ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଏଆଇଏଡିଏମ୍‌କେ କାହାଣୀର ହୋଇନି ଅନ୍ତ...ପୁଣି ରାଜନୀତିକୁ ଫେରିବେ ଭି.କେ ଶଶୀକଳା

ଚେନ୍ନାଇ,୧୮/୦୬: ନିକଟରେ ଶେଷ  ହୋଇଥିବା ଲୋକସଭା ନିର୍ବାଚନରେ ତାମିଲନାଡୁରେ ଏଆଇଏଡିଏମ୍‌କେ ଗୋଟିଏ ହେଲେ ଆସନ  ଜିତିପାରିନାହିଁ । ଦଳ ୩୨ଟି ଆସନରେ ଲଢ଼ିଥିଲା ବେଳେ ସବୁ ଆସନରେ ପରାଜୟ ବରଣ କରିବାକୁ  ପଡିଥିଲା । ଯାହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି  ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ମୁଖ୍ୟ ସ୍ୱର୍ଗତ ଜେ. ଜୟଲଳିତାଙ୍କ ବାନ୍ଧବୀ ଭି.କେ ଶଶୀକଳା ।  ସେ ପୁଣି ରାଜନୀତିକୁ ଫେରିବେ ବୋଲି ଘୋଷଣା  କରିଛନ୍ତି । କହିଛନ୍ତି ଏଆଇଏଡିଏମ୍‌କେ କାହାଣୀର  ଅନ୍ତ ଘଟିନାହିଁ । ଏବେ ତାଙ୍କର ରାଜନୈତିକ କ୍ୟାରିଅର  ଆରମ୍ଭ ହୋଇଛି । ଦଳକୁ ପୁଣିଥରେ ଠିଆ କରାଇବେ  ଏବଂ ରାଜ୍ୟରେ କ୍ଷମତାସୀନ ମଧ୍ୟ କରାଇବେ । 

ଚେନ୍ନାଇ ଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ  କରିବା ଅବସରରେ ସେ କହିଛନ୍ତି ଆଗାମୀ ୨୦୨୬  ବିଧାନସଭା ନିର୍ବାଚନରେ ରାଜ୍ୟରେ ନିଶ୍ଚିତ ଭାବେ  ଏଆଇଏଡିଏମ୍‌କେ କ୍ଷମତାସୀନ ହେବ । ରାଜ୍ୟରେ  ପୁଣିଥରେ ଆମ୍ମା (ଜୟଲଳିତା)ଙ୍କ ସରକାର ବନିବ ।  ତାହା ପୁଣି ପୂର୍ଣ୍ଣ ବହୁମତର ସହିତ । ଏବେ ସମୟ  ଆସିଯାଇଛି । ଚିନ୍ତା କରିବାର କୌଣସି କାରଣ ନାହିଁ ।  ତାମିଲନାଡୁର ଜନତା ତାଙ୍କୁ ନିଶ୍ଚିତ ଭାବେ ସମର୍ଥନ  କରିବେ । ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ମଜଭୁତ ଅଛନ୍ତି ବୋଲି  କହିଛନ୍ତି । ଲୋକସଭା ନିର୍ବାଚନ ହାରିବା ସମ୍ପର୍କରେ  ସେ କହିଛନ୍ତି କିଛି ସ୍ୱାର୍ଥପର ନେତାଙ୍କ ପାଇଁ ଦଳର  ଏଭଳି ପରାଜୟ ଘଟିଛି । ସେ ସବୁକିଛି ନୀରବରେ  ଦେଖିଆସୁଛନ୍ତି । ଏଆଇଏଡିଏମ୍‌କେର ପ୍ରତିଷ୍ଠାତା  ଏମଜି ରାମଚନ୍ଦ୍ରନଙ୍କ ସିଦ୍ଧାନ୍ତର ଉଦାହରଣ ଦେଇ  ଶଶୀକଳା କହିଛନ୍ତି ଏମ୍‌ଜିଆର ଲୋକଙ୍କୁ କ୍ଷମା କରିବା  ଓ ସେମାନଙ୍କୁ ସାଥୀରେ ନେଇ ଚାଲିବା ଉପରେ ବିଶ୍ୱାସ  କରିଥାନ୍ତି । ସେ ମଧ୍ୟ ଏହି ରାସ୍ତା ଗ୍ରହଣ କରିବେ । 

୨୦୧୬ ଡିସେମ୍ବର ୫ରେ ଜୟଲଳିତାଙ୍କ ମୃତ୍ୟୁ  ପରେ ସେହିବର୍ଷ ଡିସେମ୍ବର ୨୯ରେ ଶଶୀକଳାଙ୍କୁ  ଏଆଇଏଡିଏମ୍‌କେର ମହାସଚିବ ନିଯୁକ୍ତ  କରାଯାଇଥିଲା । ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ୨୦୧୭  ଫେବ୍ରୁଆରୀରେ ମନୋନୀତ କରାଯାଇଥିଲା । କିନ୍ତୁ  ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁପ୍ରିମକୋର୍ଟ  ତାଙ୍କୁ ୪ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଥିଲେ ।  ଯାହାଫଳରେ ତାଙ୍କୁ ଜେଲ୍‌ ଯିବାକୁ ପଡିଥିଲା । ହେଲେ  ଜେଲ୍‌ ଯିବା ପୂର୍ବରୁ ସେ ଦଳର ଅନ୍ୟତମ ବରିଷ୍ଠ ନେତା  କେ. ପାଲାନିସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଥିଲେ ।  ହେଲେ ଦଳରେ କ୍ଷମତାକୁ ନେଇ ବିଦ୍ରୋହ ଦେଖିବାକୁ  ମିଳିଥିଲା । ଶେଷରେ ୨୦୧୭ ସେପ୍ଟେମ୍ବରରେ  ଶଶୀକଳାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ଏହା  ବିରୋଧରେ ସେ କୋର୍ଟକୁ ଯାଇଥିଲେ ମଧ୍ୟ ବିଫଳ  ହୋଇଥିଲେ । 

୨୦୨୧ ଜାନୁଆରୀରେ ସେ ଜେଲ୍‌ରୁ  ମୁକ୍ତ ହୋଇଥିଲେ । ହେଲେ ତାଙ୍କର ମୁଖ୍ୟମନ୍ତ୍ରୀ  ହେବାର ଆଶା ଅଧୁରା ରହିଗଲା । ସେହିବର୍ଷ ଅନୁଷ୍ଠିତ  ବିଧାନସଭା ନିର୍ବାଚନରେ ଡିଏମ୍‌କେ କ୍ଷମତାକୁ  ଫେରିଥିଲା । ଏହା ପରେ ୨୦୨୨ ଅକ୍ଟୋବରରେ  ତାମିଲନାଡୁ ସରକାର ଜୟଲଳିତାଙ୍କ ମୃତ୍ୟୁ ରିପୋର୍ଟ  ସାର୍ବଜନୀନ କରିଥିଲେ । ସେଥିରେ ଶଶୀକଳାଙ୍କ ଭୂମିକା  ଉପରେ ସନ୍ଦେହ ପ୍ରକଟ କରାଯାଇଥିଲା । ତେଣୁ କମିଟି  ପୁଣିଥରେ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଲାଗି ସରକାରଙ୍କୁ ସୁପାରିସ କରିଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.