ଭୁବନେଶ୍ଵର, ୧୪/୦୮ : ସ୍ଵାଧୀନତା ଦିବସ ଅବସରରେ ୧୦୯୦ ଜଣଙ୍କୁ ମିଳିବ ବୀରତ୍ଵ ପୁରସ୍କାର। ପୁଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ୍ ଡିଫେନ୍ସ ଏବଂ ସୁଧାର ସେବାର ୧୦୯୦ କର୍ମୀଙ୍କୁ ଗ୍ୟାଲେଣ୍ଟ୍ରି ଆୱାର୍ଡରେ ସମ୍ମାନିତ କରାଯିବ। ସେମାନଙ୍କ ମଧ୍ୟରୁ ୨୩୩ ଜଣଙ୍କୁ ବୀରତ୍ଵ ପଦକ (GM), ୯୯ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ (PSM) ଏବଂ ୭୫୮ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପଦକ (MSM) ପ୍ରଦାନ କରାଯିବ।
ବୀରତ୍ଵ ପୁରସ୍କାର ମଧ୍ୟରୁ ନକ୍ସଲ ପ୍ରଭାବିତ ଅଞ୍ଚଳରେ ମୁତୟନ ହୋଇଥିବା ୫୪ ଜଣ ଯବାନଙ୍କୁ ସମ୍ମାନିତ କରାଯିବ। ସେହିପରି ଜାମ୍ମୁ କାଶ୍ମୀରର ୧୫୨ ଜଣ ଯବାନ, ଉତ୍ତର-ପୂର୍ବର ୩ ଯବାନ ଏବଂ ଅନ୍ୟ ଅଞ୍ଚଳର ୨୪ ଯବାନଙ୍କୁ ବୀରତ୍ଵପୂର୍ଣ୍ଣ କାର୍ଯ୍ୟ ପାଇଁ ସମ୍ମାନିତ କରାଯିବ। ସେହିପରି ୨୨୬ ପୁଲିସକର୍ମୀ ଏବଂ ୬ ଅଗ୍ନିଶମ ସେବା କର୍ମଚାରୀଙ୍କୁ ସମ୍ମାନିତ କରାଯିବ।
ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୯୯ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ସେମାନଙ୍କ ମଧ୍ୟରୁ ୮୯ ଜଣ ପୁଲିସ, ଅଗ୍ନିଶମ ବିଭାଗରୁ ୫ ଜଣ , ହୋମଗାର୍ଡରୁ ୩ ଜଣ ଏବଂ ସୁଧାର ସେବାରୁ ୨ ଜଣଙ୍କୁ ସମ୍ମାନିତ କରାଯିବ। ସେହିପରି ପ୍ରଶଂସନୀୟ କାର୍ଯ୍ୟ ପାଇଁ ୭୫୮ ଜଣଙ୍କୁ ସମ୍ମାନିତ କରାଯିବ। ଏମାନଙ୍କ ମଧ୍ୟରୁ ୬୩୫ ଜଣ ପୁଲିସ, ୫୧ ଜଣ ଅଗ୍ନିଶମ, ୪୧ ଜଣ ହୋମଗାର୍ଡ ଏବଂ ସୁଧାର ସେବାର ୩୧ ଜଣଙ୍କୁ ସମ୍ମାନିତ କରାଯିବ।
ଓଡ଼ିଶାରୁ ସମ୍ମାନିତ ହେବେ ଏମାନେ...
ଓଡ଼ିଶାରୁ ୯ ଜଣଙ୍କୁ ମିଳିବ ସାହସିକତା ପଦକ। ଏସଆଇ ଅମରେଶ ନରେନ୍ଦ୍ର, କନେଷ୍ଟବଳ ଜିତେନ୍ଦ୍ର ନାୟକ, ଓଏପିଏଫ୍ ଅର୍ଜ୍ଜୁନ ମଲ୍ଲିକ, ଯୁଧିଷ୍ଠିର ମଲ୍ଲିକ, ହାବିଲଦାର ଅଶ୍ଵିନୀ ବାଗ, କମାଣ୍ଡୋ ଡମ୍ଵରୁଧର ଭୋଇ, ନବୀନ ସାହୁ, ପ୍ରଦୀପ ଶ୍ରେଷ୍ଠ, ଅଭିମନ୍ୟୁ ମାଝୀଙ୍କୁ ସାହସିକତା ପଦକ ମିଳିବ। ବିଶିଷ୍ଟ ସେବା ପାଇଁ ଓଡ଼ିଶାର ଏଏସପି ରବୀନ୍ଦ୍ର ପଣ୍ଡା, କମାଣ୍ଡାଣ୍ଟ ନରେଶ ପଟେଲଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ଓଡ଼ିଶାରୁ ୧୧ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିବ। ଏଆଇଜି ମହେଶ୍ଵର ସେଠୀ, ଏଏସପି ପ୍ରଦୀପ ପ୍ରଧାନ, ଦେବେନ୍ଦ୍ର ଦାସ, ଡିଏସପି ଆଶିଷ ରାଉତ, ଇନ୍ସପେକ୍ଟର ଶ୍ରୀନିବାସ ଦୋରା, ଡିଏସପି ହେମାମାଳିନୀ ନାୟକ, କମାଣ୍ଡାଣ୍ଟ ସୂର୍ଯ୍ୟ ନାରାୟଣ ମଲ୍ଲିକ, ଇନ୍ସପେକ୍ଟର ସନ୍ତୋଷ ମିର୍ଦ୍ଧା, ଏଏସଆଇ ଅରୁଣ ସାମନ୍ତ, ଅରବିନ୍ଦ ଦାସ, କନେଷ୍ଟବଳ ଚିନ୍ମୟୀ ରାଉତଙ୍କୁ ପଦକ ମିଳିବ।