ନୂଆଦିଲ୍ଲୀ,୨୨/୦୬: ସୁନା ପ୍ରତି ଭାରତୀୟଙ୍କ ମୋହ କେବଳ ପାରମ୍ପରିକ ନୁହେଁ, ନିବେଶର ଏହା ପାଲଟିଛି ଏକ ନିରାପଦ ମାଧ୍ୟମ । ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା ମଧ୍ୟରେ ସୁନାରେ ନିବେଶ କରିବାକୁ ସୁରକ୍ଷିତ ମଣୁଛନ୍ତି ଭାରତୀୟ । ଧାତୁର ଦର ଯେଉଁଭଳି ଭାବେ ବଢ଼ିଚାଲିଛି, ପରିବାରଗୁଡ଼ିକର ସମ୍ପତ୍ତି ଉକ୍ତ ବେଗରେ ବଢୁଛି । ରିପୋର୍ଟ ଅନୁସାରେ, ଭାରତୀୟ ଘରଗୁଡ଼ିକରେ ସୁନାର ବିଶାଳ ଭଣ୍ଡାର ରହିଛି, ଯାହାକି ସମ୍ପୂର୍ଣ୍ଣ ପାକିସ୍ତାନ ଅର୍ଥବ୍ୟବସ୍ଥାଠାରୁ ବହୁ ଗୁଣା ବଡ଼ । ୱାର୍ଲଡ ଗୋଲ୍ଡ କାଉନ୍ସିଲ୍(ଡବ୍ଲ୍ୟୁଜିସି) ଅନୁସାରେ, ଭାରତୀୟ ଘର ଏବଂ ମନ୍ଦିରଗୁଡ଼ିକରେ ମୋଟ ୨୫୦୦୦ ଟନ୍ ସୁନା ରହିଛି, ଯାହାର ମୂଲ୍ୟ ହେଉଛି ୨.୪ ଟ୍ରିଲିୟନ ଡଲାର । ଏହା ସମ୍ପୂର୍ଣ୍ଣ ପାକିସ୍ତାନ ଅର୍ଥନୀତିଠାରୁ ୬ ଗୁଣା ଅଧିକ ।
ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍)ର ଆକଳନ ଅନୁସାରେ, ସମ୍ପ୍ରତି ପାକ୍ ଅର୍ଥବ୍ୟବସ୍ଥାର ଆକାର ରହିଛି ୪୧୧ ବିଲିୟନ ଡଲାର । ଅର୍ଥାତ୍ ଭାରତୀୟଙ୍କ ପାଖରେ ଯେତିକି ସୁନା ଅଛି, ସେଥିରେ ୬ଟି ପାକିସ୍ତାନ ଗଢ଼ାଯାଇପାରିବ । ସୁନାର ବର୍ଦ୍ଧିତ ଦର ଭାରତୀୟ ପରିବାରର ସମ୍ପତ୍ତିରେ ବଡ଼ ମାତ୍ରାରେ ବୃଦ୍ଧି ଘଟାଇଛି । ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା ମଧ୍ୟରେ ଏହି ଧାତୁ ଉପରେ ଲୋକଙ୍କ ଭରସା ବଢ଼ିଛି । ଲୋକେ ଏଥିରେ ଜବର୍ଦସ୍ତ ନିବେଶ କରୁଛନ୍ତି । ଭାରତର ସାଂସ୍କୃତିକ ବିରାସତ ଏବଂ ଆର୍ଥିକ ଅଭ୍ୟାସର ଏହା ଏକ ଅନନ୍ୟ ଦିଗ । ସୁନା ପ୍ରତି ଲୋକଙ୍କ ସଉକ କେବଳ ସଂସ୍କୃତି ସହ ଜଡ଼ିତ ନୁହେଁ । ଏହା ପରିବାରଗୁଡ଼ିକର ସମ୍ପତ୍ତିକୁ ଦର୍ଶାଇଥାଏ । ଡବ୍ଲ୍ୟୁଜିସି ଅନୁସାରେ, ଭାରତୀୟ ଘର ଏବଂ ମନ୍ଦିରଗୁଡ଼ିକରେ ମୋଟ ୨.୪ ଟ୍ରିଲିୟନ ଡଲାର ସୁନା ରହିଛି, ଯାହାକି ୨୦୨୫-୨୬ ଆର୍ଥିକବର୍ଷରେ ଭାରତର ଆନୁମାନିକ ଜିଡିପିର ପାଖାପାଖି ୫୬% । ପାକିସ୍ତାନର ସମ୍ପୂର୍ଣ୍ଣ ଅର୍ଥବ୍ୟବସ୍ଥା ହେଉଛି ପ୍ରାୟ ୪୧୧ ବିଲିୟନ ଡଲାର । ଉକ୍ତ ହିସାବରେ ଭାରତର ଘରୋଇ ସୁନା ଭଣ୍ଡାର ପାକିସ୍ତାନ ଜିଡିପିଠାରୁ ପ୍ରାୟ ୬ ଗୁଣା ଅଧିକ । ଭାରତରେ ଘରେ ରଖାଯାଇଥିବା ସୁନାର ମୂଲ୍ୟ ଇଟାଲି ଏବଂ କାନାଡା ଭଳି ବିକଶିତ ଦେଶଗୁଡ଼ିକର ଜିଡିପିଠାରୁ ବି ଅଧିକ ।
ୟୁବିଏସ୍ ଅନୁସାରେ, ଆର୍ଥିକବର୍ଷ ୨୦୧୯- ୨୦ରୁ ସୁନାର ଦର ଦୁଇଗୁଣା ହୋଇଯାଇଛି । ଏହାଦ୍ୱାରା ଭାରତୀୟ ଘରଗୁଡ଼ିକର ସମ୍ପତ୍ତି ବଡ଼ ଆକାରରେ ବୃଦ୍ଧି ପାଇଛି । ବ୍ୟାଙ୍କ୍ର ଅନୁମାନ ମୁତାବକ, ୨୦୨୬ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ସୁନା ଦର ବଢ଼ି ୩,୫୦୦ ଡଲାର ହୋଇଯିବ । ଏହାର କାରଣ ହେଉଛି ବିଶ୍ୱ ବାଣିଜ୍ୟିକ ସମସ୍ୟା, ମୁଦ୍ରାସ୍ଫୀତି ଏବଂ ଭୁରାଜନୈତିକ ଅସ୍ଥିରତା ଭଳି ଅନିଶ୍ଚିତତା । ୟୁବିଏସ୍ ଅନୁସାରେ, ଆର୍ଥିକବର୍ଷ ୨୦୨୫-୨୬ରେ ଭାରତରେ ସୁନା ଚାହିଦା କମ୍ ରହିବ । କିନ୍ତୁ ଉଚ୍ଚ ଦର ଯୋଗୁ ନେଟ୍ ଆମଦାନି ୫୫-୬୦ ବିଲିୟନ ଡଲାର ରହିବ । ଏହା ଜିଡିପିର ପାଖାପାଖି ୧.୨% । ଭାରତରେ ସୁନା ଚାହିଦା ୨୦୨୪-୨୫ରେ ଭଲ ରହିଥିଲା । ଆଲୋଚ୍ୟ ବର୍ଷରେ ଚାହିଦା ୭୮୨ ଟନ୍ ଥିଲା, ଯାହା ମହାମାରୀ ପୂର୍ବ ଅବଧିଠାରୁ ୧୫% ଅଧିକ ।
ଗହଣା ଚାହିଦା ସାମାନ୍ୟ କମ୍ ରହିଥିଲା । କିନ୍ତୁ ସୁନା ବିସ୍କୁଟ ଏବଂ ମୁଦ୍ରାରେ ଖୁଚୁରା ନିବେଶ ୨୫% ବଢ଼ିଛି । ଏହାର କାରଣ ହେଉଛି ୨୦୨୪ ମଧ୍ୟଭାଗରେ ସୀମା ଶୁଳ୍କ ୧୫%ରୁ ୬%କୁ କମିବା । ୟୁବିଏସ୍ର ଅନୁମାନ ହେଉଛି ଯେ, ୨୦୨୫- ୨୬ ଆର୍ଥିକବର୍ଷରେ ସୁନା ଚାହିଦା ୭୨୫ ଟନ୍ ପର୍ଯ୍ୟନ୍ତ କମ୍ ହୋଇଯିବ । ପୁଣି ୨୦୨୬-୨୭ରେ ଏହା ୮୦୦ ଟନ୍ ପର୍ଯ୍ୟନ୍ତ ବଢ଼ିଯିବ । ଏହାର କାରଣ ହେଉଛି ଘର ଖର୍ଚ୍ଚ ସ୍ଥିର ହୋଇଯିବା । ଅଷ୍ଟମ ବେତନ ଆୟୋଗରୁ ୫୫୦୦ କୋଟି ଡଲାରର ବେତନ ବୃଦ୍ଧି ଅନୁମାନ ରହିଛି । ଏହାଦ୍ୱାରା ଫିଜିକାଲ ସଞ୍ଚୟ ବଢ଼ିବ । ବିଶେଷ କରି ରିୟଲ ଇଷ୍ଟେଟ୍ରେ ନିବେଶ ବଢ଼ିବ । ଭାରତ ପାଖରେ ସୁନାର ବିଶାଳ ଭଣ୍ଡାର ରହିଛି । କିନ୍ତୁ ଏହି ସମ୍ପତ୍ତିର ବ୍ୟବହାର କରିବାର ପ୍ରୟାସ ସଫଳ ହୋଇପାରୁନାହିଁ । ୟୁବିଏସ୍ର କହିବାନୁସାରେ, ବ୍ୟାଙ୍କ ଏବଂ ଏନ୍ବିଏଫ୍ସିଗୁଡ଼ିକର ବ୍ୟାପକ ପ୍ରୟାସ ସତ୍ତେ୍ୱ ଘରେ ରହିଥିବା ସୁନାର ୨%ରୁ କମ୍ ଭାଗ ଋଣ ପାଇଁ ବ୍ୟବହାର ହୋଇଥାଏ ।