କଟକ: ଟାଟା ପାୱାର ପକ୍ଷରୁ ଏହାର ଦକ୍ଷତା ବିକାଶ ଶାଖା, ଟାଟା ପାୱାର ସ୍କିଲ ଡେଭେଲପମେଂଟ ଇନଷ୍ଟିଚ୍ୟୁଟ (ଟିପିଏସଡିଆଇ) ଜରିଆରେ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ) ସହଯୋଗିତାରେ ଓଡ଼ିଶାର କଟକରେ ଟିପିଏସଡିଆଇ ଗ୍ରିନ ଏନର୍ଜି ସ୍କିଲ ସେଂଟର (ସବୁଜ ଶକ୍ତି ଦକ୍ଷତା କେନ୍ଦ୍ର)ର ଶୁଭାରମ୍ଭ କରାଯାଇଛି।
ଅକ୍ଷୟ ଶକ୍ତି କ୍ଷେତ୍ରରେ ଭବିଷ୍ୟତ ପାଇଁ ଦକ୍ଷତା ପ୍ରସ୍ତୁତ ସହ ଓଡ଼ିଶାର ଯୁବବର୍ଗଙ୍କୁ ସଶକ୍ତ କରିବା ଏବଂ ଭାରତର ସ୍ୱଚ୍ଛ ଶକ୍ତି ବିପ୍ଳବରେ ସହାୟତା ଦେବା ଦିଗରେ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଏହି କେନ୍ଦ୍ରକୁ କଟକର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଆଇଏଏସ ଶ୍ରୀ ଦତାତ୍ରେୟ ଭାଉସାହେବ ସିନ୍ଦେ ଉଦଘାଟନ କରିଥିବା ବେଳେ ଚିଫ ଓଡିଶା ଡିଷ୍ଟ୍ରିବ୍ୟୁସନ ବିଜନେସ, ଟାଟା ପାୱାର – ଶ୍ରୀ ଗଜାନନ କାଲେ, ଟିପିସିଓଡିଏଲର ସିଇଓ ଶ୍ରୀ ଅରଭିନ୍ଦ ସିଂହ ଓ ଟିପିଏସଡିଆଇର ମୁଖ୍ୟ ଶ୍ରୀ ଆଲୋକ ପ୍ରସାଦ ଉପସ୍ଥିତ ଥିଲେ।
ଟିପିଏସଡିଆଇ-କଟକ କେନ୍ଦ୍ର ପକ୍ଷରୁ ସୌର ଶକ୍ତି ବ୍ୟବସ୍ଥା ସ୍ଥାପନ, ରକ୍ଷଣାବେକ୍ଷଣ, ଶକ୍ତି ଦକ୍ଷତା ଓ ବୈଦ୍ୟୁତିକ ସୁରକ୍ଷା ଭଳି ଅକ୍ଷୟ ଶକ୍ତି ପ୍ରଯୁକ୍ତି ଉପରେ ଶିଳ୍ପ ସମନ୍ୱିତ ପ୍ରାକ୍ଟିକାଲ ତାଲିମ ପ୍ରଦାନ କରାଯିବ। ଏନସିଭିଇଟି ଓ ଏନଏସଡିସି ମାନ ଅନୁସାରେ ଏହି କାର୍ଯ୍ୟକ୍ରମଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ଏହା ଭାରତ ସରକାରଙ୍କ ପ୍ରମୁଖ ଅଭିଯାନ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ତ ବିଜିଲି ଯୋଜନା (ପିଏମଏସଜିଏମବିୱାଇ) ଓ ରାଜ୍ୟ ସରକାରଙ୍କ ରୁଫଟପ ସୋଲାର ଗ୍ରହଣୀୟତା ମିସନକୁ ସମର୍ଥନ କରିବ।
ଅଂଶଗ୍ରହଣକାରୀମାନେ ଜାତୀୟ ସ୍ୱୀକୃତିପ୍ରାପ୍ତ ସାର୍ଟିଫିକେସନ ହାସଲ କରିବେ ଯାହା ଦ୍ରୁତ ଗତିରେ ବଦଳୁଥିବା ସବୁଜ ଶକ୍ତି କ୍ଷେତ୍ରରେ ନିଯୁକ୍ତି ହାସଲ କରିବା କ୍ଷମତାରେ ଉନ୍ନତି ଆଣିବ। ଏହି କେନ୍ଦ୍ର ଓଡ଼ିଶାର ଯୁବବର୍ଗଙ୍କୁ ସୋଲାର ଫଟୋ ଭୋଲଟାଇକ ପ୍ରଯୁକ୍ତି ସମ୍ପର୍କିତ ତାଲିମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।
ରୁଫଟପ ସମନ୍ୱୟ ପାଇଁ ବିଦ୍ୟୁତ ବଂଟନ କ୍ଷେତ୍ରର କ୍ଷେତ୍ର ପ୍ରସ୍ତୁତି ଓ ବୈଷୟିକ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ଟିପିଏସଡିଆଇ ପକ୍ଷରୁ ଗ୍ରିଡ-ସଂଯୁକ୍ତ ରୁଫଟପ ସୋଲାର ବ୍ୟବସ୍ତା ଉପରେ ଡିସକମ ଅଧିକାରୀମାନଙ୍କ ପାଇଁ ଏକ ବ୍ୟାପକ ଷ୍ଟୁଡେଂଟ ହ୍ୟାଣ୍ଡବୁକ ମଧ୍ୟ ଉନ୍ମୋଚନ କରାଯାଇଛି। ଏକ ପ୍ରତ୍ୟକ୍ଷ ରେଫରେନ୍ସ ଟୁଲ ଭାବେ ପ୍ରସ୍ତୁତ କରାଯାଇଥିବା ଏହି ହ୍ୟାଣ୍ଡବୁକ, ସୁରକ୍ଷା, ସିଷ୍ଟମ ଡିଜାଇନ, ସ୍ଥାପନା ନିୟମ ଏବଂ ରୁଫଟପ ସୋଲାର ମୂତୟନର ପ୍ରଦର୍ଶନ ନିରୀକ୍ଷଣ ଉପରେ ଅତ୍ୟାବଶ୍ୟକ ସୂଚନା ପ୍ରଦାନ କରିବ ଯାହା କାର୍ଯ୍ୟ କ୍ଷେତ୍ରରେ ଅଧିକ ଦକ୍ଷ ଓ ସୁରକ୍ଷିତ ସୋଲାର ଗ୍ରହଣୀୟତା ପ୍ରତି ଯୋଗଦାନ କରିବ।
ଟିପିଏସଡିଆଇ ହେଉଛି ଶକ୍ତି କ୍ଷେତ୍ର ତାଲିମର ଏକ ଉତ୍କର୍ଷ ଅନୁଷ୍ଠାନ ଯାହା ସବୁଜ ଶକ୍ତି, ସୁରକ୍ଷା, ସଂଚରଣ ଓ ବଂଟନ, ବିଦ୍ୟୁତ ବ୍ୟବସ୍ଥା ଓ ଲଘୁ ଦକ୍ଷତା ଉପରେ ୨୦୦ରୁ ଅଧିକ ମଡ୍ୟୁଲାର ପାଠ୍ୟକ୍ରମ ପ୍ରଦାନ କରୁଛି। ହାଣ୍ଡସ-ଅନ ଓ ପ୍ରତ୍ୟକ୍ଷ ତାଲିମ ଉପରେ ଜୋର ଦେଇ ଟିପିଏସଡିଆଇ ପକ୍ଷରୁ ଗତ ଦଶନ୍ଧିରେ ୩.୪୩ ଲକ୍ଷ ଲୋକଙ୍କୁ ତାଲିମ ପ୍ରଦାନ କରାଯାଇଛି ଯାହା ହେଉଛି ୧.୩ ନିୟୁତ ବ୍ୟକ୍ତି-ଦିବସ ସହ ସମାନ ଯେଉଁଥିରେ ୫୦,୦୦୦ରୁ ଅଧିକ ହିତାଧିକାରୀ ହେଉଛନ୍ତି ଆଫିର୍ମେଟିକ ଆକ୍ସନ ଗ୍ରୁପର ଏବଂ ୧୮,୦୦୦ରୁ ଅଧିକ ହେଉଛନ୍ତି ମହିଳା। ନୂତନ ଭାବେ ଶୁଭାରମ୍ଭ କରାଯାଇଥିବା କେନ୍ଦ୍ର ହେଉଛି ଭାରତରେ ଏହାର ୧୩ତମ କେନ୍ଦ୍ର। ଚଳିତ ଆର୍ଥିକ ବର୍ଷରେ ସବୁଜ ଶକ୍ତି ଦକ୍ଷତା ପାଇଁ ଟିପିଏସଡିଆଇ ପକ୍ଷରୁ ତାମିଲନାଡୁ, ଉତ୍ତରପ୍ରଦେଶ ଓ ଆସାମରେ ୭ଟି ଅତିରିକ୍ତ କେନ୍ଦ୍ର ଖୋଲିବା ଯୋଜନା ରହିଛି।
ଉପଯୋଗୀ, ଅର୍ନ୍ତଭୁକ୍ତୀକରଣ ଓ ଶିଳ୍ପର ଉଦୀୟମାନ ଆବଶ୍ୟକତା ସହ ସମନ୍ୱିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପ୍ରଦାନ କରି ଭାରତର ସବୁଜ ଶକ୍ତି ପ୍ରତିଭା ଦଳ ଗଠନ କରିବାରେ ଟିପିଏସଡିଆଇ ନିରନ୍ତର ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସରକାର ଓ ଶିଳ୍ପ ସହ ଦୃଢ଼ ସହଯୋଗିତା ଜରିଆରେ ଟିପିଏସଡିଆଇ ଓଡ଼ିଶା ଭଳି ଆଂଚଳିକ ବଜାରରେ ସବୁଜ ଦକ୍ଷତାକୁ ପହଂଚାଇବା ଉପରେ ଗୁରୁତ୍ୱାରୋପ କରୁଥିବା ବେଳେ ଏକ ସ୍ଥାୟୀ, ସ୍ୱାବଲମ୍ବୀ ଓ ଭବିଷ୍ୟତ ଲାଗି ପ୍ରସ୍ତୁତ ଶକ୍ତି ବ୍ୟବସ୍ଥା ଆଡ଼କୁ ଭାରତର ଯାତ୍ରାକୁ ତ୍ୱରାନ୍ୱିତ କରୁଛି।