ପ୍ରମୂଖ ଖବର
  • ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ
  • ||
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

କାହିଁକି ଚିହିଁକିଲେ ରାମକୃଷ୍ଣ ଦାସମହାପାତ୍ର? ବଙ୍ଗଳାରେ କହିଲେ ପୁରୀରେ ପଲଟିଗଲେ, ଜବାବ ମାଗୁଛନ୍ତି ଜଗନ୍ନାଥ ପ୍ରେମୀ

Published By : Prameya | May 3, 2025 11:30 PM

ପୁରୀ,୦୪/୦୫:  ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି ।  ନବକଳେବର ବଳକା ଦାରୁରେ ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ ହୋଇଛନ୍ତି । ଏହାସହିତ ଏଥିରେ ମାଧବଙ୍କୁ ମଧ୍ୟ ଗଢ଼ାଯାଇଛି । ଏହାକୁ ଦୀଘା ଜଗନ୍ନାଥ ମନ୍ଦିରରେ ଅକ୍ଷୟ ତୃତୀୟା ଦିନ ପ୍ରତିଷ୍ଠା କରାଯାଇଥିଲା । ଏକଥାକୁ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣଦାସ ମହାପାତ୍ର ଏକ ବଙ୍ଗଳା ଟିଭି ଚ୍ୟାନେଲରୁ ସାକ୍ଷାତକାର ଦେଇ କହିଥିଲେ । ମାତ୍ର ପୁରୀରେ ପହଞ୍ଚିବା ମାତ୍ରେ ନିଜର ମନ୍ତବ୍ୟ ବଦଳାଇଛନ୍ତି । ତେବେ ଏହି ଅନୀତିକୁ ନେଇ ଗଣମାଧ୍ୟମ ପ୍ରଶ୍ନ କରିବାରୁ ସେ ସାମ୍ବାଦିକଙ୍କ ଉପରେ ଚିହିଁକି ଉଠିଛନ୍ତି । ଆଉ ନାଲିଆଖି ଦେଖାଇ, ତମେ କିଏ ମୋତେ କହିବାକୁ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ।

ଏଠି ପ୍ରଶ୍ନ ଉଠିଛି, ମହାପ୍ରଭୁ ଶ୍ରୀକ୍ଷେତ୍ର ନିବାସୀ ଶ୍ରୀଜଗନ୍ନାଥ କାହାର ? ବଡ଼ଦେଉଳ କେଉଁମାନଙ୍କ ପାଇଁ ଖୋଲା ହୋଇଛି ? ସମଗ୍ର ବିଶ୍ବର ଜଗନ୍ନାଥ ପ୍ରେମୀଙ୍କ ପାଇଁ, ୪ କୋଟି ଓଡ଼ିଆଙ୍କ ପାଇଁ ନା କିଛି ମୁଷ୍ଟିମେୟ ସେବାୟତଙ୍କ ପାଇଁ ? କୋଟି ଓଡ଼ିଆଙ୍କ ମଉଡ଼ମଣିଙ୍କ ସେବାରେ ଅନୀତି ହେଲେ କ’ଣ ସେବାୟତଙ୍କୁ ପ୍ରଶ୍ନ କରାଯାଇପାରିବ ନାହିଁ ? କ’ଣ ଶ୍ରୀମନ୍ଦିର ପ୍ରଶାସନ ସେମାନଙ୍କ ନିକଟରେ ଅସହାୟ ? ତେବେ ନୋଟିସ୍ ଜାରି ହେବା ପରେ ବି କାହିଁକି ଏହାକୁ ବେଖାତିର କଲେ ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର ? କିପରି ଦୀଘା ଚାଲିଗଲେ ମୂର୍ତ୍ତି ପ୍ରତିଷ୍ଠା କରିବାକୁ ? ନବକଳେବର ବଳକା ଦାରୁରେ ଚତୁର୍ଦ୍ଧାମୂର୍ତ୍ତି ଗଢ଼ାଇଛନ୍ତି ବୋଲି ବଙ୍ଗଳା ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଥିଲେ । ମାତ୍ର ପୁରୀ ପହଞ୍ଚିବା ପରେ ନିଜ ବୟାନ ବଦଳାଇ ଦେଲେ । ଆଉ ଏହାକୁ ନେଇ ଗଣମାଧ୍ୟମ ପ୍ରଶ୍ନ କରିବାକୁ ସାମ୍ବାଦିକଙ୍କୁ ସେ ନାଲି ଆଖି ଦେଖାଇଛନ୍ତି । 

ମହାପ୍ରଭୁଙ୍କ ଅନୀତିକୁ ନେଇ ପ୍ରଶ୍ନ କରିବା କ’ଣ ଭୁଲ୍ ? ଏହି କଥାକୁ ନେଇ ଗତ ତିନି ଦିନ ଧରି ସାରା ରାଜ୍ୟରେ ଆଲୋଡ଼ନ । ସାଧାରଣ ଜନତା, ଜଗନ୍ନାଥ ପ୍ରେମୀ ଓ ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଏନେଇ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ଏହି ଘଟଣାକୁ ନେଇ ମଧ୍ୟ ଶନିବାର ଶ୍ରୀମନ୍ଦିର ପ୍ରଶସାନର ବୈଠକ ବସିଥିଲା । ବଳକା ଦାରୁ କେଉଁଠି ରୁହେ ? ତାହାର ସୁରକ୍ଷା କାହା ଦାୟିତ୍ବ ? ଏହି ପ୍ରସଙ୍ଗରେ ସେବାୟତଙ୍କ ଅଧିକାରର ପରିସୀମା କେତେ ? ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ନିଯୋଗ, ସମସ୍ତଙ୍କୁ ନେଇ ଅନେକ ପ୍ରଶ୍ନ ଆନ୍ଦୋଳିତ ହେଉଛି । ଏହି ପରିପେକ୍ଷୀରେ ରାମକୃଷ୍ଣ ଦାସମହାପାତ୍ରଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଚରାଉଚରା କରିବାକୁ ସ୍ଥିର କରିଛନ୍ତି । ତଥାପି ବିବାଦ ତୁଟୁନି । ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସମହାପାତ୍ର ପ୍ରତିକ୍ରିୟା ସାଧାରଣରେ ହଜମ ହେବା ଭଳି ଲାଗୁନି । ଏହି ପ୍ରସଙ୍ଗର ନିସ୍କର୍ଷ କେବେ ? ପ୍ରକୃତ ସତ କ’ଣ ? ତାହା ଖୁବ୍ ଶୀଘ୍ର ସ୍ପଷ୍ଟ ହେବା ନିହାତି ଜରୁରୀ । କାରଣ ଏହା ସହିତ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ଜଡ଼ିତ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.