ଭୁବନେଶ୍ୱର,୨୧/୭ : ସୋମବାର ବଜେଟ୍ ଅଧିବେଶନ । ନୂଆ ସରାକରଙ୍କ ଏହା ହେଉଛି ପ୍ରଥମ ଅଧିବେଶନ । ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡ଼ି କରାଯାଇଛି । ବିଧାନସଭା ଭିତର ଓ ବାହାର ସୁରକ୍ଷା ପାଇଁ ମୋଟ୍ ୩୦ ପ୍ଲାଟୁନ ଫୋର୍ସ ମୁତୟନ ବ୍ୟବସ୍ଥା କରାଯାଇଛି । ଏହା ଛଡ଼ା ୫ ଜଣ ଏଡିସିପି, ୧୧ ଏସିପି, ୧୩ ଇନ୍ସପେକ୍ଟର, ୭୦ ଜଣ ଏସଆଇ ଓ ଏଏସଆଇ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହେବେ । ସିସିକ୍ୟାମେରା ସହ ୫ଟି ଅସ୍ଥାୟୀ କଣ୍ଟ୍ରୋଲ୍ ରୁମ୍ର ବ୍ୟବସ୍ଥା କରାଯାଇଛି । ଡିସିପି ପ୍ରତୀକ ସିଂହଙ୍କ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା ପରିଚାଳିତ ହେବ । ସୁରକ୍ଷା ବ୍ୟବସ୍ଥାରେ ୨ ସେକ୍ସନ କ୍ୟୁଆରଟି ଟିମ୍, ୨ ୟୁନିଟ୍ ଏସ୍ଟିୟୁ, ଡଗ୍ ସ୍କ୍ୱାଡ୍ ଓ ବମ୍ ସ୍କ୍ୱାଡ୍ ମଧ୍ୟ ସାମିଲ ହେବେ । ସେପଟେ ଡିଜିପି ଅରୁଣ ଷଡ଼ଙ୍ଗୀ ଦିଲ୍ଳୀରେ ଚାଲିଥିବା ମାଓ ମିଟିଂରେ ଯୋଗଦେବାକୁ ଯାଇଛନ୍ତି । ରବିବାର ଫେରିବା ପରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବେ ।
ଅନ୍ୟପକ୍ଷରେ ଦୀର୍ଘ ବର୍ଷ ହେବ ନିଜର ଦାବି ନେଇ ବିଧାନସଭା ସମ୍ମୁଖରେ ଧାରଣା ଦେଉଥିବ ବିଭିନ୍ନ ସଙ୍ଗଠନର ଆଶା ଉଜ୍ଜୀବିତ ହୋଇଛି । ନୂଆ ସରକାର ସେମାନଙ୍କ ଦାବି ଶୁଣି ସମାଧାନ କରିବେ ବୋଲି ଅଶା ରଖିଛନ୍ତି । ପୂର୍ବ ସରକାରରେ ଅଫିସର ରାଜ୍ ଚାଲୁଥିଲା । ନେତାମାନେ କୌଣସି କଥା ଶୁଣୁ ନଥିଲେ । ଏବେ ନେତାମାନେ ଲୋକଙ୍କ ସହ ମିଶୁଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣି ସମାଧାନ ପାଇଁ ନିର୍ଦ୍ଦେଶ ଦେଉଛନ୍ତି । ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୯ଟି ସଙ୍ଗଠନ ଆନ୍ଦୋଳନ କରିବେ ବୋଲି ପୁଲିସ୍ ଠାରୁ ଅନୁମତି ମାଗିଛନ୍ତି । ସେପଟେ ଟ୍ରାଫିକ କଟକଣା ନେଇ ଏକ ବିଜ୍ଞାପ୍ତି ଜାରି କରାଯାଇଛି । ପ୍ରଥମ ପର୍ଯ୍ୟାୟ ୨୨ ତାରିଖ ଠାରୁ ୩୧ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅଗଷ୍ଟ ୨୦ରୁ ସେପ୍ଟେମ୍ୱର ୧୩ ତାରିଖ ପର୍ଯ୍ୟନ୍ତ ହେବ । ବିଧାନସଭା ଚାଲୁଥିବା ସମୟରେ ଯାନବାହନ ଚଳାଚଳ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ବିଧାନସଭା ସଂଲଗ୍ନ ରାସ୍ତାରେ କଟକଣା ଜାରି କରାଯାଇଛି । ଅର୍ବାନ ପୁଲିସ୍ ଆକ୍ଟରେ ପୁଲିସ୍ କିଛି ରାସ୍ତାକୁ ବନ୍ଦ କରିବ । ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି କେଶରୀ ଫିଲ୍ମ ହଲ୍ ଠାରୁ ବାମପାର୍ଶ୍ବ ରାସ୍ତା ଦେଇ ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ ।
ସେହିପରି ଏଜି ଛକ ପଟୁ ପିଏମ୍ଜି ଛକ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ଜୟଦେବ ଭବନ ପାଖରେ ଡାହାଣ ପାଶ୍ୱର୍ରେ ଥିବା ଆଇଜି ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବ । ମାଷ୍ଟରକ୍ୟାଣ୍ଟିନ ଛକ ପଟୁ ଆସୁଥିବା ଗାଡ଼ି ଲୋୟର ପିଏମ୍ଜି ଛକ ଠାରୁ ବାମ କିମ୍ୱା ଡାହାଣ ପାଶ୍ୱର୍ରେ ଥିବା ସର୍ଭିସ୍ ରୋଡ୍ ଦେଇ ଯିବା ଆସିବା କରିପାରିବେ । ୧୨୦ ବାଟାଲିୟନ ଛକପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥିବା ଯାନବାହନ ପାୱାର ହାଉସ୍ ଛକ ଦେଇ ଯିବ । ରାଜଭବନ ଛକ ପଟୁ ଏମ୍ଏଲ୍ଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥିବା ଗାଡ଼ି ଶାସ୍ତ୍ରୀ ନଗର ଛକ ଆଡ଼କୁ ଯିବେ । ଆଜି ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା ସୁରକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା କରିଛନ୍ତି ।