କଟକ,୦୮/୧୧: କାଳୀ ଭସାଣି ଦେଖାଇବା ପାଇଁ ଛାତ୍ରୀଙ୍କୁ ଡାକିଥିଲା ତାଙ୍କ ପୁରୁଷ ବନ୍ଧୁ । ଭୋଜିଭାତ ଖାଇବା ପାଇଁ ଛାତ୍ରୀଙ୍କୁ ପୁରୁଷ ବନ୍ଧୁ ଜଣକ ତାର ଏକ ସାଙ୍ଗର ସାଇବର କ୍ୟାଫେକୁ ନେଇଗଲା । ସେଠାରେ ଛାତ୍ରୀଙ୍କ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ସହ କୌଶଳକ୍ରମେ ସେହି ଦୃଶ୍ୟକୁ ମୋବାଇଲ୍ରେ ରେକର୍ଡିଂ ବି କରିଦେଲା । ପରେ ସେହି ଭିଡିଓକୁ ଦେଖାଇ ବ୍ଲାକ୍ମେଲ୍ କରି ପୁରୁଷ ବନ୍ଧୁର ଅନ୍ୟ ୫ ଜଣ ସାଙ୍ଗ ବି ଛାତ୍ରୀଙ୍କୁ ଦୁଷ୍କର୍ମ କଲେ । - ଏଭଳି ଚାଞ୍ଚଲ୍ୟକର ଓ ଲଜ୍ଜାଜନକ ଘଟଣା ଘଟିଛି କଟକ ସହରରେ । ଏତେ ବଡ଼ ଅଘଟଣ ପରେ ବି ପୀଡ଼ିତା ନ ଡରି ପୁଲିସରେ ଅଭିଯୋଗ କରିବାରୁ ସମସ୍ତ ୬ ଅଭିଯୁକ୍ତ ଗିରଫ ହୋଇଛନ୍ତି । ପୁରୁଷ ବନ୍ଧୁଙ୍କ ସମେତ ୪ଜଣ ଅଭିଯୁକ୍ତ କଟକ ସହରର ଏକ କଲେଜର ଛାତ୍ର ଓ ପୀଡ଼ିତାଙ୍କ ସହପାଠୀ ବୋଲି ଜଣାପଡ଼ିଛି । ଅନ୍ୟଜଣେ ଅଭିଯୁକ୍ତ ସେହି କଲେଜର ପୂର୍ବତନ ଛାତ୍ର । ଏତଲା ପାଇବା ମାତ୍ରେ ବାଦାମବାଡ଼ି ଥାନା ପୁଲିସ ତତ୍ପରତା ଦେଖାଇ ସମସ୍ତ ଅଭିଯକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ବାରଙ୍ଗ ଥାନା ଅଞ୍ଚଳର । ଅନ୍ୟ ୪ ଜଣ ବାଦାମବାଡ଼ି ଓ ପୁରୀଘାଟ ଥାନା ଅଞ୍ଚଳର । ସମସ୍ତଙ୍କର ବୟସ ୧୯ ରୁ ୨୪ ବର୍ଷ ମଧ୍ୟରେ ହେବ ।
ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲା ବାହାରର ଜଣେ ଦଳିତ ଛାତ୍ରୀ ଗୋପାଳପୁରର ଏକ ହଷ୍ଟେଲ୍ରେ ରହି ବାଦାମବାଡ଼ି ଥାନା ଅଞ୍ଚଳରେ ଥିବା ଏକ କଲେଜରେ ଯୁକ୍ତ ୩ ପଢ଼ୁଛନ୍ତି । ବାଦାମବାଡ଼ି ଥାନା ଅଞ୍ଚଳରେ ‘ଆଶୁ’ ନାମକ ଜଣେ ଯୁବକ ମଧ୍ୟ ସେହି ଛାତ୍ରୀଙ୍କ ସହିତ ଯୁକ୍ତ ତିନି ପଢ଼ୁଛନ୍ତି । ଉଭୟଙ୍କ ମଧ୍ୟରେ କିଛି ଦିନ ହେବ ବନ୍ଧୁତ୍ୱ ହୋଇଥିଲା । ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା । ଗତ କାଳୀପୂଜା ଭସାଣି ପୂର୍ବରୁ ଆଶୁ ପୀଡ଼ିତାଙ୍କୁ ଭସାଣି ବୁଲିବା ପାଇଁ ଡାକିଲା । ସେଥିରେ ସେ ରାଜି ହୋଇ କଟକ ସହରକୁ ଆସିଥିଲେ। ଭସାଣି ବୁଲିବା ପରେ କାଠଗଡ଼ା ସାହିରେ ଥିବା ଏକ ସାଇବର କ୍ୟାଫେକୁ ଆଶୁ ପୀଡ଼ିତାଙ୍କୁ ନେଇଥିଲା । ସେଠାରେ ଖିଆପିଆ ପରେ ଆଶୁ ବାହାନା କରି ପୀଡ଼ିତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିଲା । ଏଥିରେ ସେ ରାଜି ନହେବାରୁ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଲା । ସେହି ସମୟର ଦୃଶ୍ୟକୁ ସାଇବର କ୍ୟାଫେର ମାଲିକ ତଥା ଆଶୁର ସାଙ୍ଗ ମୋବାଇଲ୍ରେ ରେକର୍ଡ କରିଥିଲା। ପରଦିନ ପୀଡ଼ିତାଙ୍କୁ ଉକ୍ତ ଭିଡିଓ ପଠାଇ ଆଶୁ ବ୍ଲାକ୍ମେଲ୍ କରିଥିଲା । ସାଙ୍ଗମାନେ ଏହି ଭିଡିଓ କରିଥିବାରୁ ତୁରନ୍ତ କଲେଜ ପାଖକୁ ଆସିବାକୁ ଡାକିଥିଲା । ନଆସିଲେ ଭିଡିଓକୁ ସେମାନେ ଭାଇରାଲ୍ କରିଦେବେ ବୋଲି ଧମକ ଦେଇଥିଲା । ଏଭଳି କଥା ଶୁଣି ଛାତ୍ରୀ ଜଣକ ତୁରନ୍ତ ଆସି ପହଞ୍ଚିଲେ । ଏହା ପରେ ଆଶୁ ପୀଡ଼ିତାଙ୍କୁ ବାରଙ୍ଗ ତ୍ରୁଶୁଳିଆ ଅଞ୍ଚଳକୁ ନେଇଯାଇଥିଲା । ପରେ ପୀଡ଼ିତାଙ୍କୁ ଆଶୁ ଓ ତାର ସାଙ୍ଗମାନେ ତ୍ରିଶୁଳିଆରେ ଏକ ରୁମ୍କୁ ନେଇଯାଇଥିଲେ । ସେଠାରେ ବାରଙ୍ଗର ଦୁଇ ସାଙ୍ଗ, ସାଇବର କ୍ୟାଫେ କରିଥିବା ଆଶୁର ସାଙ୍ଗ ଓ ବାଦାମବାଡ଼ି ଥାନା ଅଞ୍ଚଳରେ ଅନ୍ୟ ଦୁଇ ଛାତ୍ର ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ । ପରେ ପୀଡ଼ିତାଙ୍କୁ ସେମାନେ ଧମକ୍ ଦେବା ସହ ଏକଥା ପୁଲିସକୁ କହିଲେ ଭିଡିଓ ଭାଇରାଲ୍ କରିଦେବେ ବୋଲି ଧମକ ଦେଇଥିଲେ । ଏଭଳି ଭୟଙ୍କର ଦୁଃସ୍ଥିତିରେ ମଧ୍ୟ ପୀଡ଼ିତାଜଣକ ସାହସ ଦେଖାଇ ମଙ୍ଗଳବାର ବାଦାମବାଡ଼ି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତୁରନ୍ତ ମାମଲା ରୁଜୁ କରି ଡାକ୍ତରୀମାଇନା କଲା । ଏହା ପରେ କୋର୍ଟରେ ବୟାନ ରେକର୍ଡ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିବା ଆରମ୍ଭ କଲା । ରାତି ତମାମ୍ ଏକାଧିକ ଟିମ୍ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି ଛାତ୍ରୀଙ୍କ ପୁରୁଷ ବନ୍ଧୁ ଆଶୁ ସହିତ ତାର ସାଙ୍ଗ ଲକି, ସୁଶିଲ, ଭିକି ଓ ପିତୁକୁ ଗିରଫ କରିବାରେ ପୁଲିସ ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବିବାହିତ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଘଟଣାରେ ୬ ଅଭିଯୁକ୍ତଙ୍କର ମୋବାଇଲ୍, କିଛି ଡ୍ରେସ୍ ଓ ବାଇକ୍ ଜବତ ହୋଇଥିବା ସୂଚନା ମିଳିଛି।