ପୁରୀ,୨୧/୭ : ଓଡ଼ିଶାବାସୀ ବିଜେପି ଉପରେ ଢେର ଆସ୍ଥା ଓ ଭରସା ରଖିଛନ୍ତି । ରାଜ୍ୟବାସୀଙ୍କ ଭରସା ଭାଙ୍ଗିବାକୁ ଦେବୁ ନାହିଁ । ବିକାଶ କ’ଣ ତାହା କରି ଦେଖାଇବୁ । ୨୦୩୬ରେ ପାଳନ ହେବ ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି । ଆସନ୍ତା ୧୨ ବର୍ଷ ମଧ୍ୟରେ ବିଜେପି ଏକ ଆଧୁନିକ ଓ ବିକଶିତ ଓଡ଼ିଶା ଗଠନ କରିବ । ଏ ସଂକଳ୍ପ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ନେଇଛି । ଏଥିପାଇଁ କାର୍ଯ୍ୟକାରିଣୀ ବୈଠକରେ ପ୍ରସ୍ତୁତ ହୋଇଛି ରୋଡମ୍ୟାପ୍ । ଏ ଲକ୍ଷ୍ୟ ହାସଲ ପାଇଁ ଦଳୀୟ ସଙ୍ଗଠନର ୧୨ ହଜାର କର୍ମୀ ଓ ସରକାର ପୂର୍ଣ୍ଣପ୍ରାଣରେ ନିଷ୍ଠାର ସହ କାମ କରିବେ ବୋଲି ଦଳ ସ୍ପଷ୍ଟ କରିଛି । ପୁରୀରେ ଆୟୋଜିତ ବିଜେପିର ଦୁଇଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶନିବାର ଉଦ୍ଯାପିତ ହୋଇଯାଇଛି । ଏଥିରେ ରାଜନୈତିକ ଚିଠା ପ୍ରସ୍ତାବ ନେଇ ଆଲୋଚନା ସହ ୩ଟି ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ୨୪ ନିର୍ବାଚନରେ ଓଡ଼ିଶାରେ ବିଜେପିକୁ ସରକାର ଗଠନ ନିମନ୍ତେ ସୁଯୋଗ ଦେଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦିଆଯାଇଛି ।
ଏକ ସାମ୍ବାଦିକ ସମ୍ମିଳନୀରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଲେ, ଓଡ଼ିଶା ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ । ଦେଶ ଇଂରେଜ ଶାସନାଧୀନ ଥିବା ବେଳେ ୧୯୩୬ରେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । ୨୦୩୬ରେ ରାଜ୍ୟ ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ । କୋଣାର୍କ ମନ୍ଦିର ନିର୍ମାଣ କରିବାକୁ ୧୨ ବର୍ଷ ଲାଗିଥିଲା । ବିଶୁ ମହାରଣା ଏହି ମନ୍ଦିର ଆରମ୍ଭ କରିଥିଲେ, ଧର୍ମପଦ ଏହାର ମୁଣ୍ଡି ମାରିଥିଲେ । ଏହିଭଳି ବିଜେପି ଆସନ୍ତା ୧୨ ବର୍ଷ ଭିତରେ ନୂଆ ଓଡ଼ିଶା ଗଠନ କରିବ । ରାଜନୈତିକ ଚିଠା ପ୍ରସ୍ତାବରେ କଂଗ୍ରେସର ଆଚରଣକୁ ନିନ୍ଦା କରାଯାଇଥିଲା । କଂଗ୍ରେସ ଦଳ ନେତା ରାହୁଲ ଗାନ୍ଧୀ ହିନ୍ଦୁ ସମାଜକୁ ହିଂସ୍ରୁକ କହି ଦେଶର କୋଟି କୋଟି ହିନ୍ଦୁମାନଙ୍କୁ ଅପମାନିତ କରିଛନ୍ତି । କଂଗ୍ରେସର ଆଚରଣ ଓ ଉଚ୍ଚାରଣ ଦେଶବାସୀଙ୍କୁ ବ୍ୟଥିତ କରିଛି । ବିଜେଡି ସରକାର ମଧ୍ୟ ୨୪ ବର୍ଷ ହେବ ଓଡ଼ିଆ ଅସ୍ମିତାକୁ ଦଳିଚକଟି ନଷ୍ଟ କରଛି । ‘୫-ଟି ‘ଆଳରେ ବିଜେଡି ସରକାର ରାଜ୍ୟବାସୀଙ୍କୁ ପ୍ରତାରଣା କରିଛି । ବିଜେଡି ୫୦ ହଜାର ଟଙ୍କାର ହରିଲୁଟ୍ କରିଛି ବୋଲି ଶ୍ରୀ ପୂଜାରୀ ଅଭିଯୋଗ କରିବା ସହ ଏହାର ତଦନ୍ତ ହେବ ବୋଲି କହିଛନ୍ତି । ୪ଭିତରେ ଶ୍ରୀ ପୂଜାରୀ କହିଲେ, ବିଜେପି ଲୋକଙ୍କ ବିଶ୍ୱାସକୁ ଅତୁଟ ରଖିବ । ଏହି ବିଶ୍ୱାସକୁ କାର୍ଯ୍ୟରେ ପରିଣତ କରିବା ନିମନ୍ତେ ବିଜେପି କର୍ମୀ ଓ ବିଜେପି ସରକାର ଉଭୟେ କାମ କରିବେ ।
ଏ ନେଇ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହୋଇଛି । ଆମେ ଏକ ଦୁର୍ନୀତିମୁକ୍ତ ସରକାର ଗଠନ କରିବାକୁ ଲକ୍ଷ୍ୟ ରଖିଛୁ । ଏକ ନୂଆ, ଆଧୁନିକ, ବିକଶିତ, ଆତ୍ମନିର୍ଭରଶୀଳ, କ୍ଷୁଧାମୁକ୍ତ ଓଡ଼ିଶା ଗଠନ ଦିଗରେ ବିଜେପି ସରକାର କାମ ଆରମ୍ଭ କରିଦେଇଛି । ନିର୍ବାଚନ ପ୍ରତିଶ୍ରୁତିରୁ ୯ଟି ପ୍ରସ୍ତାବ କ୍ୟାବିନେଟ୍ର ଅନୁମୋଦନ ପାଇସାରିଛି । ଶ୍ରୀମନ୍ଦିର ୪ ଦ୍ୱାର ଓ ରତ୍ନଭଣ୍ଡାର ଖୋଲିବା, ଶ୍ରୀମନ୍ଦିର ଉନ୍ନତି ନିମନ୍ତେ ଆର୍ଥିକ ଅନୁଦାନ, ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବୃଦ୍ଧି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବାକୁ ନିଷ୍ପତ୍ତି ହୋଇଛି । ‘ସୁଭଦ୍ରା’ ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ନଗଦ ଭାଉଚର୍ ଦେବା ପ୍ରତିଶ୍ରୁତିକୁ ମଧ୍ୟ ଖୁବ୍ ଶୀଘ୍ର ବିଜେପି ସରକାର ପୂରଣ କରିବେ । ଏ ନିଷ୍ପତ୍ତି ପାଇଁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।
ବିଜେଡି ସରକାର ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନକୁ କିଭଳି କୁଠାରଘାତ କରି ଚାଲିଥିଲା ସେ ନେଇ କାର୍ଯ୍ୟକାରିଣୀରେ ଆଲୋଚନା ସହ ନିନ୍ଦା କରାଯାଇଥିଲା । ବିଗତ ୨୪ ବର୍ଷରେ ବିଜେଡି ଓଡ଼ିଆ ଅସ୍ମିତାକୁ ରକ୍ତାକ୍ତ କରିଛି । ଯେତେବେଳେ ଉଭୟ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ ସଙ୍କଟରେ ଅଛି ସେଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଜେପି ରାଜ୍ୟର ଶାସନ ଭାର ଧରିଛି । ଓଡ଼ିଆ ସ୍ୱାଭିମାନକୁ କୌଣସି ପରିସ୍ଥିତିରେ ଭୁଲୁଣ୍ଠିତ ହେବାକୁ ଦିଆଯିବ ନାହିଁ ବୋଲି ଦଳ ନିଷ୍ପତ୍ତି ନେଇଛି । ଦଳ ଦର୍ଶାଇଛି, ବିଜୁ ଜନତା ଦଳ ସରକାରରେ ନିର୍ବାଚିତ ଜନପ୍ରତିନିଧିମାନେ ଏକପ୍ରକାର ରବର ଷ୍ଟାମ୍ପ ଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଅଣଓଡ଼ିଆ ଅଧିକାରୀଙ୍କ ଦ୍ୱାରା ଶାସନ ଚଲାଉଥିଲେ । ଅଣଓଡ଼ିଆ ବ୍ୟବସାୟୀମାନଙ୍କୁ ପ୍ରାଧାନ୍ୟ ମିଳୁଥିଲା । ଓଡିଶାର ଶିକ୍ଷା, ସ୍ୱାସ୍ଥ୍ୟ, ମହିଳାଙ୍କ ସୁରକ୍ଷା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ଦୂରଦୃଷ୍ଟି ଓ ଦୃଢ଼ ଇଚ୍ଛାଶକ୍ତି ଅଭାବରୁ ବଜେଡି ସରକାର ଓଡ଼ିଶାର ସର୍ବନିମ୍ନ ବିକାଶ କରିବାରେ ମଧ୍ୟ ସଫଳ ହେଲାନାହିଁ । କାର୍ଯ୍ୟକାରିଣୀ ବିଜେଡିର ଶାସନ କାଳକୁ ଅରାଜକତା ଓ ଭ୍ରଷ୍ଟାଚାରର ସମୟ ବୋଲି ଦର୍ଶାଇ ରାଜ୍ୟରେ ଏକ ସ୍ୱଚ୍ଛ, ନିର୍ମଳ, ପାରଦର୍ଶୀ ଏବଂ ଜନପ୍ରିୟ ଶାସନ ବ୍ୟବସ୍ଥା ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛି । ପ୍ରତ୍ୟେକ ବିଜେପି କର୍ମୀ ବିକଶିତ ଓଡ଼ିଶା ଗଠନ ସହ ଓଡ଼ିଶାର ଅସ୍ମିତାକୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ ନିଷ୍ଠାର ସହ କାମ କରିବେ ବୋଲି ବିଜେପି ସଂକଳ୍ପ କରିଛି ।
ହିନ୍ଦୁଙ୍କ ପ୍ରତି ରାହୁଲଙ୍କ ମନ୍ତବ୍ୟକୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନିନ୍ଦା କରାଯାଇଛି । ଇନ୍ଦିରା ଗାନ୍ଧୀ ସମ୍ବିଧାନ ବ୍ୟବସ୍ଥାକୁ ହତ୍ୟା କରି ୨୫ ଜୁନ୍ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ । ଏହାକୁ ବହୁ ଅନୁଷ୍ଠାନ କଳାଦିବସ ଭାବେ ପାଳନ କରୁଛନ୍ତି । ଭାରତ ସରକାର ସରକାରୀ ଭାବେ ଏହି ଦିନକୁ ସମ୍ବିଧାନ ହତ୍ୟା ଦିବସ ପାଳନ ଲାଗି ନିଷ୍ପତ୍ତି ନେଇଥିବାରୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏହାକୁ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ସାଂସଦ ବୈଜୟନ୍ତ ପଣ୍ଡା, ପ୍ରତାପ ଷଡ଼ଙ୍ଗୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ ପ୍ରମୁଖ ଯୋଗଦେଇ ବିଜେପି ନେତାମାନଙ୍କୁ ମାର୍ଗଦର୍ଶନ କରିଥିଲେ ।