ନୂଆଦିଲ୍ଲୀ, ୬/୧୧ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଯିଏ ବି ଶୁଣିବ ଆଶ୍ଚର୍ଯ୍ୟ ହୋଇଯିବ, ଆଉ କହିବ ଏହା କ’ଣ ସତ ? ଆଜ୍ଞା କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ ସାମ୍ନାରେ ଜନୈକ ଦୋକାନୀ ଅଙ୍କଲ୍ ଡାକିବାକୁ ନେଇ ହୋଇଛି ମହାଭାରତ । ଅଙ୍କଲ୍ ଡାକ ଶୁଣିବା ପରେ ଉକ୍ତ ବ୍ୟକ୍ତି ଜଣଙ୍କ ହଠାତ୍ ରାଗି ଯାଇଥିଲେ । ଆଉ ଏହାପରେ ଯାହା ହେଲା ଯେ କେହି ବି ଶୁଣିବ ମୁଣ୍ଡରେ ହାତ ଦେବ ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ରୋହିତ ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ସହ ଜାଟଖେଡ଼ି ନାମକ ଏକ ଦୋକାନକୁ ଶାଢୀ କିଣିବାକୁ ଯାଇଥିଲେ । ଏହି ସମୟରେ ବହୁ ସମୟ ପର୍ଯ୍ୟନ୍ତ ସେଠାରେ ଶାଢୀ ଦେଖିଥିଲେ । ହେଲେ ତାଙ୍କୁ କୌଣସି ଶାଢୀ ପସନ୍ଦ ଆସିନଥିଲା । ଏହାପରେ ଦୋକାନରେ ଥିବା ବିଶାଲ ନାମକ ଜଣେ ଦୋକାନୀ ତାଙ୍କୁ କେତେ ଦାମରେ ଶାଢୀ ନେବେ ଏହା ପଚାରିଥିଲେ । ରୋହିତ କହିଥିଲେ କି ୧ହଜାର ଟଙ୍କାର କିମ୍ବା ତା’ ଉପରେ ବି ହେଲେ ଦେଖାନ୍ତୁ । ଏହାପରେ ବିଶାଲ କହିଥିଲେ କି ଅଙ୍କଲ୍ ମୁଁ ଆପଣଙ୍କୁ ଏହାଠାରୁ ବି ଅଧିକ ଟଙ୍କାର ଶାଢୀ ଦେଖାଇଦେଉଛି । ବାସ୍ ତା‘ପରେ ଆଉ କ’ଣ ... ଅଙ୍କଲ୍ ଶୁଣିବା ପରେ ରୋହିତ ରାଗିଯାଇଥିଲେ ଏବଂ ଦୋକାନୀକୁ କହିଥିଲେ କି ମୋତେ ଅଙ୍କଲ୍ କାହିଁକି ଡାକିଲ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କିଛି ସମୟ ବଚସା ହୋଇଥିଲା ।
ପରେ ରୋହିତ ସେଠାରୁ ସ୍ତ୍ରୀଙ୍କୁ ନେଇ ଚାଲିଯାଇଥିଲେ ଏବଂ କିଛି ସମୟ ପରେ ନିଜ ସାଙ୍ଗମାନଙ୍କ ସହ ଦୋକାନରେ ପହଞ୍ଚିଥିଲେ । ସେଠାରେ ଥିବା ଦୋକାନୀବ ବିଶାଲକୁ ବାହାରକୁ ଟାଣି ଆଣିବା ସହ ମାଡ଼ ମାରିଥିଲେ । ଏହି ଘଟଣା ପରେ ବିଶାଲ ସାଧାସଳଖ ଥାନାକୁ ଯାଇ ପୋଲିସକୁ ସବୁ କଥା କହିଥିଲେ । ଏ ନେଇ ପୋଲିସ ଅଭିଯୁକ୍ତ ରୋହିତ ଏବଂ ତା’ର ବନ୍ଧୁଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।