ନୂଆଦିଲ୍ଲୀ,୦୪/୦୭: ଗୁରୁବାର ଦିନ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ବାଛିବା ପ୍ରକ୍ରିୟା ଉପରେ ତାଙ୍କର ବିବୃତ୍ତି ଦେଇଛନ୍ତି। ଏବେ ଚୀନ୍ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି। ଚୀନ୍ କହିଛି ଯେ ଭାରତ ତିବ୍ଦତ ସହ ଜଡ଼ିତ ପ୍ରସଙ୍ଗରେ ବିବୃତ୍ତି ଦେବାରେ ସତର୍କ ରହିବା ଉଚିତ, ଯାହା ଦ୍ଵାରା ଏହା ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିବ ନାହିଁ। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍ ଏକ ଗଣମାଧ୍ୟମ ଆଗରେ କହିଛନ୍ତି ଯେ ଭାରତ ୧୪ତମ ଦଲାଇ ଲାମାଙ୍କ ଚୀନ୍ ବିରୋଧୀ ଏବଂ ବିଚ୍ଛିନ୍ନତାବାଦୀ ଆଚରଣ ବିଷୟରେ ସଚେତନ ରହିବା ଉଚିତ ଏବଂ ଜିଜାଙ୍ଗ (ତିବ୍ଦତ) ସହ ଜଡ଼ିତ ପ୍ରସଙ୍ଗରେ ନିଜର ପ୍ରତିବଦ୍ଧତାକୁ ପାଳନ କରିବା ଉଚିତ। ସେ କହିଛନ୍ତି ଯେ ଭାରତ ତା'ର କଥା ଏବଂ କାର୍ଯ୍ୟରେ ସତର୍କ ରହିବା ଉଚିତ।
ଉଲ୍ଲେଖଯୋଗ୍ୟ ଯେ, ଚୀନ ତିବ୍ଦତକୁ ଜିଜାଙ୍ଗ ବୋଲି କହୁଛି। ଚତୁର୍ଦ୍ଦଶ ଦଲାଇ ଲାମା ୨୦୧୫ ମସିହାରେ ତାଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରତିଷ୍ଠିତ ଗାଡେନ ଫୋଡ୍ରଙ୍ଗ ଟ୍ରଷ୍ଟକୁ ତାଙ୍କର ଉତ୍ତରାଧିକାରୀ ବାଛିବାର ଅଧିକାର ଦେଇଛନ୍ତି। କିନ୍ତୁ ଚୀନ ଏହି ମାମଲାରେ ନିଜର ହସ୍ତକ୍ଷେପ ଚାହୁଁଛି ଏବଂ କହିଛି ଯେ ଉତ୍ତରାଧିକାରୀ ବାଛିବାର ପ୍ରକ୍ରିୟା ଚୀନ ସରକାରଙ୍କ ନୀତି ଅନୁଯାୟୀ ଶେଷ ହେବା ଉଚିତ। କିରନ ରିଜ୍ଜିଜୁଙ୍କ ବୟାନ ଏହି ପ୍ରସଙ୍ଗରେ ଭାରତ ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ଥିଲା। ସେ କହିଥିଲେ ଯେ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ବିଷୟରେ ନିଷ୍ପତ୍ତି ତିବ୍ବତୀ ବୌଦ୍ଧଙ୍କ ପ୍ରତିଷ୍ଠିତ ସଂସ୍ଥା ଦ୍ୱାରା ନିଆଯିବ, ଅନ୍ୟ କାହାଦ୍ବାରା ନୁହେଁ।
ଚୀନ୍ କହିଛି ଯେ ଭାରତ ଜିନଜିଆଙ୍ଗ ସମ୍ବନ୍ଧୀୟ ପ୍ରସଙ୍ଗରେ ଚୀନ୍ର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବା ବନ୍ଦ କରିବା ଉଚିତ, ଯାହା ଦ୍ଵାରା ଏହା ଚୀନ୍-ଭାରତ ସମ୍ପର୍କରେ ଉନ୍ନତି ଏବଂ ବିକାଶକୁ ପ୍ରଭାବିତ କରିବ ନାହିଁ।' କେନ୍ଦ୍ର ସରକାରଙ୍କ ଦୁଇ ମନ୍ତ୍ରୀ କିରେନ ରିଜ୍ଜିଜୁ ଏବଂ ରାଜୀବ ରଞ୍ଜନ ସିଂହ ଜୁଲାଇ ୬ ତାରିଖରେ ଧର୍ମଶାଳାରେ ଦଲାଇ ଲାମାଙ୍କ ୯୦ ତମ ଜନ୍ମଦିନ ସମାରୋହରେ ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରୁଛନ୍ତି। କିନ୍ତୁ ମନ୍ତ୍ରୀ କହିଛନ୍ତି ଯେ ଜନ୍ମଦିନ ପାଳନ ଏକ ଧାର୍ମିକ ଉତ୍ସବ ଏବଂ ଏହାର ରାଜନୀତି ସହିତ କୌଣସି ସମ୍ପର୍କ ନାହିଁ।