ନୂଆଦିଲ୍ଲୀ,୧୨/୦୭ : ବାଲୁଚ ସେନା ଗତ ତିନି ଦିନ ଧରି ବେଲୁଚିସ୍ତାନରେ ପାକିସ୍ତାନୀ ସେନା ଉପରେ ଲଗାତାର ଆକ୍ରମଣ କରିଆସୁଛି। ଏହି ଆକ୍ରମଣରେ ପାକିସ୍ତାନୀ ସେନାର ୫୦ ଜଣ ଯବାନ ଏବଂ ଗୁପ୍ତଚର ସଂସ୍ଥାର ୯ ଜଣ ଏଜେଣ୍ଟଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ପ୍ରାୟ ୫୧ ଜଣ ଯବାନ ଆହତ ହୋଇଛନ୍ତି। ବାଲୁଚ୍ ଆର୍ମି ଦାବି କରିଛି ଯେ, ୯ ଜୁଲାଇରୁ ୧୧ ଜୁଲାଇ ପର୍ଯ୍ୟନ୍ତ ପାକିସ୍ତାନୀ ସେନାର ୮୪ଟି ଘାଟି ଉପରେ ଆକ୍ରମଣ କରାଯାଇଥିଲା।
ରିପୋର୍ଟ ଅନୁଯାୟୀ, ବାଲୁଚ୍ ସେନା ପାକିସ୍ତାନର ସାମରିକ ଗୁଇନ୍ଦା ଏବଂ ଆଇଏସଆଇର ୯ ଜଣ ଏଜେଣ୍ଟଙ୍କୁ ହତ୍ୟା କରିଛି। ବାଲୁଚ୍ ସେନା ଏହି ଅପରେସନକୁ BAM ନାମ ଦେଇଛି। ସୂଚନା ଅନୁଯାୟୀ, ୭୨ ଘଣ୍ଟା ଧରି ଚାଲିଥିବା ଏହି ଅପରେସନରେ ବାଲୁଚ୍ ସେନା ଅନେକ ଖଣିଜ ଏବଂ ଗ୍ୟାସ ଟ୍ୟାଙ୍କରକୁ ମଧ୍ୟ ଟାର୍ଗେଟ କରିଥିଲା। ଏହା ବ୍ୟତୀତ ବାଲୁଚ୍ ସେନା ପାକିସ୍ତାନ ସେନାର ୫ଟି ଡ୍ରୋନ୍ ମଧ୍ୟ ନଷ୍ଟ କରିଛି। ବିଏଲଏ ଅନୁଯାୟୀ, ଏହା ପାକିସ୍ତାନ ସେନା ଉପରେ ପ୍ରାୟ ୩୦ଟି ଆକ୍ରମଣ କରିଛି। ପାକିସ୍ତାନର ଗୁପ୍ତଚର ସଂସ୍ଥା ଉପରେ ୨ଟି ଆକ୍ରମଣ ହୋଇଥିବା ବେଳେ, ୪ଟି ଆକ୍ରମଣ ପୁଲିସ ଚେକ୍ ପୋଷ୍ଟ ଉପରେ ଏବଂ ୪ଟି ଆକ୍ରମଣ ସେନା ଚେକ୍ ପୋଷ୍ଟ ଉପରେ କରିବା ସହ ପାକ୍ ସେନାର ଅସ୍ତ୍ରଶସ୍ତ୍ର ମଧ୍ୟ ଲୁଟି ନେଇଥିଲେ। ଯେଉଁଥିରେ ସ୍ୱୟଂଚାଳିତ ମେସିନ୍ ଗନ୍ ମଧ୍ୟ ସାମିଲ ଥିଲା। ବାଲୁଚ୍ ସେନା କୋଲୱା, ବେଲା, କଛି ଏବଂ ଝାଲାୱାନ୍ ଅଞ୍ଚଳରେ ଏହି ସମ୍ପୂର୍ଣ୍ଣ ଅପରେସନ୍ କରିଥିଲା।