ନୂଆଦିଲ୍ଲୀ,୧୨/୧୧: ଦେଶର କୋଟି କୋଟି କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପରେ ଆଉ ଏକ ଖବର ଆସୁଛି । ପିଏଫ ଅଧୀନରେ ଆସୁଥିବା କର୍ମଚାରୀଙ୍କୁ ମିଳିପାରେ ନୂଆବର୍ଷ ଭେଟି । କେନ୍ଦ୍ର ସରକାର କର୍ମଚାରୀଙ୍କ ଇପିଏଫଓରେ ସର୍ବନିମ୍ନ ଦରମା ବଢାଇବାକୁ ବିଚାର କରୁଛନ୍ତି । ଯଦି ଦରମା ବୃଦ୍ଧି ହେଉଛି ତେବେ କର୍ମଚାରୀଙ୍କ ସାମାଜିକ ସୁରକ୍ଷାକୁ ମଜବୁତ କରିବ ।
ଇପିଏଫଓ ଅନୁସାରେ କର୍ମଚାରୀଙ୍କ ବର୍ତ୍ତମାନ ବେତନ ମାସକୁ ୧୫ ହଜାର ଟଙ୍କା ରହିଛି । ଯଦି ସରକାର ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଉଛନ୍ତି ତେବେ ଏହା ୨୧ ହଜାର ଟଙ୍କା ହେବ । ଅର୍ଥାତ ପାଖାପାଖି ୬ହଜାର ଟଙ୍କା ଦରମା ବୃଦ୍ଧି ପାଇବ । ଏହା ସହିତ ସରକାର କମ୍ପାନୀରେ ଇପିଏଫଓରେ ନିର୍ଦ୍ଧାରିତ କର୍ମଚାରୀଙ୍କ ସଂଖ୍ୟା କମ କରିପାରେ । ନୂଆ ବର୍ଷ ପୂର୍ବରୁ ସରକାର କର୍ମଚାରୀଙ୍କୁ ଏହି ଉପହାର ଦେଇପାରନ୍ତି ।
୨୦୧୪ରେ ଶେଷ ଥର ପାଇଁ ବଢିଥିଲା-ରିପୋର୍ଟ ଅନୁସାରେ ଇପିଏଫଓ ବେତନ ବଢାଇବାକୁ ଅନେକ ବର୍ଷ ହେବ ଦାବି ହେଉଥିଲା । ପୂର୍ବରୁ ୨୦୧୪ରେ ବେତନ ରାଶି ବଢିଥିଲା । ୬୫୦୦ରୁ ବଢି ୧୫ହଜାର ଟଙ୍କା ହୋଇଥିଲା । ୨୦୨୫ରେ ଏହା ପୁଣି ବଢିବାକୁ ଯାଉଛି । ପିଏଫ ବଢିଲେ ପେନସନ ବଢିବ ।
ଇପିଏଫଓ ନିୟମ ଅନୁସାରେ ପିଏଫ ଆକାଉଣ୍ଟରେ କର୍ମଚାରୀ ଏବଂ କମ୍ପାନୀ ଉଭୟଙ୍କ ସେୟାର ରହିଥାଏ । ଉଭୟଙ୍କର ୧୨-୧୨ ପ୍ରତିଶତ ଇପିଏଫଓ ଖାତାରେ ଜମା ହୁଏ । କମ୍ପାନୀର ୧୨ ପ୍ରତିଶତ ରାଶିର ୮.୩୩% କର୍ମଚାରୀ ପେନସନ ଯୋଜନାରେ ଜମା ହୁଏ । ବାକି ୩.୬୨% ପିଏଫ ଖାତାରେ ଜମା ହୁଏ । ୧୦ ବର୍ଷର ସର୍ଭିସ ପୂରଣ ହେବା ପରେ ପେନସନ ହୋଇଥାଏ । ସେହି ସମୟରେ ଉକ୍ତ ରାଶିକୁ ଏକକାଳୀନ ଉଠାଯାଇଥାଏ । ଜରୁରୀକାଳୀନ ପରିସ୍ଥିତିରେ ଟଙ୍କା ଉଠିଇବାର ବ୍ୟବସ୍ଥା ରହିଛି ।