ନୂଆଦିଲ୍ଲୀ,୨୨/୦୬: ଗତ ସପ୍ତାହରେ ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏକ ବୋଇଙ୍ଗ୍ ୭୮୭-୮ ଡ୍ରିମ୍ଲାଇନର ବିମାନ ଦୁର୍ଘଟଣା ସମଗ୍ର ବିଶ୍ୱକୁ ଥରାଇ ଦେଇଥିଲା । ବିମାନ ଉଡ଼ାଣ ଆରମ୍ଭ କରିବାର ତତ୍କ୍ଷଣାତ୍ ଖସିପଡ଼ିଥିଲା । କେବଳ ଜଣଙ୍କୁ ଛାଡ଼ି ଫ୍ଲାଇଟ୍ରେ ଥିବା ସମସ୍ତ ୨୦୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଏହାସହିତ ଏକ ମେଡିକାଲ କମ୍ପେ୍ଲକ୍ସ ଉପରେ ବିମାନ ଖସିବା କାରଣରୁ ଆଉ ୨୯ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଚର୍ଚ୍ଚା ପରିସରକୁ ଆସିଛି ସିଟ୍ ୧୧ଏ । ଏହା ଉକ୍ତ ସିଟ୍ ଯେଉଁଠି ବସିଥିଲେ ଦୁର୍ଘଟଣାରେ ବଞ୍ଚିଯାଇଥିବା ଏକମାତ୍ର ଯାତ୍ରୀ ୪୦ ବର୍ଷୀୟ ବିଶ୍ୱାସକୁମାର ରମେଶ । ବର୍ତ୍ତମାନ ଏହି ସିଟ୍ ପାଇଁ ଯାତ୍ରୀଙ୍କ ଚାହିଦା ବଡ଼ ମାତ୍ରାରେ ବଢ଼ିଯାଇଛି । ଲୋକେ ଏ ସିଟ୍ ପାଇଁ ଅଧିକ ଟଙ୍କା ମଧ୍ୟ ଦେବାକୁ ରାଜି ।
ପ୍ରକାଶଯୋଗ୍ୟ, ବିମାନ ଉଡ଼ାଣ ଆରମ୍ଭ କରିବାର ତତ୍କ୍ଷଣାତ୍ ଏକ ମେଡିକାଲ କମ୍ପେ୍ଲକ୍ସରେ ଖସିଯିବା ପରେ ବ୍ରିଟେନ୍ଭିତ୍ତିକ ଯାତ୍ରୀ ରମେଶ ସାମାନ୍ୟ ଆଘାତ ସହିତ ବାହାରକୁ ଛିଟ୍କି ପଡ଼ିଥିଲେ । ପାଖରେ ବସିଥିବା ତାଙ୍କ ଭାଇ ବଞ୍ଚି ପାରି ନଥିଲେ । ତେବେ ଏମର୍ଜେନ୍ସି ଏକ୍ଜିଟ୍ ଧାଡ଼ିରେ ବସି ରମେଶ ଚମତ୍କାର ଭାବେ ବଞ୍ଚିଯିବା ପରେ ଏହି ସିଟ୍ର ଚାହିଦା ବଢ଼ିଯାଇଛି । ଯାତ୍ରୀମାନେ ଏବେ ଏମର୍ଜେନ୍ସି ଏକ୍ଜିଟ୍ ସିଟ୍ ବିଶେଷକରି ୧୧ଏ ଚାହୁଁଛନ୍ତି । ଏହି ସିଟ୍ରେ ବସିବା ଦ୍ୱାରା ଦୁର୍ଘଟଣା ସମୟରେ ବଞ୍ଚିବା ସମ୍ଭାବନା ଅଧିକ ଥିବା ସେମାନେ ଭାବୁଛନ୍ତି ।
ବିଶ୍ୱାସକୁମାରଙ୍କ ଘଟଣା ପରେ ନିୟମିତ ବିମାନ ଯାତ୍ରା କରୁଥିବା କୋଲ୍କୋତାର ଯାତ୍ରୀ ରାଜେଶ ଭଗ୍ନାନି କୁହନ୍ତି, ସେ ସିଟ୍ ୧୧ଏ କିମ୍ବା ଏମର୍ଜେନ୍ସି ଏକ୍ଜିଟ୍ ପାଖରେ ଥିବା ସିଟ୍ ଚାହାନ୍ତି । ଏ ସିଟ୍ରେ ବଞ୍ଚିବାର ସମ୍ଭାବନା ଅଧିକ ରହିଥିବା ସେ ପ୍ରକାଶ କରିଛନ୍ତି । ଅନ୍ୟ ଜଣେ ବ୍ୟବସାୟୀ ଜିତେନ୍ଦ୍ର ସିଂହ ବାଗା କୁହନ୍ତି, ଆଗକୁ ତାଙ୍କର ଆମେରିକା ଯିବାର ଅଛି । ଏହି ସିଟ୍ ପାଇଁ ସେ କୌଣସି ପ୍ରକାର ଅତିରିକ୍ତ ଟଙ୍କା ଦେବାକୁ ରାଜି । ଟ୍ରାଭେଲ୍ ଏଜେଣ୍ଟ୍ସ ଫେଡେରେଶନ୍ ଅଫ୍ ଇଣ୍ଡିଆର ଅନିଲ୍ ପଞ୍ଜାବୀ କୁହନ୍ତି, ଲୋକଙ୍କ ମନରେ ଏବେ ସିଟ୍ ୧୧ଏ ବସା ବାନ୍ଧିଦେଲାଣି । ଏ ସିଟ୍ ଏମର୍ଜେନ୍ସି ଏକ୍ଜିଟ୍ ପାଖରେ ନ ଥିଲେ ବି ଲୋକେ ଏଥିପାଇଁ ରିକ୍ୱେଷ୍ଟ କରୁଛନ୍ତି । ସବୁ ପଛରେ ରହିଛି ଲୋକଙ୍କ ଧାରଣା ।
ବିମାନ ବିଶେଷଜ୍ଞଙ୍କ କହିବାନୁସାରେ, ସିଟ୍ ୧୧ଏ ଯେ ନିରାପଦ, ଏହା ସବୁବେଳେ ଠିକ୍ ନୁହେଁ । ବିମାନ ଦୁର୍ଘଟଣା ସବୁ ସମୟରେ ଯେ ଏକାପ୍ରକାର ରହିବ ତାହା କହିହେବନାହିଁ । ପ୍ରତି ଦୁର୍ଘଟଣା ଭିନ୍ନ ପ୍ରକାର ରହିଥାଏ । ସିଟ୍ର ଅବସ୍ଥିତି ଆଧାରରେ ବଞ୍ଚିଯାଇ ହେବ ତାହା କହିବା ଯୁକ୍ତିଯୁକ୍ତ ନୁହେଁ ବୋଲି କୁହନ୍ତି ଆମେରିକାଭିତ୍ତିକ ଫ୍ଲାଇଟ୍ ସେଫ୍ଟି ଫାଉଣ୍ଡେସନ୍ର ନିର୍ଦ୍ଦେଶକ ମିସେଲ ଫକ୍ସ । ବୋଇଙ୍ଗ୍ ୭୮୭ରେ ଉକ୍ତ ଦିନ ହୁଏତ ସିଟ୍ ୧୧ଏ ନିରାପଦ ରହିଥାଇପାରେ ବୋଲି କୁହନ୍ତି ସିଡ୍ନୀଭିତ୍ତିକ ଆଭ୍ଲ ଆଭିଏସନ୍ କନ୍ସଲ୍ଟିଂର ଅଧ୍ୟକ୍ଷ ରୋନ୍ ବାର୍ଟସ ।