ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି) ଦ୍ୱାରା ଭୁବନେଶ୍ୱରର ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ନିଯୁକ୍ତି ପତ୍ର ବଣ୍ଟନ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବିପିୟୁଟି କୁଳପତି ପ୍ରଫେସର ଅମୀୟ କୁମାର ରଥ, ଇଙ୍କଚର ଟେକ୍ନୋଲୋଜିର ଭୁବନେଶ୍ୱର ମୁଖ୍ୟ ଜ୍ୟୋତିର୍ମୟ ରଥ, କୋଗ୍ନିଜ଼ାଣ୍ଟର ଭୁବନେଶ୍ୱର କେନ୍ଦ୍ରର ମୁଖ୍ୟ ସତୀଶ ପ୍ରଧାନ, ଦକ୍ଷତା ବିକାଶ ଏବଂ ବୈଷୟି୍କ ଶିକ୍ଷା ବିଭାଗର ଶାସନ ସଚିବ ଭୂପେନ୍ଦ୍ର ସିଂ ପୂନିଆ, ମନୋରଞ୍ଜନ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଚଳିତ ଶିକ୍ଷlବର୍ଷା ଶେଷରେ ବିପିୟୁଟି ଅନୁବନ୍ଧିତ ମହାବିଦ୍ୟାଳୟରୁ ଛାତ୍ର ଛାତ୍ରୀମାନେ କୃତକାର୍ଯ୍ୟ ହେବା ସହିତ ସେମାନଙ୍କୁ ଦେଶ ଭିତରେ ଥିବା ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତିର ସୁଯୋଗ ପାଇବାରେ ସଫଳତା ଅର୍ଜନ କରିଛନ୍ତି।
ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଥିବା ବୈଷୟିକ ଶିକ୍ଷାନୁଷ୍ଠାନ ମାନଙ୍କର ସହଯୋଗରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା କରାଯାଇ ଆମ ରାଜ୍ୟର ବୈଷୟିକ ଶିକ୍ଷା ପାଠ୍ୟକ୍ରମକୁ ଗ୍ରହଣ କରି ଛାତ୍ର ଛାତ୍ରୀ ମାନେ ନିଯୁକ୍ତି ର ବ୍ୟାପକ ସୁଯୋଗ ପାଇପାରିବେ ବୋଲି ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ସଫଳ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଥିଲା। ଶେଷରେ ବିପିୟୁଟିର ଡେପୁଟି ରେଜିଷ୍ଟର ଡ଼କ୍ଟର ଶୁଭେନ୍ଦୁ କୁମାର ରଥ ଧନ୍ୟବାଦ ଅର୍ପଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ CIME କଲେଜର ପ୍ରଫେସର ବିଦ୍ୟା ଦାଶ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିପିୟୁଟି ଅନୁବନ୍ଧିତ ବୈଷୟିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ, କର୍ପୋରେଟ ସଂସ୍ଥା ମୁଖ୍ୟମାନେ ଯୋଗ ଦେଇଥିଲେ।