କିସ୍ତୱାଡା: ଜମ୍ମୁ ଓ କାଶ୍ମୀରର କିସ୍ତୱାଡା ଜିଲ୍ଲାରେ ହୋଇଥିବା ବାଦଲଫଟା ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶୁକ୍ରବାର ସୁଦ୍ଧା ଏହି ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୬୫ ଛୁଇଁଥିବା ନେଇ ସୂଚନା ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଶତାଧିକ ଲୋକ ନିଖୋଜ ଥିବା ଆଶଙ୍କା କରାଯାଉଛି।
ଗୁରୁବାର ମଛିଲ ମାତା ଯାତ୍ରା ପଥରେ ହୋଇଥିବା ଏହି ଫ୍ଲାସ ଫ୍ଲୋଡ ଯୋଗୁଁ ଅନେକ ଲୋକ ମାଟି ତଳେ ଦବି ହୋଇ ରହିଥିବା ଅନୁମାନ କରାଯାଉଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୬୭ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଉଦ୍ଧାର ହୋଇଥିବା ଲୋକମାନଙ୍କ ମଧ୍ୟରୁ ୩୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଘଟଣାସ୍ଥଳରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (NDRF), ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳ (SDRF), ସ୍ଥାନୀୟ ପୁଲିସ ଏବଂ ଭାରତୀୟ ସେନାର ଜୋଆନମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। କ୍ଷତିଗ୍ରସ୍ତ ଅଞ୍ଚଳରେ ରାସ୍ତାଘାଟ ଧୋଇ ହୋଇଯାଇଥିବା କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି, କିନ୍ତୁ ଟିମ୍ଗୁଡ଼ିକ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।
ଜାତୀୟ ରାଜଧାନୀ ନୂଆଦିଲ୍ଲୀରୁ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମିଳିତ ଭାବେ କ୍ଷତିଗ୍ରସ୍ତମାନଙ୍କୁ ସାହାଯ୍ୟ ଯୋଗାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଘଟଣା ଉପରେ ନଜର ରଖିଛନ୍ତି ଏବଂ ସ୍ଥାନୀୟ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି।
ଜମ୍ମୁ ଓ କାଶ୍ମୀରରେ ଏହି ପ୍ରାକୃତିକ ବିପର୍ଯ୍ୟୟ ସ୍ଥାନୀୟ ବାସିନ୍ଦାଙ୍କୁ ଶକ୍ତ ଧକ୍କା ଦେଇଛି। ପ୍ରଶାସନ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଆବଶ୍ୟକ ସାହାଯ୍ୟ ଯୋଗାଇ ଦେବାକୁ ଚେଷ୍ଟା କରୁଛି।