ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଶନିବାର ଦିଲ୍ଲୀ ନିର୍ବାଚନର ଫଳାଫଳ ମଧ୍ୟ ଘୋଷଣା ହୋଇଛି, ଯେଉଁଥିରେ ବିଜେପିକୁ ପୂର୍ଣ୍ଣ ବହୁମତ ମିଳିଛି । ଦିଲ୍ଲୀର ୭୦ଟି ବିଧାନସଭା ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି ୪୮ଟି ଆସନରେ ଜିତିଛି । ବିଜୟ ପରେ ଏବେ ବିଜେପି ନେତାମାନେ ଉପରାଜ୍ୟପାଳଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି। ବିଜେପି ନେତାମାନେ ଉପରାଜ୍ୟପାଳଙ୍କୁ ଭେଟି ଦିଲ୍ଲୀରେ ସରକାର ଗଠନ ପାଇଁ ଦାବି କରିବେ। ସାରା ଦେଶରେ ଭାରତୀୟ ଜନତା ପାର୍ଟିର କର୍ମୀମାନେ ବିଜୟ ଉତ୍ସବ ପାଳନ କରୁଛନ୍ତି । ଦୀର୍ଘ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି କ୍ଷମତାକୁ ଫେରିଛି। ଆମ୍ ଆଦମୀ ପାର୍ଟି ଏଥର ପରାଜୟର ସାମ୍ନା କରିଛି ।
ଦିଲ୍ଲୀରେ ହାରିବା ପରେ, ଆମ ଆଦମୀ ପାର୍ଟିର ନେତା ଆତିଶୀ ଆଜି ସକାଳ ୧୧ଟାରେ ଦିଲ୍ଲୀ ରାଜ୍ୟପାଳଙ୍କ ନିକଟରେ ନିଜର ଇସ୍ତଫା ପତ୍ର ଦାଖଲ କରିଛନ୍ତି। ଆଜି ସକାଳେ ଆତିଶୀ ତାଙ୍କ ବାସଭବନ ଛାଡି ରାଜଭବନ ଯାଇ ଉପରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ସେପଟେ ଆଜି ଅରବିନ୍ଦ କେଜ୍ରିୱାଲ ତାଙ୍କର ସମସ୍ତ ୨୨ ବିଜୟୀ ବିଧାୟକଙ୍କୁ ଚା ପାଇଁ ନିମନ୍ତ୍ରଣ କରିଥିଲେ । ସେ ଅପରାହ୍ଣରେ ସମସ୍ତ ବିଧାୟକଙ୍କ ସହ ଏକ ବୈଠକ କରିବେ। ଅପରାହ୍ଣ ୪.୩୦ ବେଳେକୁ ୧୯ ଜଣ ବିଧାୟକ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଘରେ ପହଞ୍ଚିଥିଲେ ।
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ, ବିଜେପି ହାଇକମାଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଚେହେରା ବିଷୟରେ ବିଚାର କରୁଛନ୍ତି। ଏଥିପାଇଁ ଖୁବ୍ଶୀଘ୍ର ବିଧାୟକ ଦଳର ଏକ ବୈଠକ ଡକାଯିବ, ଯେଉଁଥିରେ ବିଧାୟକ ଦଳର ନେତା ନିର୍ବାଚିତ ହେବେ। ବର୍ତ୍ତମାନ, ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଆଗରେ ଥିବା ନେତାଙ୍କ ମଧ୍ୟରେ ପ୍ରଥମ ନାମ ପରବେଶ ବର୍ମା । ସେ ହିଁ ନୂଆଦିଲ୍ଲୀ ଆସନରୁ ଅରବିନ୍ଦ କେଜ୍ରିୱାଲଙ୍କୁ ପରାସ୍ତ କରିଛନ୍ତି । ସେପଟେ ଯଦି ବିଜେପି ଜଣେ ଶିଖ୍ଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ଚାହେଁ ତେବେ ମନଜିନ୍ଦର ସିଂହ ସିରସାଙ୍କ ନାମ ଆଗରେ ରହିଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ବୀରେନ୍ଦ୍ର ସଚଦେବଙ୍କ ନାମ ମଧ୍ୟ ଦୌଡ଼ରେ ଥିବା କୁହାଯାଉଛି ।