାନ୍ୟ ଜିନିଷ ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ଏହି ଅଘଟଣ ପରେ କେମିତି ଗୁଜୁରାଣ ମେଣ୍ଟାଇବେ, ସେହି ଚିନ୍ତାରେ ଅଛନ୍ତି ବ୍ୟାପାରି । ଅନ୍ୟପଟେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ଜଣା ପଡ଼ିନଥିବା ବେଳେ, ସର୍ଟ ସର୍କିଟ କିମ୍ୱା ଅସାବଧାନତାରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।