ପାରଳାଖେମୁଣ୍ଡି,୧୦/୧୧: ଶିଙ୍ଗକାମ ପାଇଁ ଖୁବ୍ ପ୍ରସିଦ୍ଧ ଗଜପତିର ପାରଳାଖେମୁଣ୍ଡି ସହର । ଏଠାକାର ଶିଙ୍ଗରେ ସୂଷ୍ମ କାରକାର୍ଯ୍ୟ ବେଶ୍ ଆକର୍ଷଣୀୟ, ମନୋଲୋଭା । ସ୍ଥାନୀୟ ଶିଙ୍ଗଶିଳ୍ପୀ ଜାତୀୟସ୍ତରରେ ନାଁ କରିଛନ୍ତି, ପୁରସ୍କୃତ ହୋଇଛନ୍ତି । ଏବେ ଶିଳ୍ପୀଙ୍କ ସଂଖ୍ୟା ଆଶାତୀତ ଭାବେ କମିଛି । କିଛି ହାତଗଣତି କାରିଗର ଏହି କାରୁକାର୍ଯ୍ୟରେ ନିମଗ୍ନ । ନୂଆପିଢ଼ି ଏହି କାମ ପ୍ରତି ଆକୃଷ୍ଟ ହେଉନାହାନ୍ତି । ପ୍ରାୟ ୨ ଶହ ବର୍ଷର ପୁରୁଣା ଏହି ହସ୍ତଶିଳ୍ପ ଲଗାତାର ହ୍ରାସ ପାଇ ଚାଲିଛି । କଞ୍ଚାମାଲର ଅଭାବ, ପଶୁ ଶିଙ୍ଗର ଅତ୍ୟଧିକ ମୂଲ୍ୟ ବୃଦ୍ଧି, ସରକାରୀ ପ୍ରୋତ୍ସାହନର ଅଭାବ ଶିଳ୍ପ ସଂକୁଚିତ ହେବାର ମୁଖ୍ୟ କାରଣ । ଏହି ପ୍ରସିଦ୍ଧ ଶିଳ୍ପର ଏବେ ଦୟନୀୟ ଅବସ୍ଥା । ପାରଳାରେ ଥିବା ଶିଙ୍ଗ ହସ୍ତଶିଳ୍ପ ବିଶ୍ୱକର୍ମା ସମବାୟ ସମିତି ଲିମିଟେଡ୍ ମଧ୍ୟ ତିଷ୍ଠି ରହିବା ପାଇଁ ସଂଘର୍ଷ କରୁଛି ।
ପାରଳାଖେମୁଣ୍ଡିରେ ଗଜପତି ମହାରାଜାମାନଙ୍କ ପୃଷ୍ଠପୋଷକତାରେ ଶିଙ୍ଗ କାମ ଆରମ୍ଭ ହୋଇଥିଲା । ମହାରଣା ସମ୍ପ୍ରଦାୟର କାରିଗରମାନେ ୨ଟି ସାହିରେ ରହି କାମ କରୁଥିଲେ । ନିଖୁଣ କାରିଗରୀ ସାଙ୍ଗକୁ ମନୋଲୋଭା ସାଜସଜ୍ଜା ସାମଗ୍ରୀ ବେଶ୍ ଆକର୍ଷଣୀୟ ଦେଖାଯାଉଥିଲା । ଦେଶବିଦେଶର ଗ୍ରାହକ ଆସି ଏହାକୁ କିଣି ନେଉଥିଲେ । ସୁନ୍ଦର ଉପହାର ଭାବେ ଏହା ଲୋକଙ୍କୁ ଦେବା ହେଉ କି ଘର ସଜାଇବା ହେଉ ପାରଳା ଶିଙ୍ଗ ସାମଗ୍ରୀର ଚାହିଦା ରହୁଥିଲା । କଞ୍ଚାମାଲ ଦର ସାଙ୍ଗକୁ କାରିଗରଙ୍କ ପାରିଶ୍ରମିକ ମିଶାଇଲେ ମଧ୍ୟ ଶିଙ୍ଗ ଉତ୍ପାଦ ଗ୍ରାହକଙ୍କ ପକେଟ୍କୁ ସୁହାଉଥିଲା । ତେଣୁ ବିକ୍ରିବଟା ଅଧିକ ରହୁଥିଲା । କାରିଗର ମଧ୍ୟ ସେମାନଙ୍କ ପରିଶ୍ରମର ଉଚିତ ମୂଲ୍ୟ ପାଉଥିଲେ ।
୧୯୪୮ ମେ’ ୧୩ରେ ରାଜଦାଣ୍ଡ ସାହିର ଶିଳ୍ପୀ ଭୀମ ମହାରଣାଙ୍କ ଉଦ୍ୟମରେ ବର୍ତ୍ତମାନର ପୁରୁଣା ବସ୍ଷ୍ଟାଣ୍ଡ୍ଠାରେ ବିଶ୍ୱକର୍ମା ସମବାୟ ସମିତି ଲିଃ ଖୋଲାଯାଇଥିଲା । ଶିଙ୍ଗ କାମ ମହାରଣାଙ୍କ ସଂଗଠନ କରାଯିବା ସହ ସମିତି ଜରିଆରେ କାରିଗରଙ୍କୁ ପ୍ରୋତ୍ସାହନ ଦେଇ ଏହି ହସ୍ତଶିଳ୍ପକୁ ବ୍ୟାପକ କରିବା ଏହାର ଉଦ୍ଦେଶ୍ୟ ଥିଲା । ବହୁ କାରିଗର ସମିତି ସହ ଜଡ଼ିତ ରହି କାମ କରୁଥିଲେ । ଏପରିକି ଭିଭି ଗିରି ରାଷ୍ଟ୍ରପତି ଥିବାବେଳେ ଶିଙ୍ଗ କାରିଗର ସୀମାଦ୍ରି ମହାରଣାଙ୍କୁ ଜାତୀୟସ୍ତରରେ ପୁରସ୍କୃତ କରାଯାଇଥିଲା ।
ସମୟ ପରିବର୍ତ୍ତନ ସହ ଏହି ହସ୍ତଶିଳ୍ପ ବିଭିନ୍ନ କାରଣରୁ ସଙ୍କୁଚିତ ହେବାରେ ଲାଗିଛି । ସ୍ଥିତି ଏମିତି ଯେ, ଶିଙ୍ଗ ଶିଳ୍ପୀଙ୍କ ସଂଖ୍ୟା କମିକମି ମାତ୍ର ୨୦ରୁ ୨୫ରେ ପହଞ୍ଚିଲାଣି । ଶିଙ୍ଗ ହସ୍ତଶିଳ୍ପ ସମବାୟ ସମିତି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି । ଏବେ ମାତ୍ର ୧୨ ଜଣ ଶିଙ୍ଗ ଶିଳ୍ପୀ ସମିତି ସହ ସମ୍ପୃକ୍ତ ଅଛନ୍ତି । ୭ ଜଣ ଦୈନିକ ସମିତି କୋଠାକୁ ଆସୁଛନ୍ତି । ଅନ୍ୟ ୫ ଜଣ ଘରେ କାମ କରୁଛନ୍ତି । ସମିତି କାରିଗରଙ୍କ କ୍ଷୋଭ ଯେ, ସେମାନେ ସରକାରୀ ସହାୟତାରୁ ବଞ୍ଚିତ । ସୋସାଇଟି କୋଠା ଭାଙ୍ଗିରୁଜି ଯାଇଛି, ବର୍ଷା ହେଲେ ପାଣି ଗଳୁଛି । ପୁରୁଣାକାଳିଆ ଟିଣଘର ଦୀର୍ଘବର୍ଷ ହେଲା ମରାମତି ହୋଇନି । ଟିଣ ଉପରେ ଅନାବନା ଗଛଲତା ମାଡ଼ିଗଲାଣି । ସରୀସୃପଙ୍କ ଚଳପ୍ରଚଳ ଆଶଙ୍କା ରହୁଛି। ସମିତିର କାରିଗରମାନେ ବୟସ୍କ ହୋଇଗଲେଣି । ସୁବାସ ଚନ୍ଦ୍ର ମହାରଣାଙ୍କ ବୟସ ୭୪ ବର୍ଷ, କୃଷ୍ଣଚନ୍ଦ୍ର ମହାରଣାଙ୍କ ବୟସ ୬୪, ରମାକାନ୍ତ ମହାରଣାଙ୍କ ବୟସ ୫୯, କୃଷ୍ଣ ମହାରଣାଙ୍କ ବୟସ ୫୫, କେଦାରନାଥ ମହାରଣାଙ୍କ ବୟସ ୫୨ ବର୍ଷ । ଏମାନେ ପ୍ରାୟ ୨୫ ବର୍ଷରୁ ଆରମ୍ଭ କରି ୫୦ ବର୍ଷ ଯାଏ ଏହି ପ୍ରସିଦ୍ଧ ଶିଙ୍ଗ କାମକୁ ଆଦରି ନେଇଛନ୍ତି ।
ବୟସ ଅଧିକ ଯୋଗୁଁ ଏହି ସୂକ୍ଷ୍ମ କାରୁକାର୍ଯ୍ୟ କରିବାକୁ ସାମର୍ଥ୍ୟ ପାଉନି । ଆହୁରି ଅନେକ ପ୍ରୋତ୍ସାହନ ଓ ଉପଯୁକ୍ତ ପ୍ରାପ୍ୟ ଅଭାବରୁ କାମ ଛାଡ଼ି ଅନ୍ୟତ୍ର ଚାଲି ଯାଇଛନ୍ତି । କାମ ଅନୁଯାୟୀ ଗୋଟିଏ କଳାକୃତି ନିର୍ମାଣ ପିଛା ୧୦୦ରୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ମିଳୁଛି । ହେଲେ ପରିଶ୍ରମ ତୁଳନାରେ ତାହା ଯଥେଷ୍ଟ ହେଉନି । କାରିଗରମାନେ କହିଛନ୍ତି, ପୂର୍ବରୁ ଗଜପତିରେ ମଇଁଷି ଶିଙ୍ଗ ସହଜରେ ଓ କମ୍ ଦାମ୍ରେ ମିଳୁଥିଲା । ଏବେ କିନ୍ତୁ କଞ୍ଚାମାଲ ସକାଶେ ହାଇଦ୍ରାବାଦ ଉପରେ ନିର୍ଭର କରିବାକୁ ହେଉଛି । ଆମ ରାଜ୍ୟର ମୁନିଗୁଡ଼ା, ଗୁଣୁପୁର, ବିଷମକଟକ, ଅମ୍ବାଦୋଳା ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶର କାକିନାଡ଼ା, ଆନକାପଲ୍ଲୀ, ବିଜୟନଗର ଆଦି ଅଞ୍ଚଳ ସମେତ କୋଲକତାରୁ କଞ୍ଚାମାଲ ଆଣିବାକୁ ହେଉଛି । କିଲୋ ପିଛା ୨୨୦ରୁ ୩୦୦ ଟଙ୍କା ଦେବାକୁ ପଡ଼ୁଛି, ପୁଣି ପରିବହନ ଖର୍ଚ୍ଚ ଅଲଗା ।
୭୬ ବର୍ଷ ପୁରୁଣା ଏହି ସମିତି ଏବେ ପ୍ରାୟ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଲାଣି । ହାତଗଣତି ଯେଉଁ କେତେଜଣ କାରିଗର ଅଛନ୍ତି, ସେମାନେ ଯୁବଗୋଷ୍ଠୀଙ୍କୁ ଶିଖାଇବାକୁ ଆଗ୍ରହୀ ଥିଲେ ମଧ୍ୟ ପରିଶ୍ରମ ତୁଳନାରେ ରୋଜଗାର କମ୍ ଥିବାରୁ ପରବର୍ତ୍ତୀ ପିଢ଼ି ଆଗ୍ରହ କରୁନାହାନ୍ତି । ସରକାରୀ ସ୍ତରରେ ଆଖିଦୃଶିଆ ପ୍ରୋତ୍ସାହନ, ବଜାରୀକରଣ ପଦକ୍ଷେପ କେବେ ବି ନିଆଯାଇ ନ ଥିବା ଅଭିଯୋଗ କରୁଛନ୍ତି ଶିଳ୍ପୀ । ଅନେକ କ୍ଷେତ୍ରରେ ନୂଆ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ହୋଇ ଉନ୍ନତ ଉତ୍ପାଦ ସୃଷ୍ଟି କରାଯାଉଛି । ମାତ୍ର ଶିଙ୍ଗ ଶିଳ୍ପରେ ଯନ୍ତ୍ରପାତିର ବ୍ୟବହାର ସମ୍ଭବପର ହୋଇ ନାହିଁ ।
କଞ୍ଚାମାଲ ଅନ୍ୟ ସ୍ଥାନରୁ ଆସିଲେ କାମ ହେବ । ତାହା ଆଉ ଏକ ବାଧକ ସାଜୁଛି । ବିଭାଗୀୟ କଟକଣା ଓ ଦରବୃଦ୍ଧି କାରିଗରଙ୍କୁ ବାଧୁଛି। ଆଉ ଏକ କଥା ହେଲା ଶିଙ୍ଗରୁ ବିଭିନ୍ନ ସାମଗ୍ରୀ ତିଆରି କରିବା ପାଇଁ ପ୍ରଥମେ ସେଗୁଡ଼ିକୁ ପୋଡ଼ାଯାଇଥାଏ । ଏହି ପୋଡ଼ିବା ଓ ଘସିବା ବେଳେ ଶରୀର ପ୍ରତି କ୍ଷତିକାରକ ଗ୍ୟାସ୍ ନିର୍ଗତ ହୋଇଥାଏ । ଏହା କାରିଗରଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାର କାରଣ ସାଜିଥାଏ । ଏଭଳି ବିଭିନ୍ନ କାରଣରୁ ଶିଙ୍ଗ ଶିଳ୍ପ ଏବେ ଧୀରେଧୀରେ ଅବକ୍ଷୟମୁଖୀ ହେବାକୁ ଲାଗିଲାଣି ।
ହସ୍ତଶିଳ୍ପ ସହନିର୍ଦ୍ଦେଶକ ସୁଶୀଲ କୁମାର ବର୍ଦ୍ଧା କହିଛନ୍ତି, ଜିଲ୍ଲା ଶିଳ୍ପ କେନ୍ଦ୍ର ତରଫରୁ କାରିଗରମାନଙ୍କୁ କର୍ମଶାଳା ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯାଇଛି । ଋଣ ଆକାରରେ ୫୦ ହଜାର ଟଙ୍କା ମଧ୍ୟ ଦିଆଯାଉଛି । ସେଥିମଧ୍ୟରୁ ଶତକଡ଼ା ୨୦ ପ୍ରତିଶତ ରିହାତି ଦିଆଯାଉଛି । ହସ୍ତଶିଳ୍ପ ଭତ୍ତା ୨ ହଜାର ଟଙ୍କା ଶୀଘ୍ର ଲାଗୁ ହେବ ।