ମୋହନା, ୧୭/୧୧: ପିକନିକ୍ ଯିବା ହେଲା କାଳ । କେନ୍ଦୁଘାଟିରେ ଟ୍ରାଭେଲର ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ମୃତକ ନୟାଗଡ଼ ଜିଲ୍ଲା ଚାହାଳିର ସରୋଜିନୀ ବେହେରା ବୋଲି ଜଣାପଡ଼ିଛି । ଆହତଙ୍କ ମଧ୍ୟରେ ୪ ଜଣ ମହିଳା, ୨ ଜଣ ଶିଶୁ ଅଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକ କେନ୍ଦୁଘାଟିରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଶରଣକୁଳ ଓ ଚଢ଼େୟାପଲି ଅଞ୍ଚଳର ଗୋଟିଏ ପରିବାରର ୧୪ ଜଣ ଏକ ଟ୍ରାଭେଲରରେ ପିକନିକ୍ ପାଇଁ ଭୁବନେଶ୍ୱରରୁ କୋରାପୁଟ ଯାଉଥିଲେ । ତେବେ ରବିବାର ଭୋର ୪ ଟାରେ କେନ୍ଦୁଘାଟିରେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡିଥିଲା । ଗାଡିଟି ୨ ଥର ପଲଟି ଥିବା ବେଳେ ଭିତରେ ଥିବା ଯାତ୍ରୀ ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଉଭୟ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି କରିଛି । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତ ୩ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।