ନୂଆଦିଲ୍ଲୀ: ଓଲା ଏବଂ ଉବର ଭଳି କ୍ୟାବ୍ ଏଗ୍ରିଗେଟର୍ସଙ୍କ ମନମାନୀ ବିରୋଧରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି । ଏହି ଦୁଇ କମ୍ପାନିଙ୍କୁ ନୋଟିସ୍ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଖାଉଟି କଲ୍ୟାଣ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଦୁଇ କମ୍ପାନିଙ୍କୁ ନୋଟିସ୍ କରାଯାଇଛି । ଓଲା ଏବଂ ଉବର ଗ୍ରାହକଙ୍କ ସହ ଭେଦଭାବ କରୁଥିବା ନେଇ ଅଭିଯୋଗ ହେଉଥିବା ବେଳେ ଏହାର ଜବାବ ମାଗିଛନ୍ତି ସରକାର । ଓଲା ଏବଂ ଉବରକୁ ନୋଟିସ୍ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ଯାତ୍ରୀ ପରିବହନ ସେବା ଯୋଗାଉଥିବା ଓଲା- ଉବେର ଦେଶରେ ମନମାନୀ ଚଳାଇଛନ୍ତି।
ଏହି ଦୁଇ କମ୍ପାନୀ ଦେଶରେ ଆଇଫୋନ୍ ବ୍ୟବହାର କରୁଥିବା ଗ୍ରାହକଙ୍କ ଠାରୁ ଅଧିକ ଭଡ଼ା ଏବଂ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଖରୁ କମ୍ ଭଡ଼ା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଆଣ୍ଡ୍ରଏଡ ତୁଳନାରେ ଆଇଫୋନ୍ ମୋବାଇଲ୍ରୁ କ୍ୟାବ୍ ବୁକ୍ କଲେ ଅଧିକ ଭଡ଼ା ପଡ଼ୁଛି । ଏଭଳି ଖବର ସାମ୍ନାକୁ ଆସିବା ପରେ ବିବାଦ ଆରମ୍ଭ ହୋଇଥିଲା । ଏବେ ଘଟଣାରେ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିବା ସହ ଓଲା ଏବଂ ଉବରକୁ ଏହାର ଜବାବ ମାଗିଛନ୍ତି । ସମାନ ସେବା ଯୋଗାଇ ବି କମ୍ପାନି ଗ୍ରାହକଙ୍କ ପାଖରୁ ଭିନ୍ନ ଭିନ୍ନ ଭଡ଼ା ଆଦାୟ କରୁଥିଲା। ଏନେଇ କେନ୍ଦ୍ର ଗ୍ରାହକ ସୁରକ୍ଷା ପ୍ରାଧିକରଣ(ସିସିପିଏ) ନିକଟରେ ଅଭିଯୋଗ ପହଞ୍ଚିବା ପରେ ସିସିପିଏ ନୋଟିସ୍ କରି ସେମାନଙ୍କର ଭଡ଼ା ଶୈଳୀ ଓ ଭେଦଭାବ ନେଇ ଉଠୁଥିବା ପ୍ରଶ୍ନ ବିଷୟରେ ଉତ୍ତର ରଖିବାକୁ ଦୁଇ କମ୍ପାନିଙ୍କୁ ନିର୍ଦ୍ଦେଶ ଦେଇଛି।
ଓଲା ଏବଂ ଉବର’ର ଏଭଳି ଅଲଗା ଅଲଗା ଭଡ଼ା ନେଇ ଦିଲ୍ଲୀର ଜଣେ ଉଦ୍ୟୋଗୀ ପ୍ରଥମେ ସ୍କ୍ରିନ ଶଟ୍ ନେଇ ଏକ୍ସରେ ଶେୟାର କରିଥିଲେ। ସେ ଏନେଇ ଏକାଧିକ ପୋଷ୍ଟ କରିଥିଲେ। ଏହାପରେ ଡିସେମ୍ବର ମାସରେ ମଧ୍ୟ ଜଣେ ୟୁଜର ଉବର ଆପରେ ସମାନ ଜାଗାକୁ ଯିବା ପାଇଁ ଆଣ୍ଡ୍ରଏଡ ଓ ଆଇଫୋନରେ ଅଲଗା ଅଲଗା ଭଡ଼ା ଦେଖାଥାଉବା ନେଇ ସ୍କ୍ରିନ ଶଟ୍ ଶେୟାର କରିଥିଲେ। ବ୍ୟକ୍ତିଙ୍କର ପୋଷ୍ଟ ଭାଇରାଲ ହେବା ପରେ ଉବର କମ୍ପାନି ଏନେଇ ସ୍ପଷ୍ଟୀକରଣ ଦେଇଥିଲା। ଆଣ୍ଡ୍ରଏଡ ଓ ଆଇଫୋନରେ ଭଡ଼ା ଅଲଗା ଅଲଗା ହେଉଥିବା ଅଭିଯୋଗକୁ କମ୍ପାନି ଖଣ୍ଡନ କରିଥିଲା। ଭଡ଼ାରେ ହୋଇଥିବା ପରିବର୍ତ୍ତନ ପାଇଁ ପିକ୍-ଅପ୍ ପଏଣ୍ଟ, ପହଞ୍ଚିବାର ଆନୁମାନିକ ସମୟ (ETA) ଏବଂ ଡ୍ରପ୍-ଅଫ୍ ପଏଣ୍ଟରେ ପରିବର୍ତ୍ତନ ଅନୁସାରେ ହୋଇଥିଲା ବୋଲି କମ୍ପାନି କହିଥିଲା। ଏହାପରେ ସୋସିଆଲ୍ ମିଡିଆରେ ଲୋକେ ଓଲା ଉବେର କମ୍ପାନିକୁ ଭେଦଭାବ କରୁଥିବା ନେଇ ଅଭିଯୋଗ କରିଥିଲେ। ମାମଲା କେନ୍ଦ୍ର ସରକାରଙ୍କ ପାଖରେ ପହଞ୍ଚିଥିଲା। ଏବେ ଓଲା ଏବଂ ଉବର ସରକାରଙ୍କ ନିଗଟରେ ନିଜର ଜବାବ ଦାଖଲ କରିବେ ।