ଭଞ୍ଜନଗର,୨୧/୭(ଆପ୍ର): ଭଞ୍ଜନଗର ବ୍ଲକର ସାନକୋଦଣ୍ଡା ପଞ୍ଚାୟତ ଅନ୍ତର୍ଗତ ଗମ୍ଭାରୀଗୋଚ୍ଛା ଗ୍ରାମରେ ଝାଡାବାନ୍ତିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗତ ଶନିବାର ଗ୍ରାମର ପାଣୁ ଗୌଡ଼ଙ୍କ ମୃତ୍ୟୁ ଘଟିଥିବା ବେଳେ ସୋମବାର ଦଣ୍ଡାସି ସାହୁଙ୍କ ମୃତ୍ୟୁ ଘଟିଛି। ଏଥିସହ ତାଙ୍କ ପରିବାରର ୩ ଜଣ ଆକ୍ରାନ୍ତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଏବେ ୨ ଜଣ ଚିକିତ୍ସିତ ହେଉଛନ୍ତି।
ଗମ୍ଭାରୀଗୋଚ୍ଛାରେ ଗତ ୧୪ ତାରିଖରେ ଦଣ୍ଡାସି ସାହୁଙ୍କୁ (୬୪) ଝାଡାବାନ୍ତି ହୋଇଥିଲା। ପରିବାର ଲୋକ ଘରେ ଚିକିତ୍ସା ଆରମ୍ଭ କରିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଏହପରେ ତାଙ୍କ ଝିଅ ଗୀତାଞ୍ଜଳୀ ସାହୁ,ପୁଅ ମିଟୁ ସାହୁ ଓ ପତ୍ନୀ ଗୋଲାପ ସାହୁ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ମିଟୁ ବର୍ତ୍ତମାନ ଭଲ ହୋଇ ଘରକୁ ଫେରିଥିବା ବେଳେ ଗୀତାଞ୍ଜଳୀ ଓ ଗୋଲାପଙ୍କ ଚିକିତ୍ସା ଜାରି ରହିଛି। ସେମାନଙ୍କ ଅବସ୍ଥା ମଧ୍ୟ ସୁଧୁରିଥିବା ବେଳେ ସ୍ଥିତି ଦେଖି ତାଙ୍କୁ ମଧ୍ୟ ଡିସ୍ଚାର୍ଜ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ତେବେ ଆଉ କିଛି ବ୍ୟକ୍ତି ମଧ୍ୟ ଏଭଳି ଆକ୍ରାନ୍ତ ହୋଇଥିବା ବେଳେ ମେଡିସିନ୍ ଖାଇବା ପରେ ସେମାନେ ସୁସ୍ଥ ହୋଇଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି।
ଏଭଳି ଘଟଣା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ସାଲାଇନ୍,ଇଞ୍ଜେକ୍ସନ୍ ଦେବା ସହ ଔଷଧ ଯୋଗାଇ ଦିଆଯାଇଛି। ସ୍ଥାନୀୟ ସ୍ବାସ୍ଥ୍ୟଟିମ୍ ପ୍ରାଥମିକ ଚିକିତ୍ସାରେ ସହଯୋଗ କରୁଛନ୍ତି। ବାହାର ପାଣି ସିଧାସଳଖ ନପିଇ ଫୁଟେଇ ପିଇବାକୁ ଅନୁରୋଧ କରଯାଇଛି। ଟିମ୍ ଗାଁକୁ ଯାଇ ଆକ୍ରାନ୍ତଙ୍କ ସ୍ଥିତି ଅନୁଧ୍ୟାନ କରିଛି। ଗାଁ ରେ ରହିଥିବା ଖୋଲା କୂଅ, ନଳକୂଅ ଗୁଡ଼ିକରେ ବ୍ଲିଚିଂ ପକାଇ ଜଳ ବିଶୋଧନ କରଯିବା ସହ, ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି। ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମଧ୍ୟ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡିଛି।