ଭୂବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏକ ରାଜ୍ୟସ୍ତରୀୟ ସମାରୋହରେ ପ୍ରଧାନମନ୍ତ୍ରୀ ୧୮,୬୫୩ କୋଟି ଟଙ୍କାର ୧୦୫ଟି ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ଏହା ସହିତ ଓଡ଼ିଶାର ଭବିଷ୍ୟତ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନାଗୁଡ଼ିକର ଉନ୍ମୋଚନ କରାଯାଇଛି।
ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭
ପ୍ରଧାନମନ୍ତ୍ରୀ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ଡକୁମେଣ୍ଟ ଉନ୍ମୋଚନ କରିଛନ୍ତି। ଏହି ଭିଜନ ରାଜ୍ୟ ସ୍ୱାଧିନତାର ଶତବାର୍ଷିକୀ (୨୦୩୬) ଓ ଭାରତର ସ୍ୱାଧୀନତାର ଶତବାର୍ଷିକୀ (୨୦୪୭) ଅବସରରେ ଓଡ଼ିଶାକୁ ଏକ ଅଗ୍ରଣୀ ଅର୍ଥନୈତିକ ଶକ୍ତି ଓ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିତୋଳିବାକୁ ଲକ୍ଷ୍ୟ ରଖିଛି। ଏହା ଜନସାଧାରଣଙ୍କ ସାମୂହିକ ଦୃଷ୍ଟିକୋଣ ଓ ଆକାଂକ୍ଷାକୁ ସାମିଲ କରି ରାଜ୍ୟର ସମାବେଶୀ ଓ ନିରନ୍ତର ବିକାଶ ପାଇଁ ଏକ ରୋଡ଼ମ୍ୟାପ୍ ପ୍ରସ୍ତୁତ କରିଛି।
ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା
ଓଡ଼ିଶାର ବରପୁତ୍ରମାନଙ୍କର ଜନ୍ମସ୍ଥଳୀକୁ ଐତିହାସିକ ଓ ସାଂସ୍କୃତିକ ପର୍ଯ୍ୟଟନ ସ୍ଥଳ ଭାବେ ବିକଶିତ କରିବା ଲାଗି ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ର ଶୁଭାରମ୍ଭ କରାଯାଇଛି। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଐତିହ୍ୟ ଗ୍ରାମ ପାଇଁ ପ୍ରାୟ ୧୫ କୋଟି ଟଙ୍କା ଖର୍ଚ୍ଚ କରାଯିବ, ଯାହାର ମୋଟ ବିନିଯୋଗର ପରିମାଣ ୧୯,୦୦୦ କୋଟି ଟଙ୍କା ରହିଛି। ଏହି ଯୋଜନାରେ ବରପୁତ୍ରମାନଙ୍କ ପୂର୍ବପୁରୁଷଙ୍କ ବାସଗୃହକୁ ସଂଗ୍ରହାଳୟ ଭାବେ ବିକାଶ କରାଯିବା ସହ ପ୍ରତିମୂର୍ତ୍ତି ସ୍ଥାପନ, ବ୍ୟାଖ୍ୟାନ କେନ୍ଦ୍ର, ଶିଶୁ ଉଦ୍ୟାନ, କାରୁକଳା ଓ ପାକଶାଳା ଷ୍ଟଲ୍, ଗ୍ରନ୍ଥାଗାର, ସମ୍ମିଳନୀ କକ୍ଷ ଏବଂ ଖୋଲା ଆକାଶ ନାଟ୍ୟମଞ୍ଚ ନିର୍ମାଣ ଆଦି କାର୍ଯ୍ୟ କରାଯିବ।
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା
ପ୍ରଧାନମନ୍ତ୍ରୀ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ପୁସ୍ତିକା ଉନ୍ମୋଚନ କରିଛନ୍ତି। ଏହି ଯୋଜନା ଅଧୀନରେ ରାଜ୍ୟର ପ୍ରତି ପଞ୍ଚାୟତରେ ଅନ୍ୟୁନ ଗୋଟିଏ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଖୋଲାଯିବ। ଏହା ପାଇଁ ସ୍ଥାନ ନିରୂପଣ ଓ DPR ପ୍ରସ୍ତୁତି କାର୍ଯ୍ୟ ଚାଲୁ ରହିଛି।
ନୂତନ ରେଳ ସେବା ଓ ପ୍ରକଳ୍ପ
ପ୍ରଧାନମନ୍ତ୍ରୀ ବୌଦ୍ଧ-ସମ୍ବଲପୁର ଓ ବୌଦ୍ଧ-ଭୁବନେଶ୍ୱର ନୂତନ ଟ୍ରେନ୍ ସେବାର ଶୁଭାରମ୍ଭ କରିଛନ୍ତି। ଏହା ସହିତ ରେଳ କ୍ଷେତ୍ରରେ ୨୭୫୬ କୋଟି ଟଙ୍କାର ୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ସୋନପୁର-ପୁରୁଣା କଟକ ରେଳ ଲାଇନ (୭୩ କିଲୋମିଟର) ଉଦଘାଟିତ ହୋଇଛି, ଯାହା ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ପ୍ରକଳ୍ପର ଏକ ଅଂଶ ଏବଂ ବୌଦ୍ଧ ଜିଲ୍ଲାକୁ ପ୍ରଥମ ଥର ପାଇଁ ରେଳ ସଂଯୋଗ ପ୍ରଦାନ କରିଛି। ଏହା ସହିତ ସରଳା ଓ ଶାସନ ମଧ୍ୟରେ ତୃତୀୟ ଓ ଚତୁର୍ଥ ରେଳ ଲାଇନର ଶିଳାନ୍ୟାସ ମଧ୍ୟ କରାଯାଇଛି।
ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ୯,୬୪୨ କୋଟି ଟଙ୍କାର ୬୦ଟି ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ୯,୦୧୧ କୋଟି ଟଙ୍କାର ୪୫ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ କୃଷି (୧୪୩ କୋଟି), ସ୍ୱାସ୍ଥ୍ୟ (୩୨ କୋଟି), ଜଳ ସମ୍ପଦ ଓ ପାନୀୟ ଜଳ (୨୫୫୩ କୋଟି), ଶକ୍ତି (୮୦୮୩ କୋଟି), ସଡ଼କ ଓ ସେତୁ (୧୬୧୬ କୋଟି), ସହରାଞ୍ଚଳ ଭିତ୍ତିଭୂମି (୧୮୫୮ କୋଟି), ଜାତୀୟ ରାଜପଥ (୧୪୩୨ କୋଟି), ବନ୍ଦର (୫୬ କୋଟି) ଏବଂ ଅନ୍ୟାନ୍ୟ (୧୨୩ କୋଟି) କ୍ଷେତ୍ର ଅନ୍ତର୍ଭୁକ୍ତ ରହିଛି।
ସମାରୋହରେ ପ୍ରଧାନମନ୍ତ୍ରୀ କିଛି ‘ଲକ୍ଷପତି ଦିଦି’ଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କର ଅବଦାନକୁ ସମ୍ମାନ ଜଣାଇଛନ୍ତି। ଯାହା ମହିଳା ସଶକ୍ତିକରଣ ଓ ଅର୍ଥନୈତିକ ସ୍ୱାବଲମ୍ବନକୁ ପ୍ରୋତ୍ସାହିତ କରୁଛି। ଏହାସହ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ଅଧୀନରେ ୧୦୦ଟି ଇଲେକ୍ଟ୍ରିକ୍ ବସ୍ର ଶୁଭାରମ୍ଭ ମଧ୍ୟ କରାଯାଇଛି। ଏହି ବସ୍ଗୁଡ଼ିକ ପୁରୀ, ଭୁବନେଶ୍ୱର ଓ କଟକର ୧୧ଟି ରୁଟ୍ରେ ଚଳାଚଳ କରୁଥିବା ବସ୍ଗୁଡ଼ିକ ସହିତ ନୂତନ ୮ଟି ରୁଟ୍ରେ ସେବା ପ୍ରଦାନ କରିବ। ଏହା ସହିତ ନରାଜରେ ନୂତନ ଇଲେକ୍ଟ୍ରିକ୍ ବସ୍ ଡିପୋର ଉଦଘାଟନ କରାଯାଇଛି, ଯାହା ଗ୍ରୀନ ବିଲ୍ଡିଂ ଟେକ୍ନୋଲୋଜି ଅନୁସାରେ ନିର୍ମିତ। ଏହି ଡିପୋରୁ ନୂତନ ୧୦୦ଟି ଇଲେକ୍ଟ୍ରିକ୍ ବସ୍ ଚଳାଚଳ କରିବ।
ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଓଡ଼ିଶାର ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ବିକାଶକୁ ନୂତନ ଗତି ପ୍ରଦାନ କରିଛି। ଏହି ଯୋଜନା ଓ ପ୍ରକଳ୍ପଗୁଡ଼ିକ ରାଜ୍ୟକୁ ଏକ ସମୃଦ୍ଧ, ଶିଳ୍ପୋନ୍ନତ ଓ ସମାବେଶୀ ଓଡ଼ିଶା ଭାବେ ଗଢ଼ିତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।