ସାମ୍ନାକୁ ଆସିଲା ଏକନାଥ ସିନ୍ଦେଙ୍କ ଗାଁକୁ ଯିବା କାରଣ, ଆଜି ମୁଖ୍ୟମନ୍ତ୍ରୀ ନାମ ଘୋଷଣା
Published By : Ankita S | November 30, 2024 12:01 PM

ମୁମ୍ବାଇ, ୩୦/୧୧ : ନିର୍ବାଚନ ହେଲା ଫଳାଫଳ ବି ବାହାରିଲା । ହେଲେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଆଜିବି ଅସ୍ପଷ୍ଟ । ବିଜେପି ସହ ମହାୟୁତିର ଘନ ଘନ ବୈଠକ ପରେ ବି ମୁଖ୍ୟମନ୍ତ୍ରୀ ଅଙ୍କ ଛିଡୁନାହିଁ । ଫଳାଫଳ ଘୋଷଣା ହେବାର ଗୋଟିଏ ସପ୍ତାହ ପରେ ବି ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଲାଗି ରହିଛି । ଏହାରି ଭିତରେ ନିଜ ଗାଁକୁ ଚାଲି ଯାଇଥିଲେ ଏକନାଥ ସିନ୍ଦେ । ଅସନ୍ତୁଷ୍ଟ ହୋଇ ସତାରା ଜିଲ୍ଲାରେ ଥିବା ପୈତୃକ ବାସଭବନକୁ ଚାଲିଯାଇଥିବା ଚର୍ଚ୍ଚା ହୋଇଥିଲା ମାତ୍ର ଏହା ପଛର କାରଣ ଜଣାପଡିଛି ।
ଏକନାଥ ସିନ୍ଦେ ଅସୁସ୍ଥ ଅଛନ୍ତି । ତାଙ୍କୁ ଥଣ୍ଡା ଜ୍ବର ହୋଇଛି । ଏ ନେଇ ସେ ତାଙ୍କ ଗାଁକୁ ଯାଇଛନ୍ତି । ଗୁରୁବାର ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ସେ ଅସୁସ୍ଥ ହୋଇଥିଲେ । ତେଣୁ ସେ ଗାଁକୁ ଚାଲିଯାଇଥିବା କହିଛନ୍ତି ଶିବସେନା ନେତା ସଞ୍ଜୟ ଶିରସାଟ ।
ସେ ଆହୁରି କହିଛନ୍ତି,ଏକନାଥ ସିନ୍ଦେଙ୍କୁ ଯେତେବେଳେ କିଛି ବଡ ନିଷ୍ପତ୍ତି ନେବାର ଥାଏ ଗାଁକୁ ଚାଲିଯାଆନ୍ତି । ଆଜି ସଂଧ୍ୟାରେ କିଛି ବଡ ନିଷ୍ପତ୍ତି ଆସିପାରେ । ଏହ ସହିତ ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ଆଜି ଘୋଷଣା ହୋଇପାରେ ବୋଲି କହିଛନ୍ତି ଶିବସେନା ନେତା ।
କଣ ଏକନାଥ ସିନ୍ଦେଙ୍କ ଦାବି- ସିନ୍ଦେ ଗୋଷ୍ଠୀର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ସହ ବୈଠକରେ ଏକନାଥ ସିନ୍ଦେ କେତେକ ଦାବି ରଖିଛନ୍ତି । ଶିବସେନା ଲାଗି ସେ ବିଧାନ ପରିଷଦର ଅଧ୍ୟକ୍ଷ ପଦ ମାଗିଛନ୍ତି । ଏହା ସହ ୧୨ ମନ୍ତ୍ରୀ ପଦ ଲାଗି ଦାବି କରିଛନ୍ତି ସିନ୍ଦେ । ଏଥିରେ ଗୃହ ଏବଂ ସହରୀ ବିକାଶ ମନ୍ତ୍ରାଳୟ ମଧ୍ୟ ସାମିଲ ରହିଛି । ସିନ୍ଦେଙ୍କ ଦାବିକୁ ନେଇ ରାଜ୍ୟରେ ପୁଣି ଥରେ ବୈଠକ ହେବ ବୋଲି କୁହାଯାଉଛି ।