ଭୁବନେଶ୍ବର,୨/୮ : ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା । ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଏକ୍ସରେ ସୂଚନା ଦେଇଛନ୍ତି ।
ସେ ଲେଖିଛନ୍ତି କି, ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଟିର ମୃତ୍ୟୁ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ । ସରକାରଙ୍କ ସମସ୍ତ ପ୍ରୟାସ ଏବଂ ଏମ୍ସ ଦିଲ୍ଲୀରେ ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅହୋରାତ୍ର ଚେଷ୍ଟା ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା କରାଯାଇପାରିଲା ନାହିଁ। ମୁଁ ଝିଅଟିର ଅମର ଆତ୍ମାର ସଦଗତି କାମନା କରୁଛି ଏବଂ ଏହି ଅପୂରଣୀୟ କ୍ଷତିକୁ ସହିବା ପାଇଁ ତାଙ୍କ ପରିବାରକୁ ଶକ୍ତି ମିଳୁ ବୋଲି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି । ସେହିଭଳି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲେଖିଛନ୍ତି କି, ଏକ ଅଭାବନୀୟ ତଥା ଦୁର୍ଭାଗ୍ୟଜନକ ଅଘଟଣ ପରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ବଳଙ୍ଗା ପୀଡ଼ିତାଙ୍କର ପରଲୋକ ଘଟିଛି। ଅମର ଆତ୍ମାର ସଦଗତି କାମନା କରିବା ସହ ଏ ଦୁଖଃଦ ପରିସ୍ଥିତିରେ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଡାକ୍ତରୀ ଦଳ ଏବଂ ସରକାରଙ୍କ ସମସ୍ତ ପ୍ରକାର ଚେଷ୍ଟା ସତ୍ତ୍ଵେ ବଞ୍ଚାଇ ପାରିନଥିବାରୁ ଆମେ ଅତ୍ୟନ୍ତ ଦୁଃଖିତ।
ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଗତ ଜୁଲାଇ ୧୯ରେ ଅଭାବନୀୟ ଘଟଣା ଘଟିଥିଲା । ଜଣେ ନାବାଳିକାଙ୍କୁ ରାସ୍ତାରୁ ଟାଣି ନେଇ ତିନି ଜଣ ଦୁର୍ବୃତ୍ତ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ଏହାପରେ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରୁ ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା ।
ଏହି ଘଟଣାକୁ ନେଇ ପୁରୀ ଏସ୍ପି ପିନାକ ମିଶ୍ର କହିଥିଲେ ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କର ଦିଲ୍ଲୀ ଏମ୍ସରେ ବୟାନ ରେକର୍ଡ ହୋଇଛି । ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି ପୁରୀ ପୋଲିସ । କେସ୍ର ଆଇଓଙ୍କ ସହ ବଳଙ୍ଗା ଥାନା ଅଧିକାରୀ ଏବଂ ଜଣେ ମହିଳା ଡିଏସ୍ପି ପୀଡ଼ିତାଙ୍କ ବୟାନ ରେକର୍ଡ କରିଛନ୍ତି । ଏହାପରେ ସମଗ୍ର ଘଟଣା ପଛର କାରଣ ବିଷୟରେ ପୋଲିସ ପକ୍ଷରୁ ସାର୍ବଜନୀନ କରାଯିବ ବୋଲି ସୂଚନା ଦେଇଥିଲେ ।
ତେବେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ସମସ୍ତ ଆଇନଗତ ଦିଗକୁ ଦୃଷ୍ଟିରେ ରଖାଯାଇ ତଦନ୍ତ କରାଯାଉଛି । ନାବାଳିକାଙ୍କର ଚିକିତ୍ସା ଜାରି ରହିଥିବାରୁ ପୋଲିସ ପକ୍ଷରୁ ଅତି ସତର୍କତାର ସହିତ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ଏସ୍ପି କହିଥିଲେ । ମାତ୍ର ଶନିବାର ସନ୍ଧ୍ୟାରେ ଦିଲ୍ଲୀ ଏମ୍ସରେ ତାଙ୍କର ଦେହାନ୍ତ ହୋଇଛି ।